ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷକରେ ମିଳିଲା ମୃତକଙ୍କ ପରିଚୟ, ଚାରି ବର୍ଷ ପରେ ଅନୁପଙ୍କ ପାଖରେ ପହଞ୍ଚିଲା ପୋଲିସ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣା ଉପରୁ ପରଦା ହଟିଛି। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ହତ୍ୟାକାରୀ ବୋଲି ଛତିଶଗଡ଼ ରାୟଗଡ଼ ଜିଲ୍ଲା ଏସ୍‌ପି ସନ୍ତୋଷ ସିଂ ସ୍ପଷ୍ଟ କରିଛନ୍ତି। ଅନୁପ ବି ଏହାକୁ ସ୍ୱୀକାର କରିଛନ୍ତି। ତେବେ ଚାରି ବର୍ଷ ତଳର ଏହି ହତ୍ୟାକାଣ୍ଡ ଉପରୁ ଛତିଶଗଡ଼ ପୋଲିସ କେମିତି ପରଦା ହଟାଇଲା ଏବଂ ଅନୁପଙ୍କ ପାଖରେ କେମିତି ପହଞ୍ଚିଲା ତାକୁ ନେଇ ସବୁଠି ଚର୍ଚ୍ଚା।

ଚାରିବର୍ଷ ତଳେ ମିଳିଥିଲା ମୃତଦେହ

ଛତିଶଗଡ଼ ସୀମାନ୍ତ ଚକ୍ରଧରନଗର ଥାନା ଅଞ୍ଚଳରୁ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ହତ୍ୟା କରାଯାଇ ଏମାନଙ୍କ ମୁହଁରେ ଗାଡ଼ି ଚଢ଼ାଇ ଦିଆଯାଇଥିବାରୁ ଭଲଭାବେ ଚିହ୍ନି ହେଉ ନଥିଲା। ଏଣୁ ପୋଲିସର ସନ୍ଦେହ ବଢ଼ିଥିଲା। ଏହି ଦୁଇ ମହିଳାଙ୍କ ମୃତଦେହ ଛତିଶଗଡ଼ ସୀମାନ୍ତକୁ କେମିତି ଆସିଲା ତାକୁ ନେଇ ପୋଲିସ ଛାନ୍‌ଭିନ୍‌ କରିଥିଲା।

ମୃତକଙ୍କ ପରିଚୟ ଜାଣିବା ପାଇଁ ଛତିଶଗଡ଼ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ୬ଟି ରାଜ୍ୟକୁ ଯାଇଥିଲେ। ୬ ରାଜ୍ୟର ପୋଲିସ ଅଧିକାରୀ ଏବଂ ବିଭିନ୍ନ ଲୋକଙ୍କୁ ପଚରା ଉଚରା କରିଥିଲା। ବର୍ଷକ ପରେ ମହିଳାଙ୍କ ପରିଚୟ ମିଳିଥିଲା। ମୃତ ମହିଳା ହେଉଛନ୍ତି କଳ୍ପନା ଦାସ ଏବଂ ତାଙ୍କ ଝିଅ ବବ୍‌ଲି ଦାସ। ଓଡ଼ିଶା ପୋଲିସର କନଷ୍ଟେବଳ ଦରୋଜ ଦାସଙ୍କ ଭଉଣୀଥିଲେ କଳ୍ପନା।

ପରିଚୟ ମିଳିବା ପରେ ଜୋରଦାର ହୋଇଥିଲା ତଦନ୍ତ

ମୃତକଙ୍କ ପରିଚୟ ମିଳିବା ପରେ ରାୟଗଡ଼ ପୋଲିସ ତଦନ୍ତକୁ ଜୋର୍‌ କରିଥିଲେ। ମହିଳା ଜଣକ କେଉଁଠି ରହୁଥିଲେ, କ’ଣ କରୁଥିଲେ, କାହା ସହିତ ରହୁଥିଲେ ତାକୁ ନେଇ ପୋଲିସ ତଦନ୍ତ ଆଗକୁ ବଢ଼ିଥିଲା। ଏହାସହ ମୃତ ମହିଳାଙ୍କ କଲ୍‌ ରେକର୍ଡ ଯାଞ୍ଚ କରିଥିଲା। ଏହି ଯାଞ୍ଚ ବେଳେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ନାଁ ଆସିଥିଲା। ଏହି ମହିଳାଙ୍କ ସହ ଅନୁପ ସମ୍ପର୍କରେ ଥିଲେ ବୋଲି ପ୍ରମାଣ ମିଳିଲା।

ପୋଲିସକୁ ଧରାଛୁଆଁ ଦେଲେନି ଅନୁପ

ଡବଲ ମର୍ଡର ଘଟଣାରେ ଅନୁପଙ୍କ ନାଁ ଉଠିବାରୁ ତାଙ୍କୁ ରାୟଗଡ଼ ପୋଲିସ ପଚରା ଉଚରା ପାଇଁ ଡାକିଥିଲା। ଗତ ୩ ବର୍ଷ ହେଲା ପୋଲିସ ଅନୁପଙ୍କ ପାଖକୁ ନୋଟିସ୍‌ ପଠାଇ ଆସୁଥିଲା। ହେଲେ ଅନୁପ ଏହାକୁ ଫାଙ୍କି ଚାଲିଥିଲେ। ପୋଲିସ ନିକଟରେ ସେ ହାଜର ହେଉ ନଥିଲେ।

ଅନୁପ ଧରାଛୁଆଁ ଦେଉ ନଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ିଲା। ଗତ ୬ ମାସ ହେଲା ରାୟଗଡ଼ ପୋଲିସ ଅନୁପଙ୍କ ଗତିବିଧି ଉପରେ ନଜର ରଖିଥିଲା। ଶେଷରେ ଗତ ବୁଧବାର ରାତିରେ ଅନୁପଙ୍କୁ ରାୟଗଡ଼ ଉଠାଇ ନେଇଥିଲା ପୋଲିସ।

୫ ବର୍ଷ ହେଲା ଏକାଠି ରହୁଥିଲେ ଅନୁପ-କଳ୍ପନା

୨୦୦୬ରେ କଳ୍ପନା ଦାସ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ସେତେବେଳେ ସେ ତତ୍କାଳୀନ ବ୍ରଜରାଜନଗରର ବିଧାୟକ ଅନୁପ ସାଏଙ୍କ ସମ୍ପର୍କରେ ରହିଥିଲେ। ୨୦୧୧ରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅନୁପ ଭୁବନେଶ୍ୱରର ସୁନ୍ଦରପଦାରେ ଏକ ଫ୍ଲାଟ କିଣି କଳ୍ପନା ଏବଂ ତାଙ୍କ ଝିଅକୁ ରଖିଥିଲେ। ଅନୁପ ବି ଏଠାରେ ରହୁଥିଲେ। ଅନୁପ ଏବଂ କଳ୍ପନା ସ୍ୱାମୀ, ସ୍ତ୍ରୀ ଭଳି ରହୁଥିଲେ। ହେଲେ କଳ୍ପନା ଅନୁପଙ୍କୁ ବାହା ହେବା ପାଇଁ ଜିଦ୍‌ ଧରିଥିଲେ।

ଅନୁପ ବାହା ହୋଇଥିବାରୁ ସେ କଳ୍ପନାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ। ହେଲେ କଳ୍ପନା ତାଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ଉଦ୍ୟମ କରିଥିଲେ। କାଳେ ସବୁ ସତ କଥା ଧରାପଡ଼ିଯିବ ସେହି ଭୟରେ ଅନୁପ କଳ୍ପନାଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ବାହା ହେବାକୁ କହି ରାୟଗଡ଼ ନେଇ ଆସିଥିଲେ

କଳ୍ପନା ଏବଂ ଅନୁପଙ୍କ ସମ୍ପର୍କ ବିଷୟରେ ଝିଅ ବବ୍‌ଲି ସବୁ କଥା ଜାଣିଥିଲେ। ଏଣୁ ମା’ ଝିଅଙ୍କୁ ରାସ୍ତାରୁ ହଟାଇବା ଲାଗି ଅନୁପ ତାଙ୍କ ଡ୍ରାଇଭରଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। କଳ୍ପନାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ରାୟଗଡ଼ ଅଭିମୁଖେ ଆଣିଥିଲେ।

ଛତିଶଗଡ଼ ସୀମାନ୍ତ ହମିରପୁର ନିକଟରେ ଥିବା ଏକ ଜଙ୍ଗଲରେ କଳ୍ପନା ଏବଂ ତାଙ୍କ ଝିଅକୁ ଲୁହା ରଡରେ ପିଟି ପିଟି ହତ୍ୟା କରିଥିଲେ ଅନୁପ। ଶେଷରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ।

ଅନୁପଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି – ଏସ୍‌ପି

ଡବଲ ମର୍ଡର ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଅନୁପ ସାଏ ଉଦ୍ୟମ କରିଥିଲେ। ହେଲେ ତଦନ୍ତରୁ ଯେତିକି ପ୍ରମାଣ ମିଳିଛି ସେଥିରେ ଅନୁପ ମୁଖ୍ୟ ଅଭିଯୁକ୍ତ ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଛନ୍ତି। କଳ୍ପନାଙ୍କୁ ହତ୍ୟା କରିବା ପୂର୍ବରୁ ଅନୁପଙ୍କ ଶେଷ ଫୋନ୍‌ କଲ୍‌ ଆସିଥିଲା। ଏଣୁ ଅନୁପଙ୍କ ବିରୋଧରେ ଯେତିକି ପ୍ରମାଣ ଅଛି ତାହା ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ।

ଚକ୍ରଧରନଗର ଥାନାରେ ମୃତଦେହ ଉଦ୍ଧାର ବେଳେ କେସ୍‌ ନମ୍ବର ୧୫୮/୧୬ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିଲା। ଅନୁପ ଗିରଫ ହେବା ପରେ ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି। ହତ୍ୟା ପାଇଁ ଦଫା ୩୦୨, ପ୍ରମାଣ ନଷ୍ଟ ପାଇଁ ଦଫା ୨୦୧, ଅପରାଧିକ ଷଡ଼ଯନ୍ତ୍ର ପାଇଁ ୧୨୦ (ବି)ରେ ମାମଲା ରୁଜୁ ହୋଇଛି।

Comment