ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ କହିଛନ୍ତି ଯେ ଦୁର୍ନୀତି ମାମଲାରେ ଲୋକମାନେ ସିଧାସଳଖ ତାଙ୍କୁ ଭେଟିପାରିବେ। କୌଣସି ସରକାରୀ ଚାକିରିଆ ଯଦି ଦୁର୍ନୀତିରେ ଲିପ୍ତ ଥାଆନ୍ତି ସେହି ଅଭିଯୋଗ ତାଙ୍କ ପାଖକୁ ପଠା ଯାଇପାରିବ।

କେନ୍ଦ୍ରାପଡ଼ାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିବା ଅବସରରେ ଜଷ୍ଟିସ ସିଂହ ଏକଥା କହିଛନ୍ତି। ‘ଆମେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛୁ। ଏପରିକି ମୁଖ୍ୟମନ୍ତ୍ରୀ ଓ ବଡ଼ବଡ଼ ଅଧିକାରୀଙ୍କ ବିରୋଧରେ ବି ଯଦି ଅଭିଯୋଗ ଆସେ ଆମେ ତାହାର ତଦନ୍ତ କରିବୁ। ଆମେ ସାଧାରଣ ଲୋକଙ୍କୁ ଏଦିଗରେ ଉତ୍ସାହିତ କରୁଛୁ। ସରକାରୀ କର୍ମଚାରୀ ଅଥବା ସ୍ଵେଛାସେବୀ ସଂଗଠନ ବିରୋଧରେ ଅଭିଯୋଗ ଆମେ ତଦନ୍ତ କରିବା ପାଇଁ ପ୍ରସ୍ତୁତ ଅଛ’,ଏକଥା କହିଛନ୍ତି ଜଷ୍ଟିସ ସିଂହ।

ଲୋକାୟୁକ୍ତ ପକ୍ଷରୁ ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସବୁ ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦୁର୍ନୀତି କେବଳ ଏକ ଧର୍ତ୍ତବ୍ୟ ଅପରାଧ ନୁହଁ ଏହା ମାନବିକ ଅଧିକାରକୁ ମଧ୍ୟ ତଳି ତଳାନ୍ତ କରିଥାଏ। ତା’ଛଡ଼ା ବେପରୁଆ ଦୁର୍ନୀତି ବିଧିବଦ୍ଧ ଅର୍ଥନୈତିକ ଅପରାଧର କାରଣ ହୋଇଥାଏ।

ଗତବର୍ଷ ଲୋକାୟୁକ୍ତ ପାଖକୁ ୧୪୧୮ ଦୁର୍ନୀତି ମାମଲା ଆସିଥିଲା। ଏଥି ମଧ୍ୟରୁ ୧୬୬ ମାମଲା ତୁଟିଥିବା ବେଳେ ବାକି ତକ ଅଭିଯୋଗକୁ ଲୋକାୟୁକ୍ତ ଆଇନର ଧାରା ୬୦(୩) ଅନୁସାରେ ସରକାରଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦିଆଯାଇଛି।

Comment