ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେବେ ଏ ଯାଏଁ କେହି ଠଉରେଇ ପାରୁନାହାନ୍ତି ଏହି ଭୂତାଣୁଟି ପ୍ରକୃତରେ କେଉଁଠାରୁ ଆସିଲା?

ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଇତି ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ଆସୁଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା।

ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା ଅନୁଯାୟୀ ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (WHDC)ରେ ହିଁ ଏହି ଭୟଙ୍କର କୋରୋନା ଭାଇରସ ସୃଷ୍ଟି ହୋଇଥିଲା। ବିଶ୍ୱବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି ଯେ ଉହାନର ଉକ୍ତ ଲାବ ଅନେକ ଜୀବଜନ୍ତୁଙ୍କୁ ରଖିଥାଏ। ସେଥି ମଧ୍ୟରେ କୁଆଡ଼େ ୬୦୫ଟି ବାଦୁଡ଼ି ବି ଥିଲେ। ଗବେଷକ ଜଣକ କହିଛନ୍ତି ଯେ ହୁଏତ ଏହି ପକ୍ଷୀମାନଙ୍କଠାରୁ ହିଁ କୋରୋନା ଭାଇରସ ଆସିଥାଇ ପାରେ। ଗବେଷକଙ୍କ ମତରେ କୋରୋନା ଭାଇରସ ଥିବା କିଛି ବାଦୁଡ଼ି ଜଣେ ଲାବ ଟେକ୍ନିସିଆନଙ୍କୁ ଆକ୍ରମଣ କରିଥିଲେ ଓ ସେହି ଆକ୍ରମଣରେ ବାଦୁଡ଼ିର ରକ୍ତ ସେହି ଟେକ୍ନିସିଆନଙ୍କ ଦେହରେ ପ୍ରବେଶ କରି ଯାଇଥିଲା।

ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି ଯେ ବାଦୁଡ଼ି ରକ୍ତ ତାଙ୍କ ଦେହରେ ମିଶିଯିବା ପରେ ସେହି ଟେକ୍ନିସିଆନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାବ ବାହାରେ ରଖାଯାଇଥିଲା। ୟୁନିଭରସିଟିର ରିପୋର୍ଟରେ କୁହାଯାଇଛି ଯେ ହୁଏତ ଏହି ଘଟଣା ପରେ ଉହାନର ସେହି ଲାବରୁ କୋରୋନା ଭାଇରସ ଆଖ ପାଖରେ ଖେଳି ଯାଇଥାଇପାରୋ।

ଲାବରୁ ଭୂତାଣୁ ଲିକ ହେବା ଖବର ଅବଶ୍ୟ ଆଗରୁ ବି ଆସିଥିଲା। ଏଣୁ କୋରୋନା ଭାଇରସ ସିଧା ସଳଖ ଉହାନର ମାଛ ମାର୍କେଟରୁ ନୁହେଁ ବରଂ ଉହାନ ସେଣ୍ଟର ଫର ଡିଜିଜ କଂଟ୍ରୋଲରୁ ଆସିଥିବାର ସମ୍ଭାବନା ଖୁବ ଅଧିକ ବୋଲି କୁହା ଯାଉଛି।

Comment