ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ୍ ପହିଲାରୁ ଭାରତରେ ବିକ୍ରି ହେବ ବିଏସ୍ –୬ ମାନର ପେଟ୍ରୋଲ୍ ଓ ଡିଜେଲ୍। ଦେଶରେ ପ୍ରଦୁଷଣର ମାତ୍ରା କମ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି।

ବିଏସ୍-୬ ମାନର ପେଟ୍ରୋଲ୍ ଓ ଡିଜେଲ୍ ହେଉଛି ଅନ୍ୟ ଇନ୍ଧନ ଅପେକ୍ଷା ଅଧିକ ସ୍ୱଚ୍ଛ ଇନ୍ଧନ, ଯାହାର ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣ କମ ହୋଇଥାଏ। ଏହି ଇନ୍ଧନର ବ୍ୟବହାର ଦ୍ୱାରା ପେଟ୍ରୋଲ କାରରେ ପ୍ରଦୂଷଣର ପରିମାଣ ୨୫ ପ୍ରତିଶତ ଓ ଡିଜେଲ କାରରେ ୭୦ ପ୍ରତିଶତ ପ୍ରଦୂଷଣ କମ୍ ହୋଇଥାଏ। ବର୍ତ୍ତମାନ ଏହି ମାନର ପେଟ୍ରୋଲ୍ ଓ ଡିଜେଲ୍ ବିଶ୍ୱର ଅଳ୍ପ କେତୋଟି ଦେଶରେ ବ୍ୟବହାର କରାଯାଉଛି। ଖୁବଶୀଘ୍ର ଏହାକୁ ଭାରତରେ ମଧ୍ୟ ଉପଲବ୍ଧ କରାଯିବ ବୋଲି କୁହାଯାଇଛି।

ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି ଯେ, ୨୦୧୯ ଡିସେମ୍ବର ମାସ ସୁଦ୍ଧା ସବୁ ବିଶୋଧନାଗାରରୁ ବିଏସ୍- ୬ ମାନର ତେଲ ଉତ୍ପାଦନ ଆରମ୍ଭ ହୋଇଛି। ଏବେ କେବଳ ଏହି ତେଲକୁ ପ୍ରତିଟି ଡିପୋରେ ପହଞ୍ଚାଯିବ। ଏହା ଫଳରେ ଦେଶରେ ପ୍ରଦୁଷଣର ମାତ୍ରା କମ୍ ହୋଇପାରିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଆମ ଦେଶରେ ବିଏସ୍-୪ ମାନର ପେଟ୍ରୋଲ ଓ ଡିଜେଲ୍ ବିକ୍ରି ହେଉଛି। ଏପ୍ରିଲ୍ ୧ ତାରିଖରୁ ଏହି ବିଏସ୍- ୬ ମାନର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ହେବ। ଏଥିସହିତ ଖୁବଶୀଘ୍ର ଭାରତରେ ବିଏସ୍- ୬ ଇଞ୍ଜିନର ଗାଡ଼ି ମଧ୍ୟ ଆରମ୍ଭ ହେବାକୁ ଯାଉଛି।

Comment