ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ନେଇ ପୁଣି ଅଶାନ୍ତ ଦିଲ୍ଲୀ।

ପୁଣିଥରେ ଦିଲ୍ଲୀରେ ‘ସିଏଏ’ ନିଆଁ ତେଜିଛି। ବିକ୍ଷୋଭକାରୀ ଏବଂ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ପଥର ମାଡ଼ ହେବାରୁ ଜଣେ କନଷ୍ଟେବଲଙ୍କ ସମେତ ୩ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏଭଳି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଶନିବାର ସନ୍ଧ୍ୟାରୁ ହିଁ ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ନିଆଁ ତେଜିଥିଲା। ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ କିଛି ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଧରି ରାସ୍ତାକୁ ଆସିଥିଲେ। ସିଏଏ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ସାହିନବାଗ ଭଳି ଆମେ ମଧ୍ୟ ରାସ୍ତାରୁ ହଟିବୁ ନାହିଁ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ।

ଏପଟେ ମୌଜପୁରରେ ବି ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ହଟାଇବା ପାଇଁ ବିଜେପି ନେତା କପିଲ ମିଶ୍ରା ସମର୍ଥକମାନଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେ ହନୁମାନ ଚାଳିଶା ପାଠ କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଅଣାୟତ୍ତ ହୋଇଥିଲା।

ମୌଜପୁରରେ ଶନିବାର ସନ୍ଧ୍ୟାରୁ ସିଏଏକୁ ବିରୋଧ କରି ବିକ୍ଷୋଭ ଚାଲିଥିବା ବେଳେ ସୋମବାର କିଛି ମହିଳା ସିଏଏ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦୁଇ ଗୋଷ୍ଠୀ ଭିତରେ ପରଥ ଫିଙ୍ଗାଫିଙ୍ଗି ହୋଇଥିଲା। ବଜିରାବାଦ ରୋଡ୍‌ରେ ବିକ୍ଷୋଭକାରୀମାନେ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଭାଜନପୁରଠରେ ଥିବା ଏକ ପେଟ୍ରୋଲ ପମ୍ପ୍‌ରେ ବି ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ।

ଦୁଇ ଗୋଷ୍ଠୀ ଭିତରେ ପଥର ମାଡ଼ ହେବାରୁ ହେଡ୍‌ କନଷ୍ଟେବଲ ରତନଲାଲ୍‌ଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୌଜପୁର, କର୍ଦ୍ଦମାପୁରୀ, ଚାନ୍ଦବାଗ, ଭାଜନପୁର ଓ ଦୟାଲପୁର ଅଞ୍ଚଳରେ ପୋଲିସ ୧୪୪ ଧାରା ଲାଗୁ କରିଛି। ଶାନ୍ତି ବଜାୟ ରଖିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।

Comment