ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ବିଲକିସ୍‌ ଦାଦି
  • ସିଏଏକୁ ବିରୋଧ କରି ହୋଇଥିଲେ ଚର୍ଚ୍ଚିତା
  • ଶାହିନ ବାଗ୍‌ ଆନ୍ଦୋଳନର ଥିଲେ ପ୍ରମୁଖ ଚେହେରା

ସଂଶୋଧିତ ନାଗରିକତା ଆଇନ (ସିଏଏ) କୁ ବିରୋଧ କରି ଦିଲ୍ଲୀ ଶାହିନ୍ ବାଗରେ ହୋଇଥିବା ଆନ୍ଦୋଳନରେ ଗୋଟିଏ ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା। ସେ ନାଁ ଥିଲା ଜଣେ ୮୨ ବର୍ଷୀୟା ବୃଦ୍ଧା ବିଲ୍‌କିସଙ୍କର, ଯାହାଙ୍କୁ ଏବେ ଶାହିନବାଗ୍‌ର ଦାଦି ଦାଦି ଭାବେ ସମସ୍ତେ ଜାଣନ୍ତି। ଏବେ ଏହି ବୃଦ୍ଧା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପରିଚୟ ହାସଲ କରିଛନ୍ତି। ଆମେରିକାର ପ୍ରସିଦ୍ଧ ମାଗାଜିନ୍‌ ‘ଟାଇମ୍‌’ ପ୍ରକାଶ କରିଥବା ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ବିଲକିସ୍‌ ଦାଦି ଅଛନ୍ତି। ତେବେ ଏହି ବୃଦ୍ଧା ଜଣକ କିଏ, କାହିଁକି ସେ ଏତେ ଚର୍ଚ୍ଚିତା? ଆସନ୍ତୁ ଜାଣିବା।

ସିଏଏ ବିରୋଧରେ ହୋଇଥିବା ପ୍ରଦର୍ଶନର ମୁଖ୍ୟ ଚେହେରା ଥିଲେ ବିଲ୍‌କିସ ଦାଦି

ସିଏଏ ବିରୋଧରେ ଦିଲ୍ଲୀ ଶାହିନ୍ ବାଗରେ ହୋଇଥିବା ଆନ୍ଦୋଳନରେ ବିଲକିସ୍ ଦାଦି ଜଣେ ଜଣାଶୁଣା ଚେହେରା ଥିଲେ। ପରିଣତ ବୟସରେ ମଧ୍ୟ କୌଣସି ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାକୁ ସେ ପଛାଇ ନ ଥିଲେ। ଏହି କାରଣରୁ ଲୋକମାନେ ତାଙ୍କୁ ପ୍ରଶଂସା କରୁଥିଲେ।

ବିଲ୍‌କିସ୍‌ ଦାଦି ଉତ୍ତରପ୍ରଦେଶ ବୁଲନ୍ଦସହର ବାସିନ୍ଦା। ପ୍ରାୟ ୧୧ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏବେ ସେ ପୁଅ ବୋହୂଙ୍କ ସହ ଶାହିନ୍ ବାଗରେ ରହୁଛନ୍ତି।

୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାଁ ଥିବାରୁ ବିଲ୍‌କିସ ଦାଦି ‘ଟାଇମ’ ମାଗାଜିନକୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ସାରାଜୀବନ ସେ ସିଏଏକୁ ବିରୋଧ କରିବେ ବୋଲି କହିଛନ୍ତି।

ଟୁଇଟରରେ ଶାହିନ ବାଗ୍‌ ଟ୍ରେଣ୍ଡ

‘ଟାଇମ୍’ ମାଗାଜିନ ଦ୍ୱାରା ଏହି ତାଲିକା ପ୍ରକାଶ ପାଇବା ପରେ ‘ଶାହିନ୍ ବାଗ’ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ବୟସରେ ବିଲକିସ୍ ଦାଦିଙ୍କ ସଂଘର୍ଷ ​​ଅତ୍ୟନ୍ତ ପ୍ରଶଂସନୀୟ ବୋଲି ୟୁଜର୍ସ କହିଛନ୍ତି।

୧୦୧ ଦିନ ଚାଲିଥିଲା ବିରୋଧ ପ୍ରଦର୍ଶନ

ସିଏଏ ବିରୋଧରେ ଶାହିନ୍ ବାଗରେ ପ୍ରାୟ ୧୦୧ ଦିନ ଧରି ବିରୋଧ କରାଯାଇଥିଲା। ଡିସେମ୍ବର ୨୦୧୯ଠାରୁ ଆରମ୍ଭ ହୋଇଥିବା ପ୍ରଦର୍ଶନ ୨୪ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଚାଲିଥିଲା। ହଜାର ହଜାର ସଂଖ୍ୟକ ଲୋକ ପ୍ରତିଦିନ ଏଠାରେ ଆନ୍ଦୋଳନ କରୁଥିଲେ। ଦିଲ୍ଲୀରେ କରୋନା ପ୍ରବେଶ କରିବା ପରେ ପୋଲିସ ଆନ୍ଦୋଳନ ସ୍ଥଳକୁ ଖାଲି କରି ଦେଇଥିଲା। ଆନ୍ଦୋଳନ ସମୟରେ ବିଲକିସ୍ ଦାଦି ପ୍ରତିଦିନ ହଜାର ହଜାର ମହିଳାଙ୍କ ସହ ଶାହିନ୍ ବାଗକୁ ଯାଉଥିଲେ ଏବଂ ପ୍ରଦର୍ଶନର ଏକ ଅଂଶ ହେଉଥିଲେ।

ଦୁନିଆ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୫ ଭାରତୀୟ

ତାଲିକାରେ ଥିବା ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଏଚ୍‌ଆଇଭି ଉପରେ ଗବେଷଣା କରୁଥିବା ଡାକ୍ତର ରବିନ୍ଦ୍ର ଗୁପ୍ତା ଅଛନ୍ତି।

Comment