ଭାସ୍କର ପରିଛା

ଓଡ଼ିଶା ଇତିହାସରେ ଗଡ଼ଜାତ ମିଶ୍ରଣ ଏକ ବିବାଦୀୟ ଅଥଚ ରୋମାଞ୍ଚକର ଅଧ୍ୟାୟ ହୋଇ ରହିଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତ ସହିତ ବିଭିନ୍ନ ଦେଶୀୟ ରାଜ୍ୟର ମିଶ୍ରଣ ପାଇଁ ଯେଉଁ ପରିଶ୍ରମ କରିଥିଲେ ତାହା ଭାରତର ପ୍ରାକ ସ୍ୱାଧୀନତା ସମୟର ଏକ ମଞ୍ଜୁଳ ଇତିହାସ ଭାବରେ ପରିଗଣିତ ହେଉଥିବାବେଳେ ଦେଶୀୟ ରାଜ୍ୟ ମିଶ୍ରଣରେ ସର୍ଦ୍ଦାର ପଟେଲଙ୍କ ଡାହାଣ ହାତ କୁହାଯାଉଥିବା ଭିପି ମେନନଙ୍କର ବି ଏଥିରେ ଉଲ୍ଲେଖନୀୟ ଅବଦାନ ଥିଲା।

ଇତିହାସ କହେ ଜୁନାଗଡ଼, ହାଇଦ୍ରାବାଦ ଓ କାଶ୍ମୀର ହାତକୁ ଆସିଯିବା ପରେ ଅବଶିଷ୍ଟ ରାଜ୍ୟମାନଙ୍କୁ ପାଲରେ ପକାଇବା ପାଇଁ ଉଭୟ ପଟେଲ ଓ ମେନନ ଅଣ୍ଟା ଭିଡ଼ିଥିଲେ। ଦେଶୀୟ ରାଜ୍ୟ ମିଶ୍ରଣ ସମୟରେ ଛତିଶଗଡ଼ ଏବଂ ଓଡ଼ିଶାର ରାଜାମାନେ କିନ୍ତୁ ଆଦୌ ଧରା ଦେଉନଥିଲେ। ୧୯୪୭ ଅଗଷ୍ଟ ପହିଲାରେ ଏହି ଦୁଇ ରାଜ୍ୟର ରାଜାମାନେ ବସି ଏପରିକି  ପୂର୍ବାଞ୍ଚଳ ରାଜ୍ୟ ସଙ୍ଘ ବା Eastern States Union ଗଠନ ପାଇଁ ନିଷ୍ପତ୍ତି ନେଲେ। ସ୍ୱାଧୀନତା ସମୟ ପାଖେଇ ଆସୁଥିବାରୁ ପଟେଲ ଓ ମେନନ ଛତିଶଗଡ଼ ଏବଂ ଓଡ଼ିଶାର ମିଶ୍ରଣ ନେଇ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ।ଯଦି ଏହି ଦୁଇଟି ରାଜ୍ୟ ଭାରତ ସହ ମିଶିଯାଆନ୍ତି ସବୁ କିଛି ସମାଧାନ ହୋଇଯିବ ବୋଲି ପଟେଲ ଓ ମେନନ ବୁଝିଥିଲେ।

ଯଦିଓ ରାଜା ମହାରାଜା ମାନଙ୍କ ହାତପାଣ୍ଠିକୁ ନେଇ ସମସ୍ୟା ଉପୁଜିଥିଲା, ପଟେଲ ଓ ମେନନ ଏଦିଗରେ କୋହଳ ମନୋବୃତ୍ତି ପୋଷଣ କରିଥିଲେ ଓ ରାଜ୍ୟ ମିଶ୍ରଣ ପାଇଁ ଯାହା ସମ୍ଭବ ତାହା କରିବା ପାଇଁ ପ୍ରସ୍ତୁତ ଥିଲେ।

ଜୁନାଗଡ଼ ଓ ହାଇଦ୍ରାବାଦରେ ସଫଳ ହେବା ପରେ ଦିଲ୍ଲୀରେ ଖବର ପହଁଚିଲା ଯେ ଓଡ଼ିଶା ଏବଂ ଛତିଶଗଡ଼ର ରାଜା ମାନଙ୍କ କ୍ଷେତ୍ରରେ ନୂଆ ସମସ୍ୟା ଦେଖାଦେଇଛି ଓ ସେମାନେ ଭାରତ ସହ ମିଶିବାକୁ ରାଜି ନୁହଁନ୍ତି। ପଟେଲ କିନ୍ତୁ ସଫା ସଫା ଶୁଣେଇଲେ ଯେ ଓଡ଼ିଆ ଭାଷା ଭାଷୀ ରାଜ୍ୟ ଓଡ଼ିଶା ସହିତ ଏବଂ ହିନ୍ଦୀ ଭାଷୀ ରାଜ୍ୟ କେନ୍ଦ୍ରୀୟ ପ୍ରଦେଶ ସହିତ ମିଶିବା ପାଇଁ ବାଧ ଓ ଏହାର ଆଉ କୌଣସି ବିକଳ୍ପ ପନ୍ଥା ନାହିଁ। ପଟେଲ ଓ ମେନନ ଚିନ୍ତା କରି ଦେଖିଥିଲେ ଯେ ଓଡ଼ିଶା ଏବଂ ଛତିଶଗଡ଼ରେ ଯଦି ତାଙ୍କ ଫର୍ମୁଲା ଫେଲ ମାରିଲା ତେବେ ଅନ୍ୟ ରାଜ୍ୟକୁ ଅକ୍ତିଆର କରିବା ସମ୍ଭବ ହେବ ନାହିଁ।

ଏହି ପରିସ୍ଥିତିରେ ମେନନଙ୍କୁ ତୁରନ୍ତ କଟକ ଆସିବା ପାଇଁ ପଟେଲ କହିଲେ। ୧୪ ଡିସେମ୍ବର ୧୯୪୭ ସକାଳ ୧୦ ଟାରେ କଟକରେ ବୈଠକ ଆରମ୍ଭ ହେଲା। ଆଠଗଡ଼,ବଡମ୍ବା, ଦଶପଲ୍ଲା, ହିନ୍ଦୋଳ,ଖଣ୍ଡପଡ଼ା, ଖରସୁଆଁ, ନୀଳଗିରି, ନରସିଂହପୁର, ପାଲଲହଡ଼ା, ତାଳଚେର, ରେଢ଼ାଖୋଲର ରାଜା ଏବଂ ରଣପୁରର ନାବାଳକ ରାଜା ଓ ରାଜମାତା ଦୁଇଟି ପର୍ଯ୍ୟାୟରେ ପଟେଲ ଓ ମେନନଙ୍କୁ ଭେଟିଲେ। ସର୍ଦ୍ଦାର ପଟେଲ ସେମାନଙ୍କୁ ବୁଝାଇ କହିଲେ ଯେ ସ୍ୱାଧୀନ ଭାରତ ସହିତ ମିଶିଯିବା ହିଁ ଆପଣମାନଙ୍କ ପାଇଁ ମଙ୍ଗଳ। ଭାରତ ସରକାରଙ୍କ ପ୍ରତିନିଧି ଭାବରେ ନୁହେଁ ଘରର ସଦସ୍ୟ ଭାବେ ମୁଁ କହୁଛି ଘରର ବିବାଦକୁ ଘର ଭିତରେ ସମାଧାନ କରିନେବା ଭଲ।

ତେବେ ଏହି ପ୍ରସ୍ତାବ ପଛରେ ପଟେଲଙ୍କ ଏକ ଚେତାବନୀ ବି ଥିଲା: ଯଦି ଆପଣଙ୍କ ପ୍ରଜାମାନେ ପରେ ଆପଣଙ୍କୁ ଗାଦିରୁ ତଡିଦେବେ ଆପଣମାନେ ଦିଲ୍ଲୀ ଆସି ଗୁହାରି କଲେ ଆମେ ଆଉ ଶୁଣିବୁ ନାହିଁ। ଏଥି ସହିତ କେତେ ହାତ ପାଣ୍ଠି ମିଳିବ ଓ ଅନ୍ୟ କ’ଣ ସବୁ ସୁବିଧା ମିଳିବ  ସେ କଥା ମଧ୍ୟ ସେମାନଙ୍କୁ ବୁଝାଇ ଦିଆଯାଇଥିଲା। ବୈଠକରେ ଉପସ୍ଥିତ ସବୁ ରାଜା ଏବିଷୟରେ ଚିନ୍ତା କରିବା ପାଇଁ ସମୟ ମାଗିଲେ। ଏଥିରେ ମେନନ ବିଜୟର ସଂକେତ ପାଇଥିଲେ।

ସେହି ଦିନ ସନ୍ଧ୍ୟାରେ ମିଶ୍ରଣ ଚୁକ୍ତିରେ ବଡ଼ ବଡ଼ ରାଜ୍ୟର ରାଜାମାନେ ଦସ୍ତଖତ କଲେ –  ଯଥା ବାମଣ୍ଡା, ବୌଦ୍ଧ, ଗାଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼ ଷଢ଼େଇକଳା ଓ ସୋନପୁର ପ୍ରଭୃତି। ତେବେ ମେନନ ଲକ୍ଷ୍ୟ କଲେ ତିନୋଟି ରାଜ୍ୟ ତାଙ୍କୁ ଅସୁବିଧାରେ ପକାଇପାରନ୍ତି – ମୟୁରଭଞ୍ଜ ,ଢେଙ୍କାନାଳ ଓ ପାଟଣା। ମୁଖ୍ୟତଃ ପାଟଣା ଓ ମୟୁରଭଞ୍ଜ ରାଜା ପଟେଲଙ୍କୁ ଗୁଡ଼େଇ ତୁଡ଼େଇ ବିଭିନ୍ନ ପ୍ରଶ୍ନ କରିଥିଲେ। ଦିନ ତମାମ ଆଲୋଚନା ଚାଲିବା ପରେ ରାତି ୧୦ଟାରେ ପାଟଣା ଓ ମୟୁରଭଞ୍ଜ ରାଜା ମେନନଙ୍କ ପାଖରେ ପୁଣି ଥରେ ପହଁଚିଲେ।

ସେମାନେ ନିଜ ଜିଦରେ ଅଟଳ ଥିବା ଦେଖି ମେନନ ଢେଙ୍କାନାଳ ରାଜାଙ୍କୁ ଅଲଗା ଡାକିଲେ ଓ କହିଲେ ଯଦି ଭାରତ ସହିତ ଆପଣ ନିଜେ ମିଶିଯାନ୍ତି ମୁଁ ଆପଣଙ୍କ ପାଇଁ ବିଶେଷ ଅର୍ଥ ବ୍ୟବସ୍ଥା କରିବି। ଯଦି ଆପଣ ମୋ କଥା ନଶୁଣନ୍ତି ଓ ଲୋକେ ଆପଣଙ୍କୁ ଗାଦିରୁ ହଟେଇ ଦିଅନ୍ତି ପରେ ମୁଁ ନାଲି ପଇସାଟି ବି ଦେବି ନାହିଁ। ଯଦି ଆପଣ  ରାଜି ପାଟଣା ଓ ମୟୁରଭଞ୍ଜ ରାଜାଙ୍କୁ ସେହି କଥା ବୁଝାନ୍ତୁ।

ଢେଙ୍କାନାଳ ରାଜା ଲୋକଙ୍କ ପାଖରେ ଅତି ଅପ୍ରିୟ ହୋଇ ପଡ଼ିଥିବାରୁ ସେ ଗାଦିକୁ ନେଇ କିଛି ଆଶଙ୍କା କରୁଥିଲେ। ଏଣୁ ସେ ମିଶିବା ପାଇଁ ରାଜି ହୋଇଗଲେ। ଢେଙ୍କାନାଳ ମିଶିବା ଖବର ପାଇବା ପରେ ପାଟଣା ଓ ମୟୁରଭଞ୍ଜ ରାଜା ଏହା ସତ୍ୟ କି ବୋଲି ମେନନଙ୍କୁ ପଚାରିଲେ।ମେନନଙ୍କ ଜବାବ ଥିଲା ଯଦି ଆପଣ ଦିହେଁ ବି ଚୁକ୍ତିରେ ଦସ୍ତଖତ ନ କରୁଛନ୍ତି ଆପଣ କଟକରେ ହିଁ ରହିବେ। ମୁଁ ଫୋର୍ସ ମଗାଉଛି, ଆପଣଙ୍କ ରାଜ୍ୟକୁ ଅଧିକାର କରିବାକୁ ମୋତେ ବେଶି ସମୟ ଲାଗିବ ନାହିଁ। ମେନନ ସ୍ପଷ୍ଟ ଶୁଣାଇଥିଲେ ଯେ ଓଡ଼ିଶା ପାଇଁ ଆପଣ ଆଉ ସମସ୍ୟା ସୃଷ୍ଟି କରିପାରିବେ ନାହିଁ। ଦସ୍ତଖତ କରନ୍ତୁ ନହେଲେ ଆମେ ଆମ କାମ କରିବୁ।

ମେନନଙ୍କ ଚେତାବନୀ ପରେ ରାତି ତମାମ ଦୁଇ ରାଜ୍ୟର ରାଜା ବସି ନିଜ ଭିତରେ ଆଲୋଚନା ଚଳାଇଲେ। ସକାଳ ହେଲା ପରେ ଦିହେଁ ମିଶ୍ରଣ ଚୁକ୍ତିର ସବୁ ଧାରା ଓ ଉପଧାରାକୁ ତନ୍ନ ତନ୍ନ ପଢି ଶେଷରେ ଚୁକ୍ତିରେ ଦସ୍ତଖତ କଲେ। ଏହା ଥିଲା ୧୫ ଡିସେମ୍ବର ୧୯୪୭ ଦିନ ଦଶଟା ବେଳର ଘଟଣା। ଏହି ଚୁକ୍ତି ସ୍ଵାକ୍ଷର ସହିତ ଓଡ଼ିଶାର ଦେଶୀୟ ରାଜ୍ୟ ମିଶ୍ରଣ ପର୍ବ ଶେଷ ହୋଇଥିଲା।

ଏ ସମସ୍ତ ରୋଚକ ବିଷୟର ଉଲ୍ଲେଖ ରହିଛି ଭିପି ମେନନଙ୍କ ଉପରେ ସଦ୍ୟ ପ୍ରକାଶିତ ଜୀବନୀ ‘ଦି ଅନସଙ୍ଗ ଆର୍କିଟେକ୍ଟ ଅଫ ମଡର୍ଣ୍ଣ ଇଣ୍ଡିଆ’ରେ। ଜୀବନୀଟି ଲେଖିଛନ୍ତି ବିଶିଷ୍ଟ ଇତିହାସବିତ ଓ ବୈଦେଶିକ ନୀତି ବିଶେଷଜ୍ଞ ନାରାୟଣୀ ବସୁ। ପାଞ୍ଚ ଶହ ପୃଷ୍ଠାର ଏହି ଜୀବନୀରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭିପି ମେନନଙ୍କ ଅସୀମ ତ୍ୟାଗର ବର୍ଣ୍ଣନା କରାଯାଇଛି। ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ‘ସିମନ ଓ ସୁଷ୍ଟର’ ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭିପି ମେନନ ମେ ଓ ଜୁଲାଇ ୧୯୫୧ ମଧ୍ୟରେ ଓଡ଼ିଶାର କାର୍ଯ୍ୟବାହୀ ରାଜ୍ୟପାଳ ବି ରହିଥିଲେ।

Comment