ଓଡ଼ିଶାଲାଇଭ୍‌ ବ୍ୟୁରୋ

 କଟକ: ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ଦୁଇ ସନ୍ଦିଗ୍ଧ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଚୀନରୁ ସିଙ୍ଗାପୁର ବାଟ ଦେଇ ପାରାଦୀପ ବନ୍ଦରକୁ ଆସିଥିବା ଏକ ଆମେରିକୀୟ ଜାହାଜରେ ନାବିକ ଥିବା ଜଣେ ଭାରତୀୟ ଓ ତାଙ୍କ ପତ୍ନୀ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଇଛି।

ପାରାଦୀପରେ ପ୍ରାଥମିକ ଚିକିତ୍ସା ପରେ ଆଜି ଉଭୟଙ୍କୁ କଟକସ୍ଥିତ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ଅନ୍ୟପକ୍ଷରେ, ଯେପର୍ଯ୍ୟନ୍ତ ରୋଗୀଙ୍କ ରକ୍ତ ପରୀକ୍ଷା ହୋଇ ରିପୋର୍ଟ ନ ବାହାରିଛି ସେ ପର୍ଯ୍ୟନ୍ତ ଏହାକୁ କୋରୋନା ସଂକ୍ରମଣ ବୋଲି ଭାବି ଲୋକେ ଭୟଭୀତ ନ ହେବାକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।

ଗତ ଫେବ୍ରୁଆରି ୧୦ ତାରିଖରେ ଚୀନର ଏକ ବନ୍ଦରରୁ କେମଷ୍ଟର୍ ଷ୍ଟେଲର୍ ନାମକ ଏକ ଆମେରିକୀୟ ଜାହାଜ ବାହାରି ୧୫ ତାରିଖରେ ଉତ୍ତର କୋରିଆରେ ପହଞ୍ଚିଥିଲା। ଏହାପରେ ଉକ୍ତ ଜାହାଜ ସିଙ୍ଗାପୁରର ଏକ ବନ୍ଦରରେ ଅଟକିଥିଲା। ପରେ ଏହି ଜାହାଜ ଗତ ୨୫ ତାରିଖରେ ସିଙ୍ଗାପୁରରୁ ବାହାରି ମାର୍ଚ୍ଚ ୧ ତାରିଖରେ ପାରାଦୀପ ବନ୍ଦରରେ ପହଞ୍ଚିଥିଲା। ମଙ୍ଗଳବାର ଦିନ ଗୋଟାଏ ବେଳକୁ ଜାହାଜ ପକ୍ଷରୁ ଜଣେ ଭାରତୀୟ ନାବିକଙ୍କ ଦେହ ଅସୁସ୍ଥ ଥିବା ନେଇ ବନ୍ଦର କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା। ଉକ୍ତ ନାବିକଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳରେ ଓ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ମଧ୍ୟ ଥିବା ଜଣାପଡ଼ିଥିଲା। ବନ୍ଦର ପକ୍ଷରୁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ଦ୍ୱାରା ଜାହାଜରେ ଥିବା ସମସ୍ତ ୨୪ ଜଣ ଜାହାଜ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ନାବିକଙ୍କ ଦେହରେ ଜ୍ୱର ଥିବା ଜଣାପଡ଼ିବା ପରେ ଉପଯୁକ୍ତ ସୁରକ୍ଷା ସରଞ୍ଜାମ ସହିତ ନାବିକଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ସହ ତାଙ୍କ ପତ୍ନୀଙ୍କର ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଇଥିଲା। ଯେହେତୁ ସେମାନେ ଚୀନ୍, ଉତ୍ତର କୋରିଆ ଭଳି ଦେଶ ଦେଇ ଆସିଛନ୍ତି। ତେଣୁ ସେମାନେ କୋରୋନା ଭାଇରସ୍ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଇଥିଲା। ଏହାପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇ ଦମ୍ପତିଙ୍କୁ ତୁରନ୍ତ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉପଯୁକ୍ତ ସୁରକ୍ଷା ସରଞ୍ଜାମର ବଳୟ ମଧ୍ୟରେ ନାବିକ ଓ ତାଙ୍କ ପତ୍ନୀଙ୍କୁ ଏସ୍‌ବି ସ୍ଥାନାନ୍ତର କରାଯାଇଥିଲା।

ଏ ନେଇ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ବନ୍ଦର ପ୍ରଶାସନିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ। ଏପରିକି ଜାହାଜକୁ ୧୫ ମିନିଟ୍ ପାଇଁ ବର୍ଥକୁ ଅଣାଯାଇ ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ ଅଣାଯିବା ପରେ ଜାହାଜକୁ ପୁଣି ଆଙ୍କରେଜ୍ ଏରିଆ ବାହାରକୁ ପଠାଇ ଦିଆଯାଇଛଇ। ଜାହାଜର କ୍ୟାବିନ୍ ଅଞ୍ଚଳକୁ ଷ୍ଟେରିଲାଇଜ୍ (ଜୀବାଣୁମୁକ୍ତ) କରାଯାଇଛି ବୋଲି ଶ୍ରୀ ରୟ ସୂଚନା ଦେଇଛନ୍ତି।

ସନ୍ଦିଗ୍ଧ ଦମ୍ପତିଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସନ୍ଧ୍ୟାଯାଏ ସ୍ଥିର ରହିଥିଲା। ଆସନ୍ତାକାଲି ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ସଂକ୍ରମଣ କଥା ସ୍ପଷ୍ଟ ହେବ ବୋଲି ଡାକ୍ତର ମନୋରଂଜନ ପଟ୍ଟନାୟକ କହିଛନ୍ତି।

Comment