ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଦିନ ପୂରଣ ଅବସରରେ ଅଯୋଦ୍ଧା ଗସ୍ତରେ ଯାଇଛନ୍ତି ଉଦ୍ଧବ ଠାକରେ। ତାଙ୍କ ସହ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଯାଇଥିଲେ। ଏହି ଗସ୍ତ ବେଳେ ସେ ରାମ ମନ୍ଦିର ନିର୍ମାଣ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି।

ଏନେଇ ଉଦ୍ଧବ ଠାକରେ କହିଛନ୍ତି, “ତୃତୀୟ ଥର ପାଇଁ ମୁଁ ଏଠାକୁ ଆସିଛି। ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ମୋ ପାଇଁ ସୌଭାଗ୍ୟର କଥା। ମୁଁ ବାରମ୍ଵାର ଏଠାକୁ ଆସିବି। ଆଳତି ଦର୍ଶନ କରିଥାନ୍ତି, ହେଲେ କୋରୋନା ଭାଇରସ୍‌ ଯୋଗୁଁ ଯାଇପାରୁନାହିଁ। ମହାରାଷ୍ଟ୍ରରୁ ଆସୁଥିବା ରାମ ଭକ୍ତଙ୍କ ରହିବା ପାଇଁ ଜମି ପ୍ରଦାନ କରିବାକୁ ମୁଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି।”

ଉଦ୍ଧବ ଠାକରେଙ୍କ ଏହି ଗସ୍ତ ସମୟରେ ବିରୋଧ କରୁଥିବା ସନ୍ଥ, ମହନ୍ତ ଓ ହିନ୍ଦୁ ମହାସଭା ଜିଲ୍ଲା ଅଧ୍ୟକ୍ଷଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା। ରାମଙ୍କ ଦର୍ଶନ ପରେ ଉଦ୍ଧବ ସରୟୁ ନଦୀରେ ହେବାକୁ ଥିବା ଆଳତୀରେ ଯୋଗ ଦେଇଥାନ୍ତେ, ହେଲେ କୋରୋନା ଭାଇରସ ଯୋଗୁଁ ତାଙ୍କୁ କୌଣସି ସଭା ସ୍ଥଳକୁ ଯିବାକୁ ବାରଣ କରାଯାଇଛି।

ଏହାପୂର୍ବରୁ ଜୁନ୍‌ ୨୦୧୯ରେ ଉଦ୍ଧବ ଠାକରେ ଆଯୋଦ୍ଧା ଯାଇ ଭଗବାନ ରାମଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ୧୮ ଜଣ ଶିବସେନା ସାଂସଦ ମଧ୍ୟ ଯାଇଥିଲେ।

Comment