ଓଡ଼ିଶାଲାଇଭ୍ ବ୍ୟୁରୋ

“ସୁସ୍ଥ ଲୋକମାନେ ମୁହଁରେ ମାସ୍କ ପିନ୍ଦିବାର କୌଣସି ଆବଶ୍ୟକତା ନାହିଁ। କେବଳ ଯେଉଁମାନଙ୍କର ଥଣ୍ଡା, କାଶ ଓ ଛିଙ୍କ ହେଉଛି ସେହିମାନେ ହିଁ ମାସ୍କର ବ୍ୟବହାର କରନ୍ତୁ”, ଲୋକମାନଙ୍କୁ କୋରୋନା ଭାଇରସ ସମ୍ପର୍କରେ ପରାମର୍ଶ ଦେଇ ଏପରି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ରବିବାର ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କୋରୋନା ଭାଇରସକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଲୋକମାନେ କୋରୋନା ଭାଇରସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ସରକାର ଏଥିପ୍ରତି ସଜାଗ ଅଛନ୍ତି। ଯଦି ଆପଣଙ୍କ ସ୍ୱାସ୍ଥ୍ୟରେ ସେଭଳି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେ କହିଛନ୍ତି।

ସେହିପରି ଛିଙ୍କ୍, କାଶ ହେବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ସେ କହିଛନ୍ତି। ନିୟମିତ ହାତକୁ ସାବୁନରେ ଧୋଇବା ସହିତ ଏହାକୁ ପରିଷ୍କାର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ସାରା ଦେଶରେ କୋରୋନା ଭାଇରସକୁ ନେଇ ଆତଙ୍କ ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ କୋରାନ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଥିବା ଜଣାପଡ଼ିଛି। ରବିବାର କେରଳରେ ଆଉ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ବୋଲି ସୂଚନା ରହିଛି।

Comment