ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଏଥର ରାଜ୍ୟସଭା ନିର୍ବାଚନରେ ବିଜେପି କି କଂଗ୍ରେସ ପ୍ରାର୍ଥୀ ଦେବେ ନାହିଁ।

ଆସନ୍ତା ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଶାସକ ବିଜୁ ଜନତା ଦଳ ସମସ୍ତ ଚାରୋଟି ଆସନ ହାତେଇବା ଏକ ରକମ ନିଶ୍ଚିତ ଦେଖାଯାଉଛି। ରବିବାର ଦିନ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ଯେ, ତାର  ବିଧାୟକମାନେ ଏହି  ନିର୍ବାଚନରେ ଭାଗ ନେବେ ନାହିଁ। ଏଣୁ ବିଜେଡିର ଜିତିବା ସ୍ପଷ୍ଟ ହୋଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, କଂଗ୍ରେସ ନା ବିଜେଡି ନା ବିଜେପି କାହାର ପ୍ରାର୍ଥୀକୁ ତାଙ୍କ ଦଳ ସମର୍ଥନ ଦେବ। ଯେହେତୁ କଂଗ୍ରେସ ଦଳର କେହି ପ୍ରାର୍ଥୀ ହୋଇନାହାନ୍ତି, କଂଗ୍ରେସର ବିଧାୟକ ସେଇଥି ପାଇଁ ଭୋଟରେ ଅଂଶ ଗ୍ରହଣ କରିବାର ଆବଶ୍ୟକ ନାହଁ ବୋଲି ପଟ୍ଟନାୟକ କହିଥିଲେ। ବିଧାନସଭାରେ କଂଗ୍ରେସର ମାତ୍ର ୯ ବିଧାୟକ ଅଛନ୍ତି।

ଭୋଟଦାନରୁ ବିରତ ରହିବ ବୋଲି କଂଗ୍ରେସ ଘୋଷଣା କରିବା ପରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ରାଜ୍ୟସଭା ନିର୍ବାଚନର ବୈଧ ଭୋଟ ସଂଖ୍ୟା ୧୩୮କୁ ଖସି ଆସିଛି। ବିଜେଡିର ୧୧୩ ବିଧାୟକ ଥିବା ହେତୁ ପ୍ରତି ଆସନ ପାଇଁ ୨୮ଟି ଭୋଟ ଦରକାର ପଡିବ ଯାହାକି ସହଜରେ ହାସଲ କରିହେବ।

ଏଣେ ବିଜେପିର ମାତ୍ର ୨୩ ଜଣ ସଦସ୍ୟ ଅଛନ୍ତି। ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ  ଘୋଷଣା କରାଯାଇନାହିଁ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, କେନ୍ଦ୍ର ପାର୍ଲାମେଣ୍ଟାରୀ ବୋର୍ଡ ଏ ସମ୍ପର୍କରେ ଶେଷ ନିଷ୍ପତ୍ତି ନେବ। ବର୍ତ୍ତମାନ କଥା ହେଉଛି ଯଦି ବିଜେପି କଂଗ୍ରେସକୁ ଚୁପ କରିଦେଇପାରିଲା, ୨୬ ନିର୍ବାଚନରେ ବିଜେଡି ଭୋଟକୁ ମଧ୍ୟ ବିଜେପି ଏପଟ ସେପଟ କରିଦେଇପାରିବ କି?

ସତ କହିଲେ, ବିଜେଡି ପକ୍ଷରୁ ତରବରିଆ ଭାବରେ ୪ ପ୍ରାର୍ଥୀଙ୍କ ନାମ ଘୋଷଣା ପଛରେ ଗୋଟିଏ ବଡ଼ କାରଣ ଥିଲା ସମର୍ଥନ ଭିକ୍ଷା ପାଇଁ ବିଜେପିକୁ କୌଣସି ସୁଯୋଗ ଯେମିତି ନମିଳେ। ନବୀନ ଏକଥା ମଧ୍ୟ ଜଣାଇବାକୁ ଚାହିଁଲେ ଯେ ତାଙ୍କୁ ବିଜେପି ନାକତଳ ଗଡ଼ିଆ ବୋଲି ନଭାବୁ। ୨୦୧୯ ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇବା ପାଇଁ ବିଜେଡି ଯେମିତି ବାଧ୍ୟ ହେଲା, ଏଥର ସେଭଳି ନହେଉ ସେଇଥି ପାଇଁ ଯଥେଷ୍ଟ ଆଗରୁ ନବୀନ ନିଜ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରପକାଇିଥିଲେ।

ମନେ ପକାଇ ଦିଆଯାଇ ପାରେ ଯେ, ଗତ ଜୁଲାଇ ନିର୍ବାଚନରେ ବିଜେଡି ତାର ତୃତୀୟ ପ୍ରାର୍ଥୀ ସହଜରେ ଦେଇ ପାରିଥାନ୍ତା। କିନ୍ତୁ ଅଶ୍ୱିନୀ ବୈଷ୍ଣବ ପଶି ଆସିବା କାରଣରୁ ନବୀନ ବିଜେପିକୁ ଅଗତ୍ୟା ସମର୍ଥନ ଜଣାଇଥିଲେ। ଏଥର ଗୋଟିଏ ମାଡ଼ରେ ଚାରି ଜଣଙ୍କ ନାମ ଘୋଷଣା କରି ନବୀନ ଏହି ଧାରଣାକୁ ମଧ୍ୟ ଏଡ଼ାଇବା ପାଇଁ ଚାହିଁଲେ ଯେ ବିଜେଡି ବିଜେପି ଆଦୌ ଭାଇ ଭାଇ ନୁହଁନ୍ତି।

ତେଣେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁ ୪ ଜଣଙ୍କ ନାମ ଘୋଷଣା କରିଛନ୍ତି ତାହାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି। ପୂର୍ବତନ କଂଗ୍ରେସ ନେତା ହବିବୁଲା ଖାଁଙ୍କ ପୁତୁରା ମୁନ୍ନା ଖାଁଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରି ନବୀନ ମୁସଲିମ ସମ୍ପ୍ରଦାୟର ମନ କିଣିବା ପାଇଁ ଗୋଟି ଚାଳନା କରିଥିଲେ ବୋଲି ଆଲୋଚନା ହେଉଛି। ପାର୍ଲାମେଣ୍ଟରେ ସିଏଏ ବିଲକୁ ସମର୍ଥନ ଜଣାଇବା ପରେ ଓଡ଼ିଶାର ମୁସଲିମ ଲୋକଙ୍କ ଭିତରେ ଯେଉଁ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଥିଲା ତାହାକୁ ଦୂର କରିବା ପାଇଁ ମୁନ୍ନାଙ୍କୁ ପ୍ରାର୍ଥୀ କରାଗଲା ବୋଲି କୁହାଯାଉଛି।

ସମଗ୍ର ଦେଶରେ ଯେତେବେଳେ ସିଏଏ କୁ ନେଇ ପ୍ରତିବାଦ ଚାଲିଥିଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ଓଡ଼ିଶାରେ ଏନଆରସି ହେବ ନାହିଁ ଓ ମୁସଲିମମାନେ ନିଜକୁ ଅସୁରକ୍ଷିତ ମଣିବାର କୌଣସି କାରଣ ନାହିଁ।ନବୀନଙ୍କ ଏହି ପ୍ରତିଶୃତି ସତ୍ତ୍ୱେ ରାଜ୍ୟରେ ସିଏଏ ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଣୁ ପୁଣି ଥରେ ମୁସଲିମମାନଙ୍କୁ ନିଶ୍ଚିତ କରିବା ପାଇଁ ମୁନ୍ନା ଖାଁଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଗଲା ବୋଲି ଚର୍ଚ୍ଚା ହେଉଛି।

ଠିକ ସେହିଭଳି ମମତା ମହନ୍ତଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ କରି ନବୀନ ମୟୂରଭଞ୍ଜ ଜିଲ୍ଲାରେ କୁଡୁମି ସମ୍ପ୍ରଦାୟର ଭୋଟକୁ ପୁଣି ହାତେଇବା ସକାଶେ ଉଦ୍ୟମ ଆରମ୍ଭ କରିଛନ୍ତି। ମମତା କୁଡୁମି ସମ୍ପ୍ରଦାୟର ଜଣେ ନେତ୍ରୀ। ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ ଜିଲ୍ଲାରେ ବିଜେପି ବିଜେଡି ଭୋଟକୁ ନେଇ ପଳାଇଯିବା ପରେ ଭବିଷ୍ୟତରେ ତାହାକୁ ଅଟକାଇବା ପାଇଁ ମହନ୍ତଙ୍କୁ ପ୍ରାର୍ଥୀ କରାଯାଇଥିବା କଥା କୁହାଯାଉଛି।

ଓଡ଼ିଶାରେ କୁଡୁମି ଓବିସି ସମ୍ପ୍ରଦାୟର ପ୍ରାୟ ୨୫ ଲକ୍ଷ ଭୋଟର ଅଛନ୍ତି ଓ ଏମାନେ ମୁଖ୍ୟତଃ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦଡଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବାସ କରନ୍ତି। ମୟୂରଭଞ୍ଜ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ କୁଡୁମିମାନେ ପ୍ରାୟତଃ ବିଜେପିକୁ ହିଁ ଭୋଟ ଦେଇ ଆସିଛନ୍ତି ଓ ବିଗତ କିଛି ବର୍ଷ ମଧ୍ୟରେ ସେମାନଙ୍କର ସମର୍ଥନରେ ହିଁ ବିଜେପି ଏହି ଜିଲ୍ଲାମାନଙ୍କରେ ତାର କାୟା ବିସ୍ତାର କରି ପାରିଛି।

Comment