ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାମାନେ ମଶାଣି ଯିବା ମନା ଓ ବାପା, ମା’ଙ୍କୁ ଝିଅ ମୁଖାଗ୍ନି ଦେବା ମନା। ଏଭଳି ଏକ ପ୍ରଥା ଏବେ ବି ଆମ ସମାଜରେ ରହିଛି। ହେଲେ ଏହି ପ୍ରଥାରୁ ବାହାରି ମହିଳାମାନେ ଶବକୁ କାନ୍ଧେଇ ମଶାଣି ନେଇଛନ୍ତି ଓ ଝିଅ ବାପାଙ୍କୁ ମଖାଗ୍ନି ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ବରଗଡ଼ ଉପକଣ୍ଠସ୍ଥ ଅମ୍ବାପାଲି ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା।।

ବଲାଙ୍ଗିର ଜିଲ୍ଲାର ଲକ୍ଷ୍ମଣ କୁଅଁର ଅମ୍ବାପାଲିରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ମାର୍ଚ୍ଚ ୨ ତାରିଖରେ ଏକ  ଦୁର୍ଘଟଣାରେ ସେ ଗୁରୁତର ହୋଇପଡ଼ିଥିଲେ ଲକ୍ଷ୍ମଣ। ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା। ଶନିବାର ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଶବ ଅମ୍ବାପାଲି ଅଣାଯାଇଥିଲା।

ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟରେ ପରିବାର ଭାଙ୍ଗି ପଡ଼ିଥିଲା। ଶେଷକୃତ୍ୟ କିପରି କରାଯିବ ସେ ନେଇ ଚିନ୍ତିତ ଥିଲେ ପରିବାର। ଏକଥା ଜାଣି ବରଗଡ଼ ଡାକ୍ତରଖାନା ବଞ୍ଚାଅ ଅଭିଯାନର ମହିଳାମାନେ ତାଙ୍କ ଘରକୁ ଆସି ସମସ୍ତ ନୀତିନିୟମ, ପରମ୍ପରା ଓ ସଂସ୍କାରକୁ ଭୁଲି ଯାଇ ଶବ କାନ୍ଧେଇ ମଶାଣି ନେଇ ଥିଲେ। ଜୁଇ ପାଇଁ କାଠ, ଘିଅ ଆଦି ମଧ୍ୟ ମହିଳାମାନେ ଯୋଗାଡ଼ କରିଥିଲେ। ଲକ୍ଷ୍ମଣଙ୍କ ବଡ଼ ଝିଅ ମନିଷା ମୁଖାଗ୍ନି ଦେଇଥିଲେ।

Comment