ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟର ସମସ୍ତ ସ୍କୁଲରେ ପେପର ସାବୁନ ବଣ୍ଟନ କରାଯିବ। ଏନେଇ ଗୁରୁବାର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଏହାସହ ଆଜି କ୍ୟାପିଟାଲ ହାଇସ୍କୁଲ ଓ କ୍ୟାପିଟାଲ ହସ୍ପିଟାଲ ଯାଇ ମନ୍ତ୍ରୀ କୋରୋନା ପାଇଁ ସଚେତନର ବାର୍ତ୍ତା ଦେବା ସହ ପେପର ସାବୁନ ବାଣ୍ଟିଛନ୍ତି।

ଗୁରୁବାର କୋରୋନାକୁ ନେଇ ସଚେତନ କରିବା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲ ଓ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ ଗଣଶିକ୍ଷାମନ୍ତ୍ରୀ। ଏହି ଅବସରରେ ସେ ରାଜ୍ୟର ସମସ୍ତ ସ୍କୁଲରେ ପେପର ସାବୁନ ବଣ୍ଟନ କରାଯିବ ବୋଲି କହିଛନ୍ତି।

ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, କୋରୋନାର ମୁକାବିଲା କରିବା ପାଇଁ ସ୍ୱଚ୍ଛତା ନିହାତି ଆବଶ୍ୟକ। ଏଥିପାଇଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସଚେତନ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଶିକ୍ଷା ଦିଆଯିବା ସହ ସେମାନଙ୍କୁ ପେପର ସାବୁନ ଯୋଗାଇ ଦିଆଯିବ।

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ୧୬ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।  କୋରୋନା ମୁକାବିଲା କରିବା ପାଇଁ ରାଜ୍ୟସରକାର ବିଭିନ୍ନ ସ୍ତରରୁ ସଚେତନମୂଳକ ପଦକ୍ଷେପ ନେଉଛନ୍ତି।

Comment