ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ ଯୋଗୁଁ ବିଶ୍ୱର ବହୁ ଦେଶ ଭିତରେ ସମ୍ପର୍କ ତୁଟି ଯାଇଥିବା ବେଳେ ଥାଇଲାଣ୍ଡରୁ ଏକ ଗମ୍ଭୀର ଖବର ଆସୁଛି। ଏହି ଘଟଣାଟି ଏବେ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି। ଖବର ଅନୁସାରେ ଗୋଟିଏ କଦଳୀକୁ ନେଇ ଶହ ଶହ ମାଙ୍କଡ଼ ପରସ୍ପର ମଧ୍ୟରେ ପିଟାପିଟି ହେବା ଲକ୍ଷ୍ୟ କରାଯାଇଥିଲା। ଯେମିତି ଗ୍ୟାଙ୍ଗୱାରରେ ଆମେ ଦେଖୁ ମାଙ୍କଡ଼ମାନେ ବି ଠିକ ସେହିଭଳି ଆଚରଣ ପ୍ରଦର୍ଶନ କରିଥିବା ଏହି ଚିତ୍ରରେ ଦେଖାଯାଇଛି। ଲଢ଼େଇର କାରଣ କ’ଣ ଜାଣନ୍ତି? ଖାଦ୍ୟ। ତାହା ପୁଣି ଖଣ୍ଡିଏ କଦଳୀକୁ ନେଇ।

କୁହାଯାଉଛି ଏହି ଘଟଣା ଥାଇଲାଣ୍ଡର ଲ୍ୟାପ ବୁରୀ ଜିଲ୍ଲାରେ ନିକଟରେ ଘଟିଥିଲା। ଏହି ସ୍ଥାନକୁ ବିଶ୍ୱର ବହୁ ଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ତେବେ କରୋନା ଭୟ ଯୋଗୁଁ ପର୍ଯ୍ୟଟକଙ୍କ ଆସିବା ପୂରା ବନ୍ଦ ହୋଇଯାଇିଛି। ଏହି ପରିସ୍ଥିତିରେ ମାଙ୍କଡ଼ମାନଙ୍କୁ ଖାଇବା ପାଇଁ ଆଉ କିଛି ମିଳୁନାହିଁ। ମାଙ୍କଡ଼ମାନେ ପରସ୍ପର ମଧ୍ୟରେ ଲଢ଼ୁଥିବାର କାରଣ ଏହି ଖାଦ୍ୟ ନମିଳିବା।

ଗୋଟିଏ ମାଙ୍କଡ଼ ହାତରେ କୌଣସି ପ୍ରକାର କଦଳୀଟିଏ ପଡ଼ିଗଲା। ଏହାକୁ ପାଇବା ପାଇଁ ସେମାନଙ୍କ ଭିତରେ ମରାମରି ଆରମ୍ଭ ହୋଇଗଲା। ଏହି ଛଡ଼ାଛଡ଼ି ଓ ପିଟାପିଟିରେ ସ୍ଥାନୀୟ ଲୋକମାନେ ବି ଭୟଭୀତ ହୋଇ ଯାଇଥିଲେ। ସେଠାକାର ଜଣେ ବାସିନ୍ଦା ରତନଛାଇଙ୍କ କହିବା ଅନୁଯାୟୀ, ସେ ସେଠି ବହୁ ବର୍ଷ ଧରି ରହୁଛନ୍ତି। କିନ୍ତୁ ଖଣ୍ଡିଏ ମାତ୍ର କଦଳୀ ପାଇଁ ମାଙ୍କଡ଼ଙ୍କ ଭିତରେ ଏଭଳି ପିଟାପିଟି ଘଟଣା ସେ କେବେ ଦେଖିନଥିଲେ।

ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେଠି ଗୋଟିଏ ମନ୍ଦିର ଅଛି। ଏହି ମନ୍ଦିରକୁ ଯେତେବେଳେ ଶ୍ରଦ୍ଧାଳୁ ଆସନ୍ତି ଦୋକାନରୁ କିଣି ମାଙ୍କଡ଼ମାନଙ୍କୁ ଖାଇବା ଦେଇଥାନ୍ତି। କିନ୍ତୁ କୋରୋନା ଭାଇରସ ଆତଙ୍କ କାରଣରୁ ଏଠାକୁ ଆଉ ପର୍ଯ୍ୟଟକ ଆସୁନାହାନ୍ତି। ଯାହା ଫଳରେ ମାଙ୍କଡ଼ମାନେ ଖାଇବାକୁ ନପାଇ ଡହଳ ବିକଳ ହେଉଛନ୍ତି। ଯଦି କିଛି ଟିକିଏ ମିଳିଗଲା ସମସ୍ତେ ସେଥିରୁ କିଛି ପାଇବା ସକାଶେ ଝଗଡ଼ା ଆରମ୍ଭ କରି ଦେଉଛନ୍ତି।

ଥାଇଲାଣ୍ଡର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭର କରିଥାଏ। କୋରୋନା ଯୋଗୁଁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯାଇଥିବାରୁ ଏହା ସେ ଦେଶର ଅର୍ଥନୀତି ଉପରେ ବି ସାଙ୍ଘାତିକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

Comment