ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ହାତ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥାନ୍ତି। ଏବେ କରୋନା ଭାଇରସ ସଂକମ୍ରଣ ହେଉଥିବାରୁ ନିଜ ହାତକୁ ସଫା ରଖିବା ଆହୁରି ଜରୁରୀ ହୋଇପଡ଼ିଛି। ବିଶ୍ୱବ୍ୟାପୀ ମହାମାରୀ ସମୟରେ ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସବୁଠାରୁ ସହଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସାବୁନ୍ ଏବଂ ପାଣିରେ ବାରମ୍ବାର ହାତ ଧୋଇବା।

କିପରି ସଠିକ୍ ଉପାୟରେ ହାତ ଧୋଇବେ କେତେବେଳେ ହାତ ଧୋଇବା ଜରୁରୀ ତାହା ମଧ୍ୟ ଜାଣିବା ଆବଶ୍ୟକ।

 ୧- ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ହାତ ଧୋଇଲା ବେଳେ ଆଲକହଲ ଯୁକ୍ତ ସାବନ, ହ୍ୟାଣ୍ଡ ଓ୍ୱାସ ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।

୨- ଅନ୍ତତଃ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।

୩- ହାତ ଧୋଇଲା ବେଳେ ପ୍ରଥମେ ଓଦା ହାତ କରି ପରେ ହାତରେ ସାବୁନ ଲଗାନ୍ତୁ। ହାତରେ ଯଥେଷ୍ଟ ପରିମାଣର ସାବୁନ ଲଗାନ୍ତୁ, ଯେପରି ଏହା ବିଭିନ୍ନ ଅଂଶରେ ପହଞ୍ଚି ପାରିବ।

୪- ହାତ ଭଲ ଭାବେ ଧୁଅନ୍ତୁ।

୫- ହାତକୁ ପରିଷ୍କାର କପଡ଼ାରେ ବା ରୁମାଲରେ ପୋଛନ୍ତୁ।

ସେହିପରି କେତେବେଳେ ହାତ ଧୋଇବା ତାହା ଜାଣିବା ମଧ୍ୟ ଜରୁରୀ। ନାକ ପୋଛିବା ପରେ, କାଶିବା ବା ଛିଙ୍କିବା ପରେ, ସର୍ବ ସାଧାରଣ ସ୍ଥାନରୁ ଆସିବା ପରେ ଆପଣ ନିଜ ହାତକୁ ଧୋଇବା ଜରୁରୀ। ସେହିପରି କାହାଠୁ ପଇସା ନେବା ଆଣିବା ସମୟରେ କୌଣସି ଜିନିଷକୁ ଧରିବା ପରେ, ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବା ପୂର୍ବରୁ ଏବଂ ପରେ ମଧ୍ୟ ଆପଣ ନିଶ୍ଚୟ ହାତ ଧୋଇବା ଉଚିତ।

ଖାଇବା ପୂର୍ବରୁ ଖାଇବା ପରେ, ଶୌଚାଳୟରୁ ଆସିବା ପରେ, ପଶୁ ଏବଂ ଗୃହ ପାଳିତଙ୍କୁ ଛୁଇଁବା ପରେ, ଶିଶୁଙ୍କ ଡାଏପର ବଦଳେଇବା ପରେ ହାତ ଧୋଇବା ନିହାତି ଜରୁରୀ। କାରଣ ବେଳେ ବେଳେ ହାତ ସଫା ଦେଖାଯାଇଥିଲେ ବି ହାତରେ ଜୀବାଣୁ ରହିଯାଆନ୍ତି।

Comment