ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତରେ ଆଉ ଏକ ଜୀବନ ନେଲା କରୋନା। ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଆଖି ବୁଜିଲେ ଜଣେ ୬୪ ବର୍ଷୀୟ ବ୍ୟକ୍ତି। ଏହା ଫଳରେ ଭାରତରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲା।

ମାର୍ଚ୍ଚ ୩ ତାରିଖରେ ବ୍ୟକ୍ତି ଜଣକ ଦୁବାଇରୁ ଭାରତ ଫେରିଥିଲେ। ଆସବାର ଠିକ୍‌ ଗୋଟିଏ ଦିନ ପରେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଦେଲା। ତେଣୁ ମାର୍ଚ୍ଚ ୪ ତାରିଖରେ ସେ କସ୍ତୁରବା ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିଲେ।

ରକ୍ତ ଏବଂ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠାଯିବା ପରେ ମାର୍ଚ୍ଚ ୫ ତାରିଖରେ ଆସିଥିଲା ତାଙ୍କ ରିପୋର୍ଟ। ଏଥିରେ ବାହାରିଥିଲା କରୋନା ପଜିଟିଭ୍‌।

ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଗତ ୧୨ ଦିନଧରି ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ମାର୍ଚ୍ଚ ୧୭ ତାରିଖରେ ଆଖି ବୁଜିଲେ ମହାରାଷ୍ଟ୍ରର ଏହି କରୋନା ଭାଇରସ୍‌ ଆକ୍ରାନ୍ତ।

ଏହା ପୂର୍ବରୁ ଭାରତରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। କର୍ଣ୍ଣାଟକ କୁଲବର୍ଗୀର ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସଂପୃକ୍ତ ବ୍ୟକ୍ତିଜଣକ ସାଉଦି ଆରବରୁ ଫେବ୍ରୁଆରି ୨୯ରେ ଭାରତକୁ ଫେରିଥିଲେ। ସେଠାରୁ ସେ କରୋନାରେ ସଂକ୍ରମିତ ହୋଇ ଆସିଥିବା କୁହାଯାଉଛି।

ସେହିପରି ଗତ ୧୩ ତାରିଖରେ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳାଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ସେ ତାଙ୍କ ପୁଅଠାରୁ ସଂକ୍ରମିତ ହୋଇଥିଲେ। ତାଙ୍କ ପୁଅ କିଛି ଦିନ ତଳେ ସୁଇଜରଲାଣ୍ଡ ଏବଂ ଇଟାଲି ବୁଲି ଯାଇଥିଲେ।

ତିନିରୁ ତିନି ଘଟଣାରେ କରୋନାରେ ଆଖି ବୁଜିଛନ୍ତି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ବୟସ୍କ ବ୍ୟକ୍ତି ବିଶେଷକରି ଯେଉଁମାନଙ୍କର ଅନ୍ୟ ଦୁରାରୋଗ୍ୟ ରହିଛି ସେମାନଙ୍କ କ୍ଷେତ୍ରରେ କରୋନା ମୃତ୍ୟୁର ଆଶଂକା ଅଧିକ।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ  ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଏହି ଭାଇରସର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନଥିବାରୁ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।

Comment