ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

“କରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ଆଗୁଆ ଅତ୍ୟାବଶ୍ୟକୀୟ ଜିନିଷ କିଣି ମହଜୁଦ ରଖିବା କିଛି ଆବଶ୍ୟକ ନାହିଁ।  ରାଜ୍ୟ ସରକାର ଆଗାମୀ ୩ ମାସ ପାଇଁ ସମସ୍ତ ପ୍ରକାର ପିଡିଏସ ସାମଗ୍ରୀ ମହଜୁଦ ରଖିଛନ୍ତି। ଏହାଛଡ଼ା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିଛି”, କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

କରୋନାକୁ ନେଇ ରାଜ୍ୟରେ ଭୟର ବାତାବରଣ ରହିଛି। ଏଭଳି ସ୍ଥିତିରେ ଲୋକଙ୍କୁ ବ୍ୟସ୍ତ ବିବ୍ରତ ନେହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ, ବଜାରରେ ମାସ୍କ ଓ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି। ଏଥିପାଇଁ ବଜାରରେ ଯଥେଷ୍ଠ ପରିମାଣରେ ମାସ୍କ ଓ ସାନିଟାଇଜର ଉପଲବ୍ଧ କରାଇବାକୁ ସମସ୍ତ ଜିଲ୍ଲାପାଳଙ୍କ ସେ ସହ ଆଲୋଚନା କରିଛନ୍ତି।

ସରକାର ଜାରି କରିଥିବା ସମସ୍ତ ନିର୍ଦ୍ଦେଶନାମାକୁ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ୫ରୁ ଅଧିକ ଲୋକ ଥିବା ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ। ନଚେତ୍ ମାସ୍କ ପିନ୍ଧିବା କିଛି ଆବଶ୍ୟକ ନାହିଁ। ଏହି ଜଟିଳ ପରିସ୍ଥିତିରେ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ସରକାର ସମସ୍ତ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। କରୋନା ସନ୍ଦିଗ୍ଧମାନଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment