ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ସ୍ଥଗିତ ନେଇ ଗାଇଡଲାଇନରେ ସୂଚନା ଦିଆଯାଇଛି। ବାହାଘର ଆଦି ଉତ୍ସବରେ ୫୦ରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରିବାକୁ ବାରଣ କରାଯାଇଛି। ଏହାସହ ଅତ୍ୟନ୍ତ ଜରୁରୀ ନଥିଲେ ସାମାଜିକ ଉତ୍ସବ ବନ୍ଦ ରଖିବାକୁ ଗାଇଡ଼ଲାଇନରେ ନିର୍ଦ୍ଦେଶ ଦିଆଯାଇଛି।

ସାମାଜିକ ଦୂରତା ଗାଇଡ଼ଲାଇନ ପାଇଁ ଏକ କମଟି ଗଠନ କରିଛନ୍ତି ରାଜ୍ୟ ସରକାର। କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଗାଇଡଲାଇନ କମିଟି ଗଠନ ହୋଇଛି।

ଏଣିକି ସାମାଜିକ ଦୂରତା ଆଳରେ କୌଣସି ସ୍ଥାନରେ ୧୪୪ ଧାରା ଲଗାଇବେନି ଜିଲ୍ଲାପାଳ କିମ୍ବା ପୋଲିସ। ଧାରା ୧୪୪ ପରିବର୍ତ୍ତେ ସାମାଜିକ ଲୋକଙ୍କୁ ସଚେତନତା କରିବେ ଉଭୟ ପୋଲିସ ଓ ଜିଲ୍ଲା ପ୍ରଶାସନ। ଆହାର କେନ୍ଦ୍ର, ଓମଫେଡ଼୍ ବୁଥରେ ହାତ ଧୋଇବାକୁ ଗାଇଡ଼ଲାଇନରେ ବାଧ୍ୟତାମୂଳକ କରାଯାଇଛି।

ବୃଦ୍ଧବୃଦ୍ଧାଙ୍କୁ ପିଡିଏସ ସାମଗ୍ରୀ ତାଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବେ ଜିଲ୍ଲା ପ୍ରଶାସନ। ପିଡିଏସ ପାଇଁ ବ୍ୟବହୃତ ପିଓଏସ ମେସିନକୁ ସାନାଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯାତ୍ରୀବାସୀ ବସକୁ ସାନିଟାଇଜ କରାଯିବ। ଯାତ୍ରୀମାନେ ବସରେ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରିବେ ସେନେଇ ତଦାରଖ କରାଯିବ।

ଏହାସହ ବ୍ୟାଙ୍କ, ପୋଷ୍ଟ ଅଫିସ, ଏଟିଏମରେ ଯଥାଶୀଘ୍ର ସାନିଟାଇଜ୍ ବ୍ୟବସ୍ଥା କରାଯିବ।

ଖାଦ୍ୟ ସାମଗ୍ରୀ, ସୁପରମାର୍କେଟ ତଥା ଗ୍ରୋସରୀ ଦୋକାନ ଖୋଲା ରହିବ। ତେବେ କୌଣସି ଷ୍ଟୋରରେ ୩୦ଜଣରୁ ଅଧିକ ଲୋକ ଯିବା ନେଇ କଟକଣା ଜାରି କରାଯାଇଛି। ଗାଇଡଲାଇନ କମିଟି ମୁଖ୍ୟ ଏପିସି ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବ୍ୟାପକ ସଚେତନମୂଳକ ପଦକ୍ଷେପ ନେଉଛନ୍ତି।

Comment