ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାର ଭୟାବହତା ଚାରିଆଡେ ଦେଖାଦେଇଥିବା ବେଳେ ଦୁଇଟି ଦେଶ ଏହି ଭୂତାଣୁ ଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସର୍ବଶେଷ ରିପୋର୍ଟ ଅନୁସାରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ  ଇଟାଲୀରେ ମୃତକଙ୍କ ସଂଖ୍ୟା ଚୀନର ପାଖାପାଖି ପହଞ୍ଚିଛି। ଅବଶ୍ୟ ଏକଥା ସତ ଯେ, ଉହାନ ସହରରୁ ପ୍ରଥମେ ସୃଷ୍ଟି ହୋଇଥିବା ଏହି ଭାଇରସ ସମଗ୍ର ଦୁନିଆକୁ ହଲାଇ ଦେଇଛି।

ତେବେ ଇଟାଲୀର ହିଁ ସର୍ବାଧିକ କ୍ଷତି ହୋଇଛି। ଯଦି ଏସିଆ ମହାଦେଶରେ ଚୀନ ଉପରେ କରୋନା ଭାଇରସ ଦାଉ ସାଧିଛି, ୟୁରୋପରେ ସେହିଭଳି ଇଟାଲୀ ଏହି ଭାଇରସର କେନ୍ଦ୍ର ସ୍ଥଳ ହୋଇ ରହିଛି। ପ୍ରାୟ ୮ ହଜାର କିଲୋମିଟର ଦୂରତାରେ ଥିବା  ଇଟାଲୀ କାହିଁକି  ଚୀନ ଭାଇରସର ଶିକାର ହେଲା ଓ କିଭଳି ଏହି ଭୂତାଣୁ ସେଠାକୁ ବ୍ୟାପିଲା ତାର ଏକ ରୋମାଞ୍ଚକର ତଥ୍ୟ ଏବେ ସାମ୍ନାକୁ ଆସିଛି। ଚୀନ କନେକ୍ସନ ହିଁ ଇଟାଲୀକୁ ଘାଟାରେ ପକାଇଲା ବୋଲି କୁଯଯାଉଛି।

ସାଧାରଣତଃ, ଇଟାଲୀର ଉତ୍ତର ଭାଗ ଫେସନ ଓ ଗାର୍ମେଣ୍ଟ  ଇଣ୍ଡଷ୍ଟ୍ରି ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ପ୍ରତିଷ୍ଠିତ ବ୍ରାଣ୍ଡ ଯଥା ଗୁଚୀ ଓ ପ୍ରାଡ଼ାର ଜନ୍ମ ସ୍ଥାନ ହେଉଛି ଇଟାଲୀ। ଯେହେତୁ ଚୀନ ସବୁଠୁ ଶସ୍ତାରେ ମ୍ୟାନୁଫେକଚରିଙ୍ଗ ସୁବିଧା ଯୋଗାଇ ଦେଇଥାଏ, ସେଥିପାଇଁ ଇଟାଲୀର ଅଧିକାଂଶ ଫ୍ୟାସନ ବ୍ରାଣ୍ଡ ଚୀନ ସହିତ ମିଶି ଗାର୍ମେଣ୍ଟ ଉତ୍ପାଦନ କରିଥାନ୍ତି। ଇଟାଲୀର ଫ୍ୟାସନ କମ୍ପାନିମାନେ ଚୀନର ଶସ୍ତା କାରିଗର ମାନଙ୍କୁ ଆଣି କାମରେ ଲଗାଇଥାନ୍ତି। ଇଟାଲୀରେ ନିୟୋଜିତ ଅଧିକାଂଶ ପୋଷାକ କାରିଗର ହେଉଛନ୍ତି ଉହାନର ନାଗରିକ।

ଖାଲି ସେତିକି ନୁହେଁ, ଉହାନ ସହରକୁ ଇଟାଲୀର ବିଭିନ୍ନ ଏୟାରପୋର୍ଟରୁ ସିଧାସଳଖ ଫ୍ଲାଇଟ ବି ଅଛି। ଇଟାଲୀର ବିଭିନ୍ନ ଗାର୍ମେଣ୍ଟ ଫ୍ୟାକ୍ଟ୍ରିରେ କୁଆଡ଼େ ଲକ୍ଷେରୁ ଅଧିକ ଚୀନ କାରିଗର କାମ କରୁଛନ୍ତି। ଏପରିକି ଉହାନର ନାଗରିକମାନେ ଇଟାଲୀକୁ ନିଜର ପେଣ୍ଠ କରିସାରିଛନ୍ତି। ତା ବ୍ୟତୀତ କିଛି ଇଟାଲୀର କିଛି ଛୋଟ ଛୋଟ ଫ୍ୟାସନ କମ୍ପାନିର ମାଲିକ ବି ଚୀନର ନାଗରିକ। ଅନ୍ୟ ଏକ ହିସାବ ଅନୁଯାୟୀ ଇଟାଲୀରେ ଚୀନର  ପ୍ରାୟ ୩ ଲକ୍ଷ ଫ୍ୟାସନ କାରିଗର ରହିଛନ୍ତି ଯେଉଁମାନେ କି ବିଭିନ୍ନ କାରଖାନାରେ କାମ କରନ୍ତି। ଏହିଭଳି ଦେଖିବାକୁ ଗଲେ ଚୀନ ସହ ଇଟାଲୀର ଘନିଷ୍ଠ ବ୍ୟବସାୟୀକ ସମ୍ପର୍କ ରହିଛି, ତାହା ପୁଣି ପୋଷାକ ପତ୍ରରେ।

ଏହିଭଳି ଏକ ଜନ ସମ୍ପର୍କ ଥିବା ସତ୍ତ୍ୱେ ଓ ଉହାନ ସହରରୁ ହିଁ କରୋନା ଭାଇରସ ସୃଷ୍ଟି ହୋଇଥିଲେ ହେଁ ଇଟାଲୀ ସରକାରଙ୍କ ବହୁ ଡେରିରେ ନିଦ ଭାଙ୍ଗିଥିଲା। ନିଦ ଭାଙ୍ଗିଲା ବେଳକୁ ରୋଗ ପୂରା ମାଡ଼ି ଯାଇଥିଲା।

କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନରେ ୩୨୪୫ ଲୋକ ପ୍ରାଣ ହରାଇଥିବା ବେଳେ ଇଟାଲୀରେ ମଧ୍ୟ ମୃତ୍ୟୁ ସଂଖ୍ୟା ତିନି ହଜାର ଟପିଛି। ଏଥିରୁ ଅନୁମାନ କରିହେବ କେଉଁ ରାସ୍ତା ଦେଇ ଭୂତାଣୁ ଚୀନରୁ ଯାଇ ଇଟାଲୀର ଲୋକଙ୍କ ଦେହରେ ପ୍ରବେଶ କରିଛି। ମୃତକଙ୍କ ସଂଖ୍ୟା ପ୍ରାୟ ସମାନ ହୋଇଥିବା ବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉଭୟ ଦେଶରେ ପାଖାପାଖି। ଗୋଟିଏ ଆକଳନ ଅନୁଯାୟୀ ଇଟାଲୀର ଏକ ଚତୁର୍ଥାଂଶ ଲୋକ ଅନିଚ୍ଛାକୃତ ଭାବେ  କରୋନା ପ୍ରଭାବରେ ଆସିଯିବା ଫଳରେ ସେହି ଦେଶରେ କୋଭିଡ-୧୯ ସାଙ୍ଘାତିକ ରୂପ ଧାରଣ କରିଛି।

Comment