ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟବସାୟକୁ ନେଇ ଚିନ୍ତାରେ ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି।

କଟକ: କରୋନା ପ୍ରଭାବ ଏବେ ଅର୍ଥନୀତିକୁ ଦୋହଲାଇ ଦେଲାଣି। ସବୁ ବିଭାଗ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡିନି ହୋଟେଲ୍ ଶିଳ୍ପ। ଫନି ବାତ୍ୟା ପରେ ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିବା ହୋଟେଲ୍ ଶିଳ୍ପ ଏବେ କରୋନା ମାଡ଼ର ପ୍ରଭାବ ପଡ଼ିଛି। କରୋନା ଯୋଗୁଁ ସାରା ରାଜ୍ୟର ହୋଟେଲ ବ୍ୟବସାୟରେ ମାନ୍ଦାବସ୍ଥା ଉପୁଜିଛି। କଟକରେ ଏହାର ଚିତ୍ର ବେଶ୍ ସାଂଘାତିକ।

ଏପ୍ରିଲ ଶେଷ ଯାଏଁ ସବୁ ହୋଟେଲ ବୁକିଂ ବାତିଲ୍ କରାଯାଇଥିବା ବେଳେ ପ୍ରାୟ ୫କୋଟି ଟଙ୍କାର ବେପାର ପ୍ରଭାବିତ ହୋଇଛି।

ପର୍ଯ୍ୟଟନ, ସଭାସମିତି, ବିଭିନ୍ନ ସମ୍ମିଳନୀ, ବିବାହ କିମ୍ବା ଅନ୍ୟ ଉତ୍ସବ ହୋଟେଲ୍ ଶିଳ୍ପ ସହ ପ୍ରତ୍ୟେକ୍ଷ ଭାବେ ଜଡ଼ିତ। ହୋଟେଲ ଶିଳ୍ପର ପ୍ରାୟ ୯୯ ପ୍ରତିଶତ ଆୟ ଏହି ସବୁ କାର୍ଯ୍ୟକ୍ରମରୁ ଆସିଥାଏ। ଏବେ କରୋନା ଭୟରେ ଏବେ ସାରା ରାଜ୍ୟରେ ସମ୍ମିଳିତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ବିବାହ, ବ୍ରତଘର ସମ୍ମିଳନୀଠାରୁ ଆରମ୍ଭ କରି ଛୋଟ ବଡ ସବୁ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି। ଯାହାଫଳରେ ହୋଟେଲ ମାଲିକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

କଟକରେ ଏବେ ମାତ୍ର ୮୦ଟି ହୋଟେଲ୍ ରହିଛି। ସେଥିରୁ କଟକ ସହରରେ ୭୬ଟି ଥିବା ବେଳେ ଧବଳେଶ୍ୱର, ଭିତରକନିକା, ସାତକୋଶିଆ, ଅଂଶୁପାରେ ମାତ୍ର ଗୋଟିଏ ଲେଖାଏଁ ହୋଟେଲ୍ ଥିବା ଜଣାପଡିଛି। ସବୁ ମିଶାଇ ମୋଟ୍ ୧୯୭୫ ରୁମ୍ ରହିଛି।

୨୦୧୭ରେ ଜିଲ୍ଲାରେ ପ୍ରାୟ ୯୦ରୁ ଅଧିକ ହୋଟେଲ୍ ଥିଲା। କିନ୍ତୁ ବ୍ୟବସାୟିକ ମାନ୍ଦାବସ୍ଥା ଯୋଗୁଁ ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ୧୦ ପ୍ରତିଶତ ହୋଟେଲ୍ ବନ୍ଦ ହୋଇସାରିଛି। ମାନ୍ଦାବସ୍ଥା ପରେ ଏବେ କରୋନା ପ୍ରଭାବରେ ସ୍ଥିତି ଦୁର୍ବଳ ହେବାରେ ଲାଗିଲାଣି।

କରୋନା ସଂକ୍ରମଣ ପାଇଁ ସରକାର ଜାରି କରିଥିବା ନିୟମାବଳୀ ଯୋଗୁଁ ସବୁ ପ୍ରକାରର କାର୍ଯ୍ୟକ୍ରମ ବାତିଲ୍ କରାଯାଇଥିବା ବେଳେ ହୋଟେଲ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପର୍ଯ୍ୟଟନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୩୦ ପ୍ରତିଶତରୁ ଅଧିକ ନିଯୁକ୍ତି ପ୍ରଭାବିତ ହେବ। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ଛୋଟବଡ ସଂସ୍ଥା ବିରାଟ କ୍ଷତି ଆଡକୁ ମୁହାଁଇବା ଆରମ୍ଭ କଲେଣି।

ପର୍ଯ୍ୟଟନ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନେକ ଷ୍ଟାର୍ଟଅପ୍‌ ସଂସ୍ଥା ଗଢି ଉଠିଛି। ସେଥିରେ ଯୁବବର୍ଗ ବହୁ ସଂଖ୍ୟାରେ ନିୟୋଜିତ ହୋଇଛନ୍ତି। ମାତ୍ର କରୋନ ଯୋଗୁଁ ସବୁ ବାତିଲ୍ ହୋଇଯାଉଥିବାରୁ ଅନେକ ହୁଏତ ନିଜର ଷ୍ଟାର୍ଟଅପ୍‌ ବ୍ୟବସାୟ ବନ୍ଦ କରିଦେଇପାରନ୍ତି। ବିଶେଷକରି ଋଣ ନେଇ ନିଜର ବ୍ୟବସାୟ କରୁଥିବା ବ୍ୟକ୍ତି ଏ ନେଇ ବହୁତ ସମସ୍ୟାରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି।

ବର୍ତ୍ତମାନର ନିଷ୍ପତ୍ତି ମୁତାବକ, ସରକାର ମାତ୍ର ୩୧ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ଭ୍ରମଣ, ସଭା, ସମ୍ମିଳନୀ, ଉତ୍ସବରେ ରୋକ୍ ଲାଗାଇଥିବାର ଆହୁରି ବ୍ୟାପକ ପ୍ରାୟ ମାସେ ପର୍ଯ୍ୟନ୍ତ ହୋଟେଲ ଶିଳ୍ପ ପୂର୍ବାବସ୍ଥାକୁ ଫେରିବାର ସୁଯୋଗ ବହୁତ କ୍ଷୀଣ। ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସମ୍ଭାବନା ନହଟିବା ପର୍ଯ୍ୟନ୍ତ କିଛି ଆକଳନ କରାଯାଇପାରେ ନାହିଁ ବୋଲି କୁହାଯାଉଛି।

Comment