ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ନିଜ ଘର ଛଡ଼ା କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୭ରୁ ଅଧିକ ଲୋକ। ଅଧିକ ଲୋକ ଏକାଠି ହେଉଥିବା କଫି ସପ୍, ବାର୍, କ୍ୟାଣ୍ଟିନ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ କରୋନା ମିଟିଂ ଛଡ଼ା ଆଉ କୌଣସି ମିଟିଂ ହେବ ନାହିଁ। ଏହାଛଡ଼ା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଜୟନ୍ତୀ, ମାଲ୍ୟାର୍ପଣ ଭଳି କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି।

ବୟସ୍କ ବ୍ୟକ୍ତିଙ୍କୁ ଘରେ ରହିବାକୁ କୁହାଯାଇଛି। ଅତ୍ୟନ୍ତ ଜରୁରୀ ନହେଲେ ଡାକ୍ତରଖାନା ନଯିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୁଇଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ୬୦ଜଣ କୋରନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୦୬ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment