ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ ନବୀନ।

‘‘କୋଭିଡ୍‌-୧୯ ବା କରୋନା ଭାଇରସ ଭାରତରେ ପହଞ୍ଚି ଯାଇଛି। ଭାରତରେ କୋଭିଡ- ୧୯ ରୋଗୀଙ୍କ ସଂଖ୍ୟା ବଢୁଛି। ଏହି ଭାଇରସ୍‌ ବାହାରୁ ଆସିଛି। ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। କେବଳ ସଚେତନତା ମାଧ୍ୟମରେ ହିଁ ଏହାକୁ ରୋକାଯାଇ ପାରିବ। ତେଣୁ ମୋର ଅନୁରୋଧ ଆପଣମାନେ ଘରେ ରହନ୍ତୁ। ଫଳରେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ। ଏ ଭାଇରସ୍‌କୁ ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ’’, ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ମାର୍ଚ୍ଚ ୨୨ରୁ ୨୯ ଯାଏଁ ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରି ଘରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ନବୀନ କହିଛନ୍ତି, ‘‘ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁ କିଛି ପଛରେ ପକାଇ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବହୁତ ବଡ ଆହ୍ୱାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇୟୁରୋପୀୟ ଦେଶ ମାନଙ୍କ ପାଇଁ କରୋନା ଭାଇରସ୍‌ ଗୁରୁତର ସମସ୍ୟା ସୃଷ୍ଟି କରିଛି।’’

ନବୀନ ଏହି ଅବସରରେ ଚୀନର ଉହାନ ସହରର ଉଦାହରଣ ଦେଇଥିଲେ। ‘ଲକ୍‌ଡାଉନ୍‌’ ଷ୍ଟ୍ରାଟେଜିକୁ ପାଳନ କରି ଚୀନର ଉହାନ୍‌ ପ୍ରଦେଶ କରୋନା ଭାଇରସ୍‌କୁ ହରାଇ ଦେଇପାରିଛି। ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ଏହି ଷ୍ଟ୍ରାଟେଜିକୁ ଆପଣେଇବା। ଘରେ ରହିବା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ   ବାହାରକୁ ଯିବା। ତା’ହେଲେ ଆମେ ମଧ୍ୟ ଏ ଯୁଦ୍ଧ ଜିତିପାରିବା ବୋଲି ନବୀନ କହିଛନ୍ତି।

ଆଗାମୀ ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର,  ରାଉରକେଲା,  ଭଦ୍ରକ,  ପୁରୀ,  ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ନିଅର ଟୋଟାଲ ଲକ୍‌ଡାଉନ୍‌ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ଲକ୍‌ଡାଉନ୍‌ ବେଳେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ମଧ୍ୟ ଖୋଲା ରହିବ।

ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋଲା ରହିବ।

‘‘ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ପ୍ରତିଟି ଓଡିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ମୋର ଅନୁରୋଧ, ସରକାରଙ୍କ ନିଷ୍ପତ୍ତିରେ ଆପଣମାନେ ସହଯୋଗ କରନ୍ତୁ।  ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରହନ୍ତୁ। ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା’ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି। କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା’’, କହିଛନ୍ତି ନବୀନ।

Comment