ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ଭୂତାଣୁରୋଗ ସାରା ବିଶ୍ୱରେ ଆତଙ୍କ ଖେଳାଇଦେଇଛି। ଏହା ମହାମାରୀର ରୂପେ ନେଇ ସାରିଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରିସାରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଜରୁରୀକାଳୀନ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ସତର୍କ ଓ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲାରେ ୧୪୪ଧାରା ବଳବତ୍ତର ରହିଛି। ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ କରିବା ସହିତ ଜିଲ୍ଲାପାଳ ନିଜେ କରୋନା ସମ୍ପର୍କିତ ସ୍ଥିତି ସମୀକ୍ଷା କରୁଛନ୍ତି।

ଜିଲ୍ଲା ଚିକିତ୍ସାଳୟରେ କରୋନା ସନ୍ଦିଗ୍ଧ ବା ଆକ୍ରାନ୍ତଙ୍କ କିଭଳି ଚିକିତ୍ସା ହେବ ସେ ନେଇ ଜିଲ୍ଲାପାଳ ସୋମବାର ବିଳମ୍ବିତ ରାତିରେ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଚିକିତ୍ସାଳୟରେ ବେଡ୍ ସଂଖ୍ୟା କମ୍‌ ଥିବାରୁ ଏହାକୁ ବୃଦ୍ଧି କରିବାକୁ ଚିକିତ୍ସାଳୟ ପ୍ରଶାସନକୁ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଚିକିତ୍ସାଳୟ ପରିସରରେ ଥଣ୍ଡା ଓ କାଶ ଚିକିତ୍ସା ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଓପିଡି ଖୋଲିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ରାୟଗଡ଼ା ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରକୁ ପରିଦର୍ଶନରେ ଯାଇ ଭକ୍ତଙ୍କ ସହିତ କରୋନା ଭୂତାଣୁ ପ୍ରତି ସତର୍କ ରହିବା ସହିତ ଭଲ ଭାବେ ହାତ ଧୋଇବାକୁ ଉପସ୍ଥିତ ଭକ୍ତଙ୍କୁ ପରାମର୍ଶ ଦେଇଥିଲେ। ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ଉକ୍ତ ଧାଡ଼ିରେ ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ୨ଫୁଟ୍ ରଖିବାକୁ ଜିଲ୍ଲାପାଳ ଭକ୍ତଙ୍କୁ କହିଥିଲେ। ଏହାଛଡ଼ା ମନ୍ଦରରେ ମା’ଙ୍କ ପ୍ରସାଦ ବିକ୍ରୟ ଉପରେ ଜିଲ୍ଲାପାଳ ଶ୍ରୀ ବେହେରା ରୋକ ଲଗାଇଥିଲେ। ଭିଡ଼କୁ ଦେଖି ମାର୍ଚ୍ଚ ୩୧ତାରିଖ ଯାଏଁ ଦର୍ଶନ ବନ୍ଦ ରଖିବାକୁ ଶ୍ରୀ ବେହେରା ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମା’ଙ୍କ ପ୍ରତ୍ୟେକ ଦିନ ଭଳି ନିତୀକାନ୍ତି ପୂଜା ଚାଲୁ ରହିବ।

ଅନୁରୂପ ରାୟଗଡ଼ା ସହରରେ ମାସ୍କ ଓ ସାନିଟାଇଜର ବିକ୍ରୟ ଉପରେ କଳା ବଜାରି ରୋକିବା ନିମନ୍ତେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠିତ ହୋଇଛି। ଉକ୍ତ ଟିମ୍‌ରେ ପୌରପାଳିକା ନିର୍ବାହୀ ଅଧିକାରୀ ସଚିଦାନନ୍ଦ ଶତପଥୀଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ଔଷଧ ନିରୀକ୍ଷକଙ୍କ ଉପସ୍ଥିତ ରହି ସହରର ବିଭିନ୍ନ ଔଷଧ ଦୋକାନ ବୁଲି ଚଢ଼ାଉ ଜାରି ରଖିଛନ୍ତି। ମାସ୍କ ଓ ସାନିଟାଇଜର ଗ୍ରାହକଙ୍କୁ ଉଚିତ ଦରରେ ବିକ୍ରୟ କରିବା ନିମନ୍ତେ ନିର୍ଦ୍ଦେଶ ଦେବା ସହିତ ଧାର୍ଯ୍ୟ ମୂଲ୍ୟଠାରୁ ଲୋକଙ୍କୁ ଅଧିକ ଟଙ୍କାରେ ବିକ୍ରୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସାୟୀଙ୍କୁ ଚେତାବନୀ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବାହାର ରାଜ୍ୟରୁ ଦାଦନ ଫେରନ୍ତା ଯୁବକ ଯୁବତୀଙ୍କ ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଜିଲ୍ଲାର ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Comment