ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଥିବାରୁ ସୁନ୍ଦରଗଡ଼ବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ
  • ରାଉରକେଲା ଲକ୍‌ଡାଉନ, ସମର୍ଥନ କରିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ
  • ଘରୁ ନବାହାରିବାକୁ ରାଉରକେଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ରୋକିବା ପାଇଁ ସବୁଠାରୁ ବଡ଼ ରାସ୍ତା ହେଉଛି ସାମାଜିକ ଦୂରତା। ଏଥିପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲ୍ଲା ଓ ରାଉରକେଲା ସମେତ ୮ଟି ସହରରେ ଆଠଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଜିଲ୍ଲାପାଳ କହିଛନ୍ତି ଯେ, ରବିବାର ଦିନ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ବାସୀ ସହଯୋଗ କରିଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଥିଲେ। ସେହିପରି ରାଜ୍ୟରେ ଜାରି କରାଯାଇଥିବା ଆଠଦିନିଆ ଲକଡାଉନକୁ ଗୁରୁତ୍ୱର ସହ ପାଳନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। କରୋନା ନିୟନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

ମାର୍ଚ୍ଚ ୨୨ ତାରିଖ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ନିଅର୍ ଟୋଟାଲ୍ ଲକଡାଉନ୍ ଘୋଷଣା କରାଯାଇଛି। ତା’ ଭିତରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହର। ଏହି ସମୟରେ ଡାକ୍ତରଖାନା, ବସଷ୍ଟାଣ୍ଡ ଏବଂ ଏୟାରପୋର୍ଟ ଯିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କୁ ଛଡ଼ାଯିବ। ତେବେ ଏହାଛଡ଼ା ସହରରେ ଅନ୍ୟ କୌଣସି କାମ ପାଇଁ ଲୋକଙ୍କ ଯିବା ଆସିବା ଉପରେ ପୋଲିସ୍ କଟକଣା ଲଗାଯାଇଛି। ତେଣୁ ରାଉରକେଲାବାସୀ ଏହି ସମୟରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

କରୋନା ଭାଇରସର ବ୍ୟାପକ ସଂକ୍ରମଣ ଉପରେ ରୋକ୍ ଦେବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେଣୁ କେବଳ ରାଉରକେଲା କାହିଁକି ସମଗ୍ର ଜିଲ୍ଲାରେ ଲୋକେ ନିଜ ନିଜ ଘରେ ରହିଲେ ହିଁ ନିଜ ପରିବାର, ଗାଁ ଓ ସହର ସହିତ ସାରା ଓଡ଼ିଶା ସୁରକ୍ଷିତ ରହିବ। କରୋନାକୁ ରୋକିବା ପାଇଁ ଆଗାମୀ କିଛି ଦିନ ଆମକୁ ଏଭଳି ସାମାଜିକ ଦୂରତା ବଜାୟ ରଖିବାକୁ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯେପରିକି ଔଷଧ, ଖାଦ୍ୟ ସାମଗ୍ରୀ, ପନିପରିବା, କ୍ଷୀର, ଫଳ ଓ ମାଛ ମାଂସ ଆଦି ଦୋକାନ ଖୋଲା ରହିବ। ତେଣୁ କୌଣସି ପ୍ରକାର ଭୟଭୀତ ନହୋଇ ସଂଯମ ଆଚରଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ଲକଡାଉନ୍ ସମୟରେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ତେଣୁ କୌଣସି ବ୍ୟକ୍ତି ବା ବ୍ୟବସାୟିକ ଅନୁଷ୍ଠାନ ଏହି ନିୟମକୁ ପାଳନ ନକଲେ ପ୍ରଶାସନ ବାଧ୍ୟ ହୋଇ ଆଇନ୍ ଅନୁଯାୟୀ କାର୍ଯାନୁଷ୍ଠାନ ନେବ।

ଯଦି ଆପଣଙ୍କ ଗାଁ ବା ସହରରେ କେହି ନିକଟରେ ବିଦେଶରୁ ଆସି ପହଂଚିଛନ୍ତି, ତେବେ ଭୟଭୀତ ନହୋଇ ପ୍ରଶାସନକୁ ସେ ବିଷୟରେ ତୁରନ୍ତ ଜଣାନ୍ତୁ। ପ୍ରଶାସନ ଡାକ୍ତରୀ ଟିମ୍‌ ପଠାଇ ସେ ବାବଦରେ ଆବଶ୍ୟକ ପଦକ୍ଷେପ ନେବ।

ସେହିପରି ଯଦି କାହାଠାରେ କରୋନା ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଟୋଲ୍‌ ଫ୍ରି ନମ୍ବର ୧୦୪କୁ କଲ୍‌ କରନ୍ତୁ।

Comment