ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ ଭାରତରେ ପୁଣି ଏକ ଜୀବନ ନେଇଛି। ସୋମବାର ମଧ୍ୟାହ୍ନରେ କୋଲକାତାରେ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନିକଟରେ ଏହି ବ୍ୟକ୍ତି ଜଣଙ୍କ ଇଟାଲିରୁ ଫେରିଥିଲେ। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଭାରତରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

ଚୀନର ଉହାନରୁ ସୃଷ୍ଟି ହୋଇଥିବା କୋଭିଡ୍‌-୧୯ ଭାଇରସ ବର୍ତ୍ତମାନ ୧୮୭ଟି ଦେଶକୁ ବ୍ୟାପି ସାରିଛି। ପୂରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୧୧୦ ହୋଇଥିବା ବେଳେ ୧୨ହଜାର ୯୪୪ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି।

ଭାରତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ୨୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ବିଭିନ୍ନ ବିମାନବନ୍ଦରରେ ମୋଟ୍‌ ୧୮, ୧୭, ୩୨୭ ଜଣ ଲୋକଙ୍କର ସ୍କ୍ରିନିଂ କରାଯାଇଛି।

Comment