ଓଡ଼ିଶାଲାଇଭ୍‌ କୋରନା ବ୍ୟୁରୋ

କରୋନା ଭାଇରସ ବିଶ୍ୱ ତମାମ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ବିଭିନ୍ନ ପର୍ଯ୍ୟାୟ ବିଷୟ ଜାଣିବା ଅତ୍ୟନ୍ତ ଜରୁରୀ ।ଯେ କୌଣସି ମହାମାରୀର ଚାରୋଟି ପର୍ଯ୍ୟାୟ ଥାଏ। ଏହି ସବୁ ପର୍ଯ୍ୟାୟରେ କ’ଣ ହୋଇଥାଏ ତା ଉପରେ ଆସନ୍ତୁ ଧ୍ୟାନ ଦେବା।

ପ୍ରଥମ ପର୍ଯ୍ୟାୟ

ଏହି ପର୍ଯ୍ୟାୟରେ ସଂକ୍ରମଣ କେବଳ ସେହି ଲୋକଙ୍କଠାରେ ହୋଇଥାଏ ଯେଉଁମାନେ ଭାଇରସ ପ୍ରଭାବିତ ଦେଶରୁ ଆସିଥାନ୍ତି। ସଂକ୍ରମଣକୁ ରୋକିବା ପାଇଁ ଏହା ସବୁଠାରୁ ଭଲ ସମୟ।

ଦ୍ଵିତୀୟ ପର୍ଯ୍ୟାୟ

ଭାରତ ଏବେ ସଂକ୍ରମଣର ଦ୍ଵିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ ପର୍ଯ୍ୟାୟ କୁହାଯାଏ। ଏହି ପର୍ଯ୍ୟାୟରେ ବିଦେଶରୁ ଫେରିଥିବା ଲୋକଙ୍କଠାରୁ ପରିବାର ସଦସ୍ୟ ,ସାଙ୍ଗସାଥୀଙ୍କଠାରେ ଭୂତାଣୁ ସଂକ୍ରମିତ ହୋଇଥାଏ। ଏହି ପର୍ଯ୍ୟାୟରେ ଜଣାପଡ଼େ ନିର୍ଦ୍ଦିଷ୍ଟ ଭାବରେ କେଉଁଠୁ ସଂକ୍ରମଣ ହେଉଛି। ଦ୍ଵିତୀୟ ପର୍ଯ୍ୟାୟରେ ସଂକ୍ରମଣ ରୋକିବା ସମ୍ଭବପର ହୋଇଥାଏ।

ତୃତୀୟ ପର୍ଯ୍ୟାୟ

ଏହି ପର୍ଯ୍ୟାୟକୁ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ କୁହାଯାଏ। ଏହି ପର୍ଯ୍ୟାୟରେ ସଂକ୍ରମଣ ନା ବିଦେଶରୁ ଫେରିଥିବା ଲୋକଙ୍କଠାରୁ ହୋଇଥାଏ ନା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କଠାରୁ ତୃତୀୟ ପର୍ଯ୍ୟାୟରେ ଜଣାପଡ଼େ ନାହିଁ ପ୍ରକୃତରେ ସଂକ୍ରମଣ କେଉଁଠୁ ଆସିଲା। ତେଣୁ ସଂକ୍ରମଣର ସ୍ଥିତିକୁ ରୋକିବା ମୁସ୍କିଲ ହୋଇଯାଏ। ଇଟାଲୀ ଓ ସ୍ପେନ ବର୍ତ୍ତମାନ ଏହି ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।

ଚତୁର୍ଥ ପର୍ଯ୍ୟାୟ

ଯେ କୌଣସି ମହାମାରୀର ଚତୁର୍ଥ ବା ଶେଷ ପର୍ଯ୍ୟାୟ ହେଉଛି ସବୁଠାରୁ କଷ୍ଟକର। ଚୀନ ଏହି ପର୍ଯ୍ୟାୟ ଦେଇ ଗତି କରି ସାରିଛି। ଏହି ପର୍ଯ୍ୟାୟରେ ସଂକ୍ରମଣ ରୋକିବାର କୌଣସି ବାଟ ନଥାଏ। ସଂକ୍ରମଣ ଏତେ ତୀବ୍ର ଗତିରେ ବଢିଥାଏ ଯେ ଯେତେ କଠିନ ଉପାୟ ଅବଲମ୍ବନ କଲେ ବି ତାହା କାମ ଦେଇନଥାଏ।

ଭାରତର ସ୍ଥିତି

ଭାରତର ମୋଟ ଲୋକସଂଖ୍ୟା ବର୍ତ୍ତମାନ ପ୍ରାୟ ୧୩୨ କୋଟି। ତା ତୁଳନାରେ ୪୦୦ ପାଖାପାଖି ସଂକ୍ରମଣ ଓ ଛଅ ସାତ ଜଣଙ୍କ ମୃତ୍ୟୁ ବିଶେଷ କିଛି ଲାଗିନପାରେ। କିନ୍ତୁ କଥା ସେଠି ନାହିଁ। ଇଟାଲୀ ଓ ଆମେରିକା ଭଳି ବିକଶିତ ଦେଶ ବି କରୋନା ସଂକ୍ରମଣକୁ ରୋକି ପାରୁନାହାନ୍ତି ଓ ସେହି ଦେଶରେ ପରିସ୍ଥିତି ସଙ୍ଗୀନ ହୋଇପଡିଛି। ଭାରତ ତ ଏବେ ବିକାଶଶୀଳ ଦେଶ ଭିତରେ ଯାଉଛି ଓ ଏଠି ଅନେକ ଲୋକ ଅଶିକ୍ଷିତ ଓ ଗରିବ। ଯଦି କରୋନା ସଂକ୍ରମଣକୁ ଦ୍ଵିତୀୟ ପର୍ଯ୍ୟାୟରେ ରୋକା ଯାଇପାରିବ ନାହିଁ ତେବେ ବୋମା ବିସ୍ଫୋରଣ ହେବା ଭଳି ସ୍ଥିତି ଦେଶରେ ହେବ ଓ କରୋନାର ଭୟାବହ ରୂପ ଆମକୁ ଅବଶ୍ୟ ଦେଖିବାକୁ ପଡ଼ିବ।

Comment