ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ (କୋଭିଡ୍‌-୧୯) ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏବଂ ବିଭିନ୍ନ ମିଡିଆ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ଅବସରରେ ଓଡ଼ିଆ ସ୍ୱାସ୍ଥ୍ୟ ପୋର୍ଟାଲ ‘ସ୍ଵାସ୍ଥ୍ୟପ୍ଲସ୍‌’ ଫେସ୍‌ବୁକ୍‌ରେ ଏକ ଚାଟ୍‌ବଟ୍‌ ଆରମ୍ଭ କରିଛି।

ସାରା ଦେଶରେ ଜନତା କର୍ଫ୍ୟୁ ସହ ଓଡ଼ିଶାର ଲକ୍‌ ଡାଉନ୍‌ ଆରମ୍ଭ ହେବା ଅର୍ଥାତ୍‌ ରବିବାର ଦିନ ଏହାର ଶୁଭାରମ୍ଭ କରାଯାଇଛି।

ଚାଟ୍‌ବଟ୍‌ ହେଉଛି ଡିଜିଟାଲ ଇଣ୍ଟରାକ୍ସନର ଏକ ଧାରା ଯେଉଁଠି ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ତତ୍କାଳ ତା’ର ଉତ୍ତର ପାଇପାରନ୍ତି। ଏହି ଚାଟ୍‌ବଟ୍‌କୁ ଓ୍ୱେବ୍‌ସାଇଟ୍‌ ଏବଂ ସୋସିଆଲ ମିଡିଆ, ଏପରିକି ହ୍ୱାଟ୍ସଆପ୍‌ ସହିତ ଯୋଡ଼ା ଯାଇପାରେ। ‘ସ୍ୱାସ୍ଥ୍ୟ ପ୍ଲସ୍‌’ ପକ୍ଷରୁ କରାଯାଇଥିବା ଚାଟ୍‌ବଟ୍‌ ଫେସ୍‌ବୁକ୍‌ ମେସେଞ୍ଜର ମାଧ୍ୟମରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛି।

କରୋନା ଭାଇରସ୍‌ କ’ଣ, ଏହା କିପରି ବ୍ୟାପେ, କରୋନା ସଂକ୍ରମଣର ଲକ୍ଷଣଗୁଡ଼ିକ କ’ଣ, କାହାଠାରେ କରୋନା ଭଳି ଲକ୍ଷଣ ପ୍ରକାଶ ପାଇଲେ କ’ଣ କରିବା ଦରକାର – ଏହିସବୁ ସାଧାରଣ ପ୍ରଶ୍ନର ଚଟାପଟ୍‌ ଉତ୍ତର ଦେଉଛି ‘ସ୍ୱାସ୍ଥ୍ୟ ପ୍ଲସ୍‌’ କରୋନା ଚାଟ୍‌ବଟ୍‌

କେବଳ ଲିଖିତ ଉତ୍ତର ନୁହେଁ, ଭିଡିଓ ମାଧ୍ୟମରେ ପ୍ରମୁଖ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଏହି କରୋନା ଭାଇରସ୍‌ ଚାଟ୍‌ବଟ୍‌ରେ ଯୋଡ଼ାଯାଇଛି। ଫଳରେ ଜଣେ ବ୍ୟକ୍ତି ନିଜ ମୋବାଇଲ ବା କୌଣସି ଡିଜିଟାଲ ମାଧ୍ୟମ ବ୍ୟବହାର କରି ସ୍ଵାସ୍ଥ୍ୟପ୍ଲସ୍‌ର ଫେସ୍‌ବୁକ୍‌ ପେଜ୍‌ (/ସ୍ୱାସ୍ଥ୍ୟପ୍ଲସ୍‌ଲାଇଭ୍‌) ସହ ଯୋଡ଼ି ହୋଇ ଏହି ଚାଟ୍‌ବଟ୍‌ରୁ ଫାଇଦା ନେଇ ପାରିବେ।

ଧରାଯାଉ ଆପଣ ନିଜ ମୋବାଇଲରେ ଫେସ୍‌ବୁକ୍‌ କିମ୍ବା ଫେସ୍‌ବୁକ୍‌ ମେସେଞ୍ଜର ଆପ୍‌ ରଖିଛନ୍ତି। ଆପଣ ସ୍ୱାସ୍ଥ୍ୟପ୍ଲସ୍‌ ଫେସ୍‌ବୁକ୍‌କୁ ଯାଇ ସେଣ୍ଡ ମେସେଜ୍‌ କ୍ଲିକ୍‌ କରନ୍ତୁ। ମେସେଜ୍‌ ବକ୍ସରେ ଓଡ଼ିଆ କିମ୍ବା ଇଂଲିସ୍‌ରେ ହାଏ କିମ୍ବା ହେଲୋ ଲେଖନ୍ତୁ। ବାସ୍‌, ଏବେ ଆପଣଙ୍କୁ ଚଟାପଟ୍‌ ସ୍ୱାସ୍ଥ୍ୟପ୍ଲସ୍‌ କରୋନା ମେସେଜ୍‌ ବଟ୍‌ ଉତ୍ତର ଦେବ। ଏହାପରେ ସେଠାରେ ଲେଖାଯାଇଥିବା ବିଭିନ୍ନ ପ୍ରଶ୍ନ ମଧ୍ୟରୁ ଆପଣ ଯାହାର ଉତ୍ତର ଜାଣିବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ୍‌ କରନ୍ତୁ। ଚାଟ୍‌ବଟ୍‌ ଆପଣଙ୍କୁ ପ୍ରତି ପ୍ରଶ୍ନର ଉତ୍ତର ଦେଇଚାଲିବ। ସେହିପରି ବିଭିନ୍ନ ଉତ୍ତର ସହ କେତେକ ଜାଗାରେ ଆପଣଙ୍କୁ ଭିଡିଓ ଲିଙ୍କ ମଧ୍ୟ ଆସିବ।

‘‘କରୋନା ଭାଇରସ୍‌ ସଂକ୍ରମଣରୁ ଲୋକେ କିପରି ଦୂରେଇ ରହିବେ ସେ ଦିଗରେ ଏକ ଛୋଟ ଉଦ୍ୟମ ହେଉଛି ସ୍ୱାସ୍ଥ୍ୟପ୍ଲସ୍‌ କରୋନା ଚାଟ୍‌ବଟ୍‌। ଯେତେ ଅଧିକ ଲୋକ ଏହାକୁ ବ୍ୟବହାର କରିବେ ତାହା ଏହି ସଚେତନତାକୁ ବଢ଼ାଇ ପାରିବ’’, କହିଛନ୍ତି ସ୍ୱାସ୍ଥ୍ୟପ୍ଲସ୍‌ ସମ୍ପାଦିକା ପ୍ରଣତୀ ପରିଡ଼ା।

ପାଠକମାନେ ନିଜ ମୋବାଇଲ ଫୋନ୍‌ ମାଧ୍ୟମରେ ସ୍ୱାସ୍ଥ୍ୟପ୍ଲସ୍‌ ପୋର୍ଟାଲ (www.swasthya.plus) ଲଗ୍‌ଇନ୍‌ କରି ହୋମ୍‌ ପେଜ୍‌ରେ ଆସୁଥିବା ଫେସ୍‌ବୁକ୍‌ ମେସେଞ୍ଜର ଆଇକନ୍‌ ଉପରେ କ୍ଲିକ୍‌ କରି ମଧ୍ୟ ଏହି ଚାଟ୍‌ବଟ୍‌ ସହ ଯୋଡ଼ି ହୋଇପାରିବେ।

ସ୍ୱାସ୍ଥ୍ୟପ୍ଲସ୍‌ କରୋନା ଚାଟ୍‌ବଟ୍‌’ ଲିଙ୍କ୍‌କୁ ଅଧିକ ଲୋକଙ୍କ ସହ ସେୟାର କରିବାକୁ ସେ ଅନୁରୋଧ କରିଛନ୍ତି।

ସେହିପରି ନ୍ୟୁଜ୍‌ ପୋର୍ଟାଲ ‘ଓଡ଼ିଶାଲାଇଭ୍‌’ ସହ ମିଶି ‘ସ୍ୱାସ୍ଥ୍ୟ ପ୍ଲସ’ ଆରମ୍ଭ କରିଛି କରୋନା ସଚେତନତା କ୍ୟାମ୍ପେନ୍‌ ‘କରୋନାକୁ ଡରନା’। ‘ସ୍ୱାସ୍ଥ୍ୟପ୍ଲସ୍‌ କରୋନା ଚାଟ୍‌ବଟ୍‌’ ଏହି ଅଭିଯାନର ଏକ ଅଂଶ ବିଶେଷ।

Comment