ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ନବରଙ୍ଗପୁରର ଦୁଇଟି ମ୍ୟୁନିସିପାଲଟିକୁ ଲକ୍‌ଡାଉନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ। ନବରଙ୍ଗପୁର ଓ ଉମରକୋଟ ମ୍ୟୁନିସିପାଲଟିକୁ ମାର୍ଚ୍ଚ ୨୩ ତାରିଖ ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ରବିବାର ଜନତା କର୍ଫ୍ୟୁ ସରିବା ପରେ ବିଳମ୍ବିତ ରାତିରେ ଜିଲ୍ଲା ଟାସ୍କଫୋର୍ସର ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ଦୁଇଟି ମ୍ୟୁନିସିପାଲିଟି ନବରଙ୍ଗପୁର ଓ ଉମରକୋଟକୁ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଲକ୍‌ଡାଉନ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଏନେଇ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି ସମୟରେ ଏହି ଦୁଇ ସହରର ଅତ୍ୟାବଶକୀୟ ସେବା ବ୍ୟତୀତ ନିର୍ଦ୍ଦିଷ୍ଟ କିଛି ଦୋକାନ ଭଳି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବା ପାଇଁ ନିୟମାବଳୀ ଜାରି ରହିଛି। ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି।

ଖୋଲା ଯାଇଥିବା ଦୋକାନଗୁଡ଼ିକ ସମ୍ମୁଖରେ ଅଯଥା ଭିଡ଼ ନଜମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅତ୍ୟାବଶକୀୟ ଦ୍ରବ୍ୟର କଳାବଜାରୀ ରୋକିବା ପାଇଁ ଦୋକାନ ସମ୍ମୁଖରେ ଦ୍ରବ୍ୟର ଦର ତାଲିକା ମାରିବାକୁ କୁହାଯାଇଛି। ଅତ୍ୟନ୍ତ ଜରୁରୀ ନହେଲେ ଘର ନବାହାରକୁ ବାରଣ କରାଯାଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଜନ ଗହଳି ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ଜିଲ୍ଲାକୁ ଆସିଥିବା ବିଦେଶାଗତ ଲୋକଙ୍କ ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧୫ ଜଣ ବିଦେଶାଗତ ଫେରିଥିବା ବେଳେ ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ହୋଇଛି ଏବଂ ସେମାନଙ୍କୁ ବାହାରକୁ ନ ବାହାରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here