ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ଠାରୁ ସୁରକ୍ଷିତ ରହିବା ପାଇଁ ୩ଟି ବିଶେଷ ଦିଗ ଉପରେ ଗୁରୁତ୍ୱ ଦେଲେ ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲ୍‌ଥ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ପିନାକୀ ପାଣିଗ୍ରାହୀ।  

କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଭାରତରେ ମଧ୍ୟ ଏହି ଭୂତାଣୁ ପ୍ରବେଶ କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହି କରୋନା ଭାଇରସ୍‌ ପ୍ରତି ଲୋକମାନେ କେମିତି ସଚେତନ ହେବେ ଏବଂ ସଂକ୍ରମଣକୁ କେମିତି ରୋକିହେବ ସେନେଇ ଆମେରିକାରେ ରହୁଥିବା ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲ୍‌ଥ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ପିନାକୀ ପାଣିଗ୍ରାହୀ ଓଡ଼ିଶାଲାଇଭ୍‌ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି।

ଲୋକମାନେ ଅଧିକରୁ ଅଧିକ ସଚେତନ ରହିଲେ ହିଁ କରୋନାଠାରୁ  ସୁରକ୍ଷିତ ରହିପାରିବା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାସହ ସଂକ୍ରମଣ ରୋକିବା ପାଇଁ ସେ ୩ଟି ପ୍ରମୁଖ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ଲାବରୋଟେରୀ ଟେଷ୍ଟିଂ ଉପରେ ଗୁରୁତ୍ୱ

କରୋନା ଏମିତି ରୋଗ ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ବାଟ ଖୋଜୁଛନ୍ତି। ତେବେ ଲକ୍ଷଣ ଦେଖାଦେବା ଦିନରୁ ଆଗୁଆ ସତର୍କତା ଅବଲମ୍ବନ କଲେ ଏହି ଭାଇରସ୍‌ ସଂକ୍ରମଣ ହୋଇ ନଥାଏ। ଏଣୁ ଏଥିପ୍ରତି ସଚେତନ ରହିବା ନିହାତି ଜରୁରୀ ବୋଲି କହିଛନ୍ତି ଡାକ୍ତର ପିନାକୀ ମିଶ୍ର।

‘‘କରୋନା ଭାଇରସ୍‌ ବାହାରୁ ଆସି ନଥାଏ। ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ଆଉ ଜଣେ ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ହିଁ ଏହି ଭାଇରସ୍‌ ବ୍ୟାପିଥାଏ। ଜଣକଠାରୁ ଆଉ ଜଣକୁ ଏମିତି ଗୋଷ୍ଠୀ ସଂକ୍ରମଣ ହୋଇଥାଏ। ତେବେ ଏହାକୁ ରୋକିବାକୁ ହେଲେ ଲକ୍ଷଣ ଦେଖାଦେବା ମାତ୍ରେ ହିଁ ଲାବରୋଟେରୀରେ ନମୁନା ପରୀକ୍ଷା କରିବା ନିହାତି ଦରକାର। ଯଦି ପଜିଟିଭ୍‌ ବାହାରିଲା ତହାଲେ ଆଇସୋଲେସନ ୱାର୍ଡରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବା ଜରୁରୀ’’, କହିଛନ୍ତି ଡାକ୍ତର ପିନାକୀ ପାଣିଗ୍ରାହୀ।

ସେହିପରି ଯେଉଁ ବ୍ୟକ୍ତି ଜାଣତରେ ହେଉ ବି ଅଜାଣତରେ ପଜିଟିଭ୍‌ ରିପୋର୍ଟ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ ମଧ୍ୟ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ଦରକାର।

‘‘ପ୍ରଥମ ପର୍ଯ୍ୟାୟରେ କରୋନା ଭୂତାଣୁ ମଣିଷ ଶରୀରରେ ସ୍ଥିର ରହିଥାଏ। କିଛି ଜଣାପଡ଼ି ନଥାଏ। କିନ୍ତୁ ୨ରୁ ୧୪ ଦିନ ଭିତରେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ। ଶରୀରରେ ଗଭୀର ପ୍ରଭାବ ପକାଇଥାଏ ଏହି ଭୂତାଣୁ। ଏହି ସମୟରେ ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସନ୍ତି ସେମାନେ ବି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଣୁ କରୋନା ଆକ୍ରାନ୍ତ ଆଇସୋଲେସନରେ ରହିବା ନିହାତି ଜରୁରୀ। ଏହାଦ୍ୱାରା ଅନ୍ୟମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା କମ୍‌ ଥାଏ’’, କହିଛନ୍ତି ଡାକ୍ତର ପିନାକୀ ପାଣିଗ୍ରାହୀ।

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ସତର୍କ ରହିବା ଜରୁରୀ

କରୋନା ଭାଇରସ୍‌ ଯେବେଠୁ ଦେଶରୁ ଦେଶକୁ ବ୍ୟାପିଲାଣି ସେବେଠୁ ଡାକ୍ତରଖାନାଗୁଡ଼ିକରେ ଆଇସୋଲେସନ୍‌ ୱାର୍ଡ ଏବଂ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି। ଏହି ୱାର୍ଡରେ ଆକ୍ରାନ୍ତମାନେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ। ତେବେ ସବୁଠୁ ବଡ଼ କଥା ହେଉଛି ଯେଉଁ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ବା ତତ୍ତ୍ୱାବଧାନରେ ରଖୁଛନ୍ତି ସେମାନଙ୍କୁ ପ୍ରଥମେ ସତର୍କ ରହିବା ଜରୁରୀ। ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିପାଇଁ ବିଶେଷ ବ୍ୟବସ୍ଥା କରିବା ଦରକାର।

ଯେତେବେଳେ ଡାକ୍ତର ବା ନର୍ସ ଆଇସୋଲେସନ ୱାର୍ଡକୁ ଯାଉଛନ୍ତି ସେତେବେଳେ ସେମାନେ ମୁହଁରେ ଏନ୍‌-୯୫ ମାସ୍କ, ହାତରେ ଗ୍ଲୋବ୍‌ସ ଏବଂ ସୁରକ୍ଷିତ ଗାଉନ୍‌ସ ପିନ୍ଧିବା ଦରକାର। ଏହାଦ୍ୱାରା ରୋଗୀକୁ ସେମାନେ ଠିକ୍‌ ଭାବେ ନିରୀକ୍ଷଣରେ ରଖିବା ସହ ନିଜେ ମଧ୍ୟ ସୁରକ୍ଷିତ ରହିପାରିବେ।

ଲୋକମାନେ କରୋନାଠାରୁ ସୁରକ୍ଷିତ ରହନ୍ତୁ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ସାରା ବିଶ୍ୱରେ ବ୍ୟାପି ଚାଲିଛି ସେଥିପ୍ରତି ଜନସାଧାରଣମାନେ ସଚେତନ ହେବା ନିହାତି ଜରୁରୀ। ଏହି ରୋଗକୁ ସାଧରଣ ଲୋକମାନେ ଗୁରୁତର ଭାବେ ଗ୍ରହଣ କରିବା ଦରକାର। ସଚେତନ ଏବଂ ସତର୍କ ରହିଲେ ହିଁ କରୋନାକୁ ଆମେ ଜିଣି ପାରିବା ବୋଲି କହିଛନ୍ତି ଡାକ୍ତର ପାଣିଗ୍ରାହୀ।

‘‘ଏବେ ସଚେତନ ହେବାର ସମୟ। ପରିସ୍ଥିତି ଗମ୍ଭୀର ହେବା ପୂର୍ବରୁ ଆମ ଦେଶ ଏବଂ ରାଜ୍ୟର ଜନସାଧାରଣ ସଚେତନ ହେବା ଜରୁରୀ। ଯଦି କିଛି ଲକ୍ଷଣ ଦେଖାଦେଉଛି ତାହାଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ’’, ଏହି ବାର୍ତ୍ତା ଦେଇଛନ୍ତି ଡାକ୍ତର ପିନାକୀ ପାଣିଗ୍ରାହୀ।

ଡାକ୍ତର ପିନାକୀ ପାଣିଗ୍ରାହୀ ହେଉଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଶୁ ରୋଗ ବିଶେଷଜ୍ଞ। ସେ ଦୀର୍ଘ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ଆମେରିକାର ୱାସିଂଟନ ଡିସି ସହରରେ ଥିବା ଜର୍ଜଟାଉନ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ଇଣ୍ଟରନାସନାଲ ମାଇକ୍ରୋବୋମ୍ ରିସର୍ଚ୍ଚ ବିଭାଗର ସେ ନିର୍ଦ୍ଦେଶକ ଅଛନ୍ତି। ପବ୍ଲିକ୍ ହେଲ୍‌ଥ ବିଷୟକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ଯାଇ ଡାକ୍ତର ପିନାକୀ ପାଣିଗ୍ରାହୀ ତାଙ୍କର ଆମେରିକୀୟ ସହଯୋଗୀମାନଙ୍କ ସହ ମିଶି ଓଡ଼ିଶାରେ ପ୍ରତିଷ୍ଠା କରିଛନ୍ତି ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ୟୁନିଭର୍ସିଟି। ୨୦୦୮ ମସିହାରେ ଏହା ଆରମ୍ଭ ହୋଇଥିଲା।

Comment