ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଭିନ୍ନ ଦେଶରେ ଲକ୍‌ଡାଉନ ଯୋଗୁଁ ପରିବେଶକୁ ଫାଇଦା ହେଉଛି। କାରଖାନା, ଗାଡ଼ି ଚଳାଚଳ ଓ ଉଚ୍ଚଅଟାଳିକା ନିର୍ମାଣ ଆଦି ବନ୍ଦ ରହିଥିବାରୁ ପ୍ରଦୂଷଣ କମିଛି। ଫଳରେ ଓଜନ ସ୍ତରରେ ସୃଷ୍ଟି ହୋଇଥିବା ଗର୍ତ୍ତ ପୂରଣ ହେବାକୁ ଲାଗିଛି।

ବିଶ୍ଵରେ ମହାମାରୀ ପରିସ୍ଥିତି ସୃଷ୍ଟି କରିଛି କରୋନା ଭାଇରସ। ଏଭଳି ସ୍ଥିତିରେ ପରିବେଶକୁ ନେଇ ଏକ ଭଲ ଖବର ମିଳିଛି। ବିଭିନ୍ନ ଦେଶରେ ଏବେ ଲକ୍‌ଡାଉନ ଯୋଗୁଁ ଓଜୋନ ସ୍ତରରେ ସୃଷ୍ଟି ହୋଇଥିବା ଗର୍ତ୍ତ ଏବେ ପୂରଣ ହେବାକୁ ଲାଗିଛି। ଏନେଇ ଆମେରିକାର କଲୋରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟର ଗବେଷକମାନେ ରିପୋର୍ଟ ଦେଇଛନ୍ତି।

ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମି ଆମ ଶରୀରରେ ସିଧାସଳଖ ପଡ଼ିଲେ ଚର୍ମ କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା ରହିଛି। ଏହି ଅତିବାଇଗଣି ରଶ୍ମିକୁ ଶୋଷି ନେଇଥାଏ ଓଜନ ସ୍ତର। ତେବେ ଅତ୍ୟଧିକ ପ୍ରଦୂଷଣ ଯୋଗୁଁ କିଛି ବର୍ଷ ହେଲା ଓଜନ ସ୍ତରରେ ବହୁ ଛିଦ୍ର ହୋଇଥିବା ନେଇ ବୈଜ୍ଞାନିକମାନେ ସୂଚନା ଦେଇଥିଲେ।

ଚୀନର ଉହାନ ସହର ପ୍ରଥମେ ଲକ୍‌ଡାଉନ ହୋଇଥିଲା। ଏହାପରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିଲା। ଫଳରେ ଗାଡ଼ି ଚଳାଚଳ, କାରଖାନା, ଉଚ୍ଚ ଅଟାଳିକା ନିର୍ମାଣ ଆଦି ବନ୍ଦ ହୋଇଛି। ଫଳରେ ଗତ ୩ମାସ ମଧ୍ୟରେ ପ୍ରଦୂଷଣ ବହୁମତ୍ରାରେ କମିଛି। ଏହି ୩ମାସ ମଧ୍ୟରେ ଓଜନ ସ୍ତରକୁ ବିଶେଷ କ୍ଷତି ହୋଇନଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।

ବିଶ୍ଵରେ ଚୀନରେ ସବୁଠାରୁ ଅଧିକ କାରଖାନା ରହିଛି। ଏଥିପାଇଁ ସେଠାରେ ଅଧିକ ପ୍ରଦୂଷଣ ମଧ୍ୟ ହୋଇଥାଏ। ଚୀନରୁ ନିର୍ଗତ ପ୍ରଦୂଷଣ ଯୋଗୁଁ ପୃଥିବୀର ଦକ୍ଷିଣ ଭାଗରେ ଥିବା ଓଜନ ସ୍ତରକୁ ଅଧିକ କ୍ଷତି ପହଞ୍ଚିଥାଏ। ତେବେ କିଛି ଦିନ ହେଲା ଲକ୍‌ଡାଉନ ଯୋଗୁଁ ପ୍ରଦୂଷଣ କମିଛି। ଫଳରେ ଓଜନ ସ୍ତରରେ ସୃଷ୍ଟି ହୋଇଥିବା ଗର୍ତ୍ତ ଧିରେଧିରେ ପୂରଣ ହେବାକୁ ଲାଗିଛି।

ଏହାର ଆଉ ଏକ କାରଣ ହେଉଛି, କରୋନା ଭାଇରସ ସଂକ୍ରମଣ ପୂର୍ବରୁ ପ୍ରଦୂଷଣ ଯୋଗୁଁ ଜେଟ୍ ଷ୍ଟ୍ରିମ୍ ବା ବିଶ୍ଵର ସମସ୍ତ ବିଷାକ୍ତ ବାୟୁ ପୃଥିବୀର ଦକ୍ଷିଣ ଭାଗକୁ ବହୁଥିଲା। ପ୍ରଦୂଷଣ ମାତ୍ରା କମିବା ଯୋଗୁଁ ଜେଟ୍ ଷ୍ଟ୍ରିମ ମାତ୍ରା ମଧ୍ୟ କମିଛି।

ବୋଲ୍ଡର ବିଶ୍ୱବିଦ୍ୟାଳୟର ଗବେଷକ ଅନ୍ତରା ବାନାର୍ଜୀ ଏକ ସାକ୍ଷାତାକାରରେ କହିଛନ୍ତି ଯେ, ଏହା ଏକ ଅସ୍ଥାୟୀ ପରିବର୍ତ୍ତନ। କିନ୍ତୁ ଯାହା ବି ହେଉଛି ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ପ୍ରଦୂଷଣ କମିବା ଯୋଗୁଁ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା କମିଛି। ଯାହାର ଫଳ ସ୍ଵରୁପ ଓଜନ ସ୍ତର ଗର୍ତ୍ତ ପୂରଣ ହେବାକୁ ଲାଗିଛି।

ଏଭଳି ପ୍ରଦୂଷଣ କମିଲେ ଗ୍ଲୋବାଲ୍ ୱାର୍ମିଂ ମଧ୍ୟ କମିବ। ଫଳରେ ବିଶ୍ଵ ପରିବେଶକୁ ବହୁ ଫାଇଦା ହେବ।

କରୋନା ଭାଇରସରେ ଏବେ ବିଶ୍ଵର ୧୯୯ଟି ଦେଶକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୬୫ହଜାର ୯୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ହଜାର ୩୧ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି।

Comment