ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ କରାଯାଉଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ। ଏହି ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ ପୋଲିସ କର୍ମଚାରୀମାନେ ଲାଗିପଡ଼ିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସବୁ ଛକ ସିଲ୍‌ କରି ସାଧାରଣ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଉଛନ୍ତି ପୋଲିସ କର୍ମଚାରୀ।

କରୋନା ମୁକାବିଲା ପାଇଁ ଖରାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀଙ୍କୁ ସହଯୋଗର ହାତ ବଢ଼ାଇଛି ଜଗନ୍ନାଥ ପ୍ରସାଦ ଆର୍‌ଏସ୍‌ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ଦୁଇ ଜଣ ଯୁବକ ଶ୍ରୀହରି ନାୟକ ଏବଂ ଶୁଭମ ସ୍ୱାଇଁ।

ଭୁବନେଶ୍ୱରର ରୁପାଲି ଛକ, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ନାଲ୍‌କୋ ଛକ, ଏଜି ଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ ଏବଂ ରାମ ମନ୍ଦିର ଛକରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ବିସ୍କୁଟ ଓ ପାଣି ବୋତଲ ବାଣ୍ଟିଥିଲେ ଏହି ଟ୍ରଷ୍ଟର ଦୁଇ ଜଣ ସଦସ୍ୟ।

ଏହାସହ ରାମ ମନ୍ଦିର ସମ୍ମୁଖରେ ଥିବା କିଛି ଭିକରୀଙ୍କୁ ମଧ୍ୟ ବିସ୍କୁଟ ଓ ପାଣି ବୋତଲ ଦେଇଥିଲେ। ଆଜିଠାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଆସନ୍ତାକାଲିଠୁ ଏହାକୁ ବ୍ୟାପକ ଭାବେ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Comment