ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗ୍ରାମାଞ୍ଚଳର ସ୍ଥିତି ପରଖିବା ପାଇଁ ସରକାର ଓ ସିଭିଲ୍ ସୋସାଇଟି ମଧ୍ୟରେ ସମନ୍ୱୟ ଲୋଡା
  • ସମାଜର ସମ୍ବେଦନଶୀଳ ବର୍ଗମାନଙ୍କ ପାଇଁ ହେଉ ସର୍ଭାଇଭାଲ୍ କିଟ୍‌ର ବ୍ୟବସ୍ଥା
  • ଜନସଚେନତା ପାଇଁ ସାମିଲ୍ କରନ୍ତୁ ତୃଣମୂଳ ସ୍ତରର ସ୍ୱେଚ୍ଛାସେବୀ
  • ପ୍ରବାସୀ ଶ୍ରମିକଙ୍କୁ ମିଳୁ ପରାମର୍ଶ ସେବା ଓ ବେରୋଜଗାର ଭତ୍ତା
  • ଗ୍ରାମପଞ୍ଚାୟତ ସଙ୍ଗରୋଧ ନିବାସ ପରିଚାଳନା ପାଇଁ ଅଣାଯାଉ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ
  • ଅମାନିଆ ଓ ଜିଦିଆ ବ୍ୟକ୍ତିମାନଙ୍କ ପାଇଁ କରାଯାଉ ସୋସିଆଲ୍ ପୋଲିସିଂ ବ୍ୟବସ୍ଥା
  • କ୍ଷୁଦ୍ର ଉତ୍ପାଦନକାରୀଙ୍କ ଉତ୍ପାଦ ବିକ୍ରି ପାଇଁ ସାମାଜିକ ଦୂରତା ବ୍ୟବସ୍ଥା ସହ ସ୍ଥାନୀୟ ହାଟ ଓ ବଜାରକୁ କରାଯାଉ ସଦୁପୋଯୋଗ
  • ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କ ଘରେ ପହଞ୍ଚାଯାଉ ଅତ୍ୟାବଶ୍ୟକ ସାମଗ୍ରୀ

କୋଭିଡ୍-୧୯ର ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଆଜି ଓଡ଼ିଶାର ବିଭିନ୍ନ ଅଗ୍ରଣୀ ସାମାଜିକ ଅନୁଷ୍ଠାନଗୁଡିକର ପ୍ରତିନିଧିମାନେ ଏକ ଭର୍ଚୁଆଲ୍ ମିଟିଂରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବ୍ୟବସ୍ଥାଗୁଡିକୁ ପ୍ରଶଂସା କରିବା ସହ ତୃଣମୂଳ ସ୍ତରର ବାସ୍ତବ ଚିତ୍ର ଓ ପରିସ୍ଥିତି ଆଧାରରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ଜୋର ଦେଇଛନ୍ତି।

ସିଭିଲ୍ ସୋସାଇଟି ରେସପନ୍ସ ଟୁ କୋଭିଡ୍-୧୯ର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତିକ୍ରମେ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଏହିଭଳି ବିପଦ ସମୟରେ ସିଭିଲ୍ ସୋସାଇଟିମାନେ ଅତୀତରେ ସର୍ବଦା ତତ୍ପରତାର ସହ ସରକାରଙ୍କୁ ସହଯୋଗ କରିଆସିଛନ୍ତି। ତେଣୁ କୋଭିଡ୍-୧୯କୁ ପ୍ରତିହତ କରିବା ପାଇଁ ଚାଲିଥିବା ଯୁଦ୍ଧରେ ସରକାରଙ୍କୁ ସହଯୋଗ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ଏହି ବୈଠକରେ ସିଭିଲ୍ ସୋସାଇଟି ରେସପନ୍ସ ଟୁ କୋଭିଡ୍-୧୯ର ପ୍ରତିନିଧି ପ୍ରଫେସର୍ ରାଧାମୋହନ, ଜଗଦାନନ୍ଦ, ଡକ୍ଟର ଭଗବାନ ପ୍ରକାଶ, ମଧୁସୂଦନ ଦାସ, ସ୍ନେହ ମିଶ୍ର, ମାନସ ମିଶ୍ର, ସାବରମତୀ, ଉମି ଡାନିଏଲ୍, ମହମଦ୍ ଅମିନ୍, ବିପିନ୍ ମହାନ୍ତି, ଡକ୍ଟର ମମତା ପ୍ରଧାନ ଓ ପ୍ରଦୀପ ମହାପାତ୍ର, ତାରା ଧଳ, ଅଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ତୃଣମୂଳ ସ୍ତର ବିଶେଷତଃ ଗ୍ରାମାଞ୍ଚଳ ଓ ଆଦିବାସୀପ୍ରବଣ ଜିଲ୍ଲାଗୁଡିକରୁ ନିୟମିତ ଭାବେ ସ୍ଥିତି ସମ୍ପର୍କରେ ଅବଗତ ହେବା ନିହାତି ଆବଶ୍ୟକ। ଏହିସବୁ ଅଂଚଳରେ କାର୍ଯ୍ୟରତ ସିଭିଲ୍ ସୋସାଇଟିମାନଙ୍କ ସହ ସମନ୍ୱୟ ରକ୍ଷା କରାଯାଇପାରିଲେ ଏହା ନିଶ୍ଚିତ ଭାବେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

୧୯୯୯ ମହାବାତ୍ୟା ସମୟଠାରୁ ଗତ ବର୍ଷର ଫନି ବାତ୍ୟା ପର୍ଯ୍ୟନ୍ତ ସରକାର ବିଭିନ୍ନ ସିଭିଲ୍ ସୋସାଇଟିମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ତୃଣମୂଳ ସ୍ତରର ସ୍ଥିତି ଓ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇପାରୁଥିଲେ ଏବଂ ତଦନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଥିଲେ। ଠିକ୍ ସେହିପରି କୋଭିଡ୍-୧୯ ସମୟରେ ଉଚିତ୍ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ସହଯୋଗ କରିପାରିବେ ବୋଲି ବୈଠକରେ ଉପସ୍ଥିତ ପ୍ରତିନିଧିମାନେ ମତ ଦେଇଛନ୍ତି।

ଏକୁଟିଆ ରହୁଥିବା ମହିଳା, ଦିବ୍ୟାଙ୍ଗ ମୁଖ୍ୟ ପରିବାର, ତୃତୀୟ ଲିଙ୍ଗ, ବରିଷ୍ଠ ନାଗରିକ ଥିବା ପରିବାର ଭଳି ସମାଜର ସବୁଠୁ ସମ୍ବେଦନଶୀଳ ବର୍ଗମାନଙ୍କୁ ଗ୍ରାମପଂଚାୟତ ପ୍ରତିନିଧି ଓ କର୍ମୀ, ଅଙ୍ଗନୱାଡି କର୍ମୀ, ଏଏନ୍ଏମ୍ ଓ ଆଶାକର୍ମୀଙ୍କ ସହଯୋଗରେ ଚିହ୍ନଟ କରାଯାଇ ପରିବାର ପିଛା ଏକ ସର୍ଭାଇଭାଲ୍ କିଟ୍ ଯୋଗାଣ ପ୍ରତି ଦୃଷ୍ଟି ଦେବାକୁ ପ୍ରତିନିଧିମାନେ ନିବେଦନ କରିଛନ୍ତି।

ଗ୍ରାମାଂଚଳରେ ଜନସଚେତନତାକୁ ଆହୁରି ବ୍ୟାପକ କରିବା ପାଇଁ ଗାଁ କଲ୍ୟାଣ ସମିତି, ମହିଳା ସ୍ୱୟଂ ସହାୟକ ଦଳର ପରିଚାଳିକା, ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନମାନଙ୍କର ତୃଣମୂଳ ସ୍ତରର କର୍ମୀମାନଙ୍କୁ ନିୟୋଜିତ କରିବା ଦରକାର। କରୋନା ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ଅଭ୍ୟାସ ଭଳି ବାର୍ତ୍ତାକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ ବୋଲି ଏହି ବୈଠକରେ ମତପ୍ରକାଶ ପାଇଛି।

ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ପରାମର୍ଶ ସେବା ଓ ସାମାଜିକ ବାସନ୍ଦକୁ ପ୍ରତିହତ କରିବା ପାଇଁ ଆବଶ୍ୟକସ୍ଥଳେ ସଙ୍ଗରୋଧ ଓ ସ୍ୱାବ୍ ପରୀକ୍ଷା ବ୍ୟବସ୍ଥା କରାଯିବା ଦରକାର। ସେହିପରି ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ସେମାନଙ୍କୁ ବେରୋଜଗାର ଭତ୍ତା ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ପ୍ରତିନିଧିମାନେ ମତ ବ୍ୟକ୍ତ କରିଛନ୍ତି।

ଗ୍ରାମପଂଚାୟତରେ ସଙ୍ଗରୋଧ ନିବାସ ବ୍ୟବସ୍ଥାର ପରିଚାଳନା ପାଇଁ ଏକ ନିର୍ଦ୍ଦେଶାବଳୀ ସହ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ତ୍ୱରିତ ରକ୍ତ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବା ଆବଶ୍ୟକ। ଲକ୍ ଡାଉନ୍ ଓ ସାମାଜିକ ଦୂରତା ବଜାୟ ରଖୁନଥିବା ଅମାନିଆ ଓ ଜିଦିଆ ବ୍ୟକ୍ତିମାନଙ୍କ ପାଇଁ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ପୋଲିସ୍ ସହାୟତାରେ ସାମାଜିକ ରକ୍ଷକ ବ୍ୟବସ୍ଥା (ସୋସିଆଲ୍ ପୋଲିସିଂ) ଆପଣା ଯାଉ ଏବଂ ଆବଶ୍ୟକସ୍ଥଳେ ଅର୍ଦ୍ଧ-ସାମାରିକ ବଳ ମୁତୟନ କରାଯାଉ ବୋଲି ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି।

ପରିବା ଚାଷୀ, ଗୋପାଳକ ଓ ଦୁଗ୍ଧ ବିକ୍ରି କରିବା ପାଇଁ ଓମ୍‌ଫେଡ୍ ବ୍ୟବସ୍ଥାକୁ ବ୍ୟାପକ କରାଯିବା ଦରକାର ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

Comment