ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୂପୃଷ୍ଠରେ ଯଦି ସ୍ୱର୍ଗର କଥା କୁହାଯାଏ ତା’ହେଲେ ପ୍ରଥମେ ମନକୁ ଜମ୍ମୁ କଶ୍ମୀର ଆସେ। ଜମ୍ମୁ କଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହଁ କହିଲେ ମଧ୍ୟ ଭୁଲ ହେବ ନାହଁ। ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ କଶ୍ମୀର ପର୍ଯ୍ୟଟନ କ୍ଷେତ୍ର ଟିକେ ଦୋହଲି ଯାଇଥିଲା। ହେଲେ ଯେତେବେଳେ ପୁଣି ବ୍ୟବସାୟ ଧୀରେ ଧୀରେ ସୁଧୁରିବାକୁ ଲାଗିଥିଲା ସେତେବେଳେ ମହାମାରୀ କରୋନା ଆସି ପୁଣି କବାଟ ବାଡ଼େଇଥିଲା।

କଶ୍ମୀରରେ ବର୍ତ୍ତମାନ ବସନ୍ତ ଋତୁର ଆସର। କେଉଁଠି ବାଦାମ ଗଛରେ ଫୁଲ କଅଁଳିଛି ତ କେଉଁଠି ଚେରି ଓ ନାଲି ନାଲି ସେଓ ଫଳିଛି। କେଉଁଠି ରାସ୍ତାର ଦୁଇ ପାର୍ଶ୍ଵରେ ଡେଙ୍ଗା ଡେଙ୍ଗା ଗଛର ଛାଇ ତ କେଉଁଠି ଚିନାର ଗଛ ଓ ତାର ପତ୍ରର ତୁହାକୁ ତୁହା ଶୀତଳ ପବନ ଶୋଭାବର୍ଦ୍ଧନ କରୁଛି। କିନ୍ତୁ ଏପରି ମନୋରମ ଦୃଶ୍ୟ ଦେଖିବାକୁ କଶ୍ମୀରରେ ନାହାନ୍ତି ପର୍ଯ୍ୟଟକ। କରୋନା ଯୋଗୁଁ କଶ୍ମୀର ପର୍ଯ୍ୟଟନସ୍ଥଳୀ ଏବେ ଶୁନ୍‌ଶାନ୍‌।

କଶ୍ମୀର ଚାମ୍ବର୍ସ ଅଫ୍‌ କମର୍ସର ତଥ୍ୟ ଅନୁଯାୟୀ, ଅଗଷ୍ଟ ୫ ତାରିଖରୁ କଶ୍ମୀରର ଅର୍ଥନୀତି ପ୍ରାୟ ୧୮ହଜାର କୋଟି ଟଙ୍କାର କ୍ଷତି ସହିଛି।

କଶ୍ମୀରର ଆଉସ୍‌ ବୋର୍ଟ ମାଲିକ ସଂଘର ଉପାଧ୍ୟକଙ୍କ କହିବା କଥା ଯେ, ହାଉସ୍‌ବୋର୍ଟ ଇଣ୍ଡଷ୍ଟ୍ରୀ ଏବେ ଖରାପ ସମୟ ଦେଇ ଗତି କରୁଛି। ୩୭୦ ଉଚ୍ଛେଦ ପରେ ପାଞ୍ଚମାସ ପାଇଁ କଶ୍ମୀର ତାଲା ପଡ଼ିଥିଲା। ୨୦୧୪ ବନ୍ୟା ସମୟରେ ବହୁ କ୍ଷତି ସହିବାକୁ ପଡ଼ିଥିଲା। ସେହିପରି ୨୦୧୬ରେ ଉପୁଜିଥିବା ଅଶାନ୍ତି କାରଣରୁ କଶ୍ମୀର ୬ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଯାହ କଶ୍ମୀର ଅର୍ଥନୀତିକୁ ଝଟକା ଦେଇଥିଲା।

ଶ୍ରୀନଗରର ଡାଲ ହ୍ରଦରେ ଆଠଶହରୁ ଅଧିକ ହାଉସ୍‌ ବୋଟ ରହିଛି। କଶ୍ମୀର ଆସୁଥିବା ସମସ୍ତ ପର୍ଯ୍ୟଟକ ଏହି ଡଙ୍ଗାରେ ବୁଲିବାର ମଜା ନିଶ୍ଚିତ ଭାବରେ ନେଇଥା’ନ୍ତି। ହେଲେ ଏବେ କରୋନା ଲୋକଙ୍କଠାରୁ ସେ ମଜା ନେବା ବି ଛଡ଼େଇ ନେଇଛି।

କରୋନାକୁ ଦୃଷ୍ଟିରେ ରଖି କଶ୍ମୀରର ହୋଟେଲଗୁଡ଼ିକରେ ଥିବା ସମସ୍ତ ବୁକିଂ ବାତିଲ ହୋଇଛି। ହୋଟେଲ ମାଲିକମାନଙ୍କ କହିବା ଅନୁଯାୟୀ, ଯଦି ଏପରି ପରିସ୍ଥିତି ଜାରି ରହେ, ତେବେ ସେମାନେ କିପରି ନିଜ କର୍ମଚାରୀମାନଙ୍କୁ ଦରମା ଦେବେ।

କରୋନା ଭୂତାଣୁ କେବଳ କଶ୍ମୀର ପର୍ଯ୍ୟଟନ ନୁହେଁ ସମଗ୍ର ବିଶ୍ୱର ପର୍ଯ୍ୟଟନ ଉପରେ ପ୍ରଭାବ ପକାଇଛି। ବତ୍ତର୍ମାନ ସବୁଠାରୁ ବଡ଼ କଥା ହେଉଛି ଯେ, ଲୋକଙ୍କର ଜୀବନ ବଞ୍ଚାଇବା।

Comment