ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଏବେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି ବୋଲି ସରକାର କଟକଣା ଜାରି କରିଛନ୍ତି। ହେଲେ ଏହି ନିୟମକୁ ଭାଙ୍ଗି ଗଞ୍ଜାମ ଜିଲ୍ଲାରେ ବୁଧବାର ରାତିରେ ଦଣ୍ଡନାଚ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଖବରପାଇ ପୋଲିସ ୯ ଜଣଙ୍କୁ ଗିରଫ କରିଛି।

ଗଞ୍ଜାମ ଜିଲ୍ଲାର ଗଙ୍ଗପୁର ଥାନା ଅନ୍ତର୍ଗତ ପାଲାକସନ୍ଧ ଗାଁ ଏବଂ ବାଲିଭାଗା ଗାଁରେ ଏହି ଘଟଣା ଘଟିଛି। ପ୍ରଶାସନର କଟକଣା ସତ୍ତ୍ୱେ ବୁଧବାର ରାତିରେ ଦଣ୍ଡନାଚ ପାଇଁ ପ୍ରସ୍ତୁତି ଚାଲିଥିଲା। ପାଲାକସନ୍ଧ ଗାଁ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ଏହି ନାଚ ହୋଇଥାନ୍ତା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଗିରଫ କରିଥିଲା।

ସେହିପରି ବାଲିଭାଗା ଗାଁରେ ମଧ୍ୟ ସମାନ ଘଟଣା ଘଟିଛି। ଦଣ୍ଡନାଚ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ପହଞ୍ଚି ୪ ଜଣଙ୍କୁ ଗିରଫ କରିଛି।

ଚଳିତବର୍ଷ କରୋନା ପାଇଁ ଦଣ୍ଡନାଚ ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିୟମ କରିଥିଲା। ସରକାର କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ବାରମ୍ବାର କହୁଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ଏପରିକି ଗୋଟିଏ ଜାଗାରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି ପ୍ରଶାସନ ପକ୍ଷରୁ ନିୟମ ଜାରି କରାଯାଇଛି।

Comment