ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢିବାରେ ଲାଗିଛି। ପ୍ରତିଦିନ ଶହଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ଭାଇରସକୁ ରୋକିବା ପାଇଁ ଦେଶରେ ପଞ୍ଚାୟତସ୍ତରରୁ ଡାକ୍ତରମାନେ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଅସୁବିଧା ସତ୍ତ୍ଵେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ଦିନ ରାତି ଏକ କରି ନିଜ କର୍ତ୍ତବ୍ୟ କର ଚାଲିଛନ୍ତି ଡାକ୍ତର। ଏଭଳି ଜଣେ ଡାକ୍ତର ହେଉଛନ୍ତି ରାଜସ୍ଥାନର ଡାକ୍ତର ସିଦ୍ଧାର୍ଥ ଗୋୟଲ।

ରାଜସ୍ଥାନର ଧୌଳପୁର ଓ କରୌଲି ଜିଲ୍ଲାର ସୀମା ବଥୁଆରେ ନିଜ ଟିମ୍‌ ସହ କରୋନା ସ୍କ୍ରିନିଂ କରୁଛନ୍ତି ଡାକ୍ତର ସିଦ୍ଧାର୍ଥ ଗୋୟଲ। ଦିନ ରାତି ୨୪ ଘଣ୍ଟା ସେ ନିଜ ଟିମ ସହ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରୁଛନ୍ତି ଲାଗି ପଡ଼ିଛନ୍ତି। ଧୌଳପୁର ଓ କରୌଲି ଜିଲ୍ଲାରୁ ଯିବା ଆସିବା କରୁଥିବା ଲୋକଙ୍କ ସ୍କ୍ରିନିଂ କରୁଛନ୍ତି। ୧୧ନଂ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇ ଲୋକଙ୍କ କରୋନା ଯାଞ୍ଚ କରୁଛନ୍ତି।

ଏହାସହ ତାଙ୍କ ଟିମ ବଥୁଆ ଦେଇ ଯାଉଥିବା ଲୋକଙ୍କ ଗସ୍ତ ବିବରଣୀ ଯାଞ୍ଚ କରୁଛନ୍ତି। ଏଥିପାଇଁ ବହୁ ଲୋକଙ୍କ ବିରୋଧର ମଧ୍ୟ ସାମ୍ନା କରିବାକୁ ପଡ଼ୁଛି। ତେବେ ଏଥିରେ ଡାକ୍ତର ସିଦ୍ଧାର୍ଥ ଗୋୟଲ ଓ ତାଙ୍କ ଟିମ୍‌ ଦେଶ ପାଇଁ ନିଜ କର୍ତ୍ତବ୍ୟ କରିବା ସହ ଲୋକଙ୍କୁ ବୁଝାଇବାରେ ଲାଗି ପଡ଼ିଛନ୍ତି।

‘ଆମେ ବି କରୋନା ଆକ୍ରାନ୍ତ ହେବାର ଆଶଙ୍କା ରହିଛି’

ସୁରକ୍ଷା ନାମରେ ଡାକ୍ତରଙ୍କ ପାଖରେ କେବଳ ଗୋଟିଏ ମାସ୍କ, ଗୋଟିଏ ଗ୍ଲୋବ୍‌ସ ରହିଛି ଏବଂ ଗୋଟିଏ ମାସ୍କ ରହିଛି। ସ୍କ୍ରିନିଂ ସମୟରେ ଯଦି କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଡାକ୍ତର ଓ ତାଙ୍କ ଟିମ ମଧ୍ୟ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେବେ ଏଭଳି ସଙ୍କଟ ସ୍ଥିତିରେ ନିଜ ଜୀବନକୁ ଖାତିର ନକରି ନିଜ କାର୍ଯ୍ୟ କରି ଚାଲିଛନ୍ତି ଡାକ୍ତର ସିଦ୍ଧାର୍ଥ ଗୋୟଲ।

“ଯଦି କୌଣସି କରୋନା ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ଦେଖାଯାଇନଥାଏ ତେବେ ଆମେ ଚିହ୍ନଟ କରି ପାରିନଥାଉ। ସ୍କ୍ରିନିଂ ସମୟରେ ବହୁ ଆକ୍ରାନ୍ତ ଚିହ୍ନଟ ହୋଇ ପାରିନଥାନ୍ତି। ଏଥିପାଇଁ ସେମାନଙ୍କ ନମୁନା ନେଇ ଯାଞ୍ଚ କରିବା ପରେ ହିଁ ସେମାନେ କରୋନା ଆକ୍ରାନ୍ତ କି ନାହିଁ ଜଣା ପଡ଼ିଥାଏ। ଏଭଳି ସ୍ଥିତିରେ ଆମେ ବି କରୋନା ଆକ୍ରାନ୍ତ ହେବାର ଆଶଙ୍କା ରହିଛି।” କହିଛନ୍ତି ଡାକ୍ତର ସିଦ୍ଧାର୍ଥ ଗୋୟଲ।

କରୋନା ଯାଞ୍ଚ ସମୟରେ ଡାକ୍ତର ଓ ତାଙ୍କ ଟିମ୍‌କୁ ପିପିଇ କିଟ୍ ଯୋଗଇବା ଆବଶ୍ୟକ ରହିଛି। କିନ୍ତୁ ଡାକ୍ତର ସିଦ୍ଧାର୍ଥ ଗୋୟଲଙ୍କ ପାଖରେ ଏହି କିଟ୍‌ ନାହିଁ। ଏନେଇ ଡାକ୍ତର ସିଦ୍ଧାର୍ଥ କହିଛନ୍ତି ଯେ, ଏଭଳି ପ୍ରତିକୂଳ ପରିସ୍ଥିତିରେ ସମସ୍ତଙ୍କୁ ସବୁ ସୁବିଧା ଯୋଗାଇବା ଅସମ୍ଭବ। ସମସ୍ତଙ୍କୁ ନିଜ ଦାୟିତ୍ଵ ବହନ କରିବାକୁ ହେବ। ଆଉ ଆମେ ସେହି ଦାୟିତ୍ଵ ତୁଲାଉଛୁ।

ବର୍ତ୍ତମାନ ସୁଦ୍ଧା ଡାକ୍ତର ସିଦ୍ଧାର୍ଥ ଗୋୟଲ ୬ଶହରୁ ଅଧିକଲୋକଙ୍କ ସ୍କ୍ରିନିଂ କରିସାରିଛନ୍ତି। ସ୍କ୍ରିନିଂ ବେଳେ ବହୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିସାରିଛନ୍ତି। କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ସିଦ୍ଧାର୍ଥ ଗୋୟଲ।

LEAVE A REPLY

Please enter your comment!
Please enter your name here