ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ ଯୋଗୁଁ ମହାରାଷ୍ଟ୍ରରୁ ଚାଲିଚାଲି ଘରେ ପହଞ୍ଚିଲେ ତାମିଲନାଡ଼ୁର ୭ଜଣ ଯୁବକ। ମନରେ ଡର ଥିଲା। ହେଲେ ଦୃଢ଼ ନିଶ୍ଚୟ କରିଥିଲେ ଘରେ ପହଞ୍ଚିବୁ। ନାନା ସୁବିଧା ଅସୁବିଧା ପରେ ସେମାନେ ଘରେ ପହଞ୍ଚିଛନ୍ତି। ଏଥିପାଇଁ ସେମାନଙ୍କୁ ୭ଦିନ ସମୟ ଲାଗିଥିଲା। ଏହି ୭ଦିନର ସଂଘର୍ଶର କାହାଣୀ କହିଛନ୍ତି ଜଣେ ଯୁବକ।
“ଆମେ ମହାରାଷ୍ଟ୍ରର ଉମରଖେଡ଼ ଜିଲ୍ଲାରେ ଏକ ଘରୋଇ କମ୍ପାନିରେ କାମ କରୁଥିଲୁ। ଲକ୍ଡାଉନ ଯୋଗୁଁ ଆମ କମ୍ପାନି ବନ୍ଦ ହୋଇଗଲା। ଏହାସହ ମହାରାଷ୍ଟ୍ରରେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ହେଉଥିଲା ଆମେ ଡରିଯାଇଥିଲୁ। ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ଶେଷରେ ଆମେ ନିଷ୍ପତ୍ତି ନେଇଥିଲୁ ଚାଲିଚାଲି ଘରକୁ ଯିବାକୁ।” ମହାରାଷ୍ଟ୍ରରୁ ୧୨ଶହ କିଲୋମିଟର ଚାଲିଚାଲି ଆସି ତାମିଲନାଡ଼ୁର ଥିରୁଓ୍ଵରୁରରେ ଘରେ ପହଞ୍ଚିବା ପରେ ଏହା କହିଛନ୍ତି ୨୨ ବର୍ଷୀୟ ଯୁବକ ରାହୁଲ ଦ୍ରାବିଡ।
ରାହୁଲଙ୍କ ସହ ତାଙ୍କ ସାଙ୍ଗରେ କାମ କରୁଥିବା ଆଉ ୬ ଜଣ ଯୁବକ ମହାରାଷ୍ଟ୍ରର ଉମରଖେଡ଼ ଜିଲ୍ଲାରେ ଏକ ଘରୋଇ କମ୍ପାନିରେ ସୁପଭାଇଜର ଭାବେ କାମ କରୁଥିଲେ। ଲକ୍ଡାଉନ ପରେ କମ୍ପାନି ବନ୍ଦ ହୋଇଯାଇଥିଲା। ପାଖରେ ଯାହା ଟଙ୍କା ଥିଲା ସେସବୁ ଖର୍ଚ୍ଚ ହୋଇ ଆସୁଥିଲା। ରାହୁଲଙ୍କ ସହ ତାଙ୍କ ସାଙ୍ଗମାନେ ଭୋକ ଉପାସରେ ଦିନ କାଟିବାକୁ ପଡ଼ୁଥିଲା। ଶେଷରେ ସେମାନେ ଯେ କୌଣସି ମତେ ଘରକୁ ଯିବାକୁ ଚାହୁଁଥିଲେ।
“ଯେମିତି ହେଲେ ବି ଘରେ ପହଞ୍ଚିବାକୁ ଚାହିଁଥିଲୁ”
ମାର୍ଚ୍ଚ ୨୯ ତାରିଖରେ ରାହୁଲଙ୍କ ସହ ତାଙ୍କ ୬ଜଣ ସାଙ୍ଗ ଚାଲି ଚାଲି ବାହାରି ପଡ଼ିଥିଲେ ତାମିଲନାଡ଼ୁର ଥିରୁଓ୍ଵରୁର ଅଭିମୁଖେ। ଏପ୍ରିଲ ୪ତାରିଖରେ ସେମାନେ ଘରେ ପହଞ୍ଚିଥିଲେ। ଏହି ସମୟରେ ବହୁ ଯାଗାରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ତାଙ୍କୁ ସରକାରୀ କ୍ୟାମ୍ପରେ ରହିବାକୁ କହିଥିଲା। ତେବେ କୌଣସି ମତେ ସେମାନେ ପୋଲିସକୁ ନିବେଦନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ।
“ଆମେ ୨୨ଜଣ ଗୋଟିଏ ଘରେ ରହୁଥିଲୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ତାମିଲନାଡ଼ୁର ରାଜ୍ୟର ଥିଲେ। ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ମହାରାଷ୍ଟ୍ର ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ କ୍ୟାମ୍ପ କରିଥିଲେ। କିନ୍ତୁ ଆମକୁ ମରାଠୀ ଭାଷା ଆସୁନଥିବାରୁ ଆମେ ପୋଲିସ କିମ୍ବା ଅନ୍ୟ ଅଧିକାରୀଙ୍କ ସମ୍ପର୍କ କରି ପାରିନଥିଲୁ। ଏହାଛଡ଼ା ସେଠାକାର ସ୍ଥାନୀୟ ବାସିନ୍ଦା ସେହି ଯାଗା ଛାଡ଼ି ଚାଲିଯିବାକୁ ଆମକୁ ବାରମ୍ବାର ଧମକ ଦେଉଥିଲେ। ଏଥିପାଇଁ ଆମେ କ୍ୟାମ୍ପରେ ରହି ପାରିନଥିଲୁ।” ଘରେ ପହଞ୍ଚିବା ପରେ ଏହା କହିଛନ୍ତି ରାହୁଲ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ଛାଡ଼ିବା ପରେ ଆମେ ପ୍ରଥମେ ନାଦେନ୍ଦରେ ପହଞ୍ଚିବାକୁ ଚାହିଁଥିଲୁ। ନାଦେନ୍ଦ ଉମରଖେଡଠାରୁ ୨୪୦ କିମି ଦୂରରେ ରହିଥିଲା। ନାଦେନ୍ଦରେ ପହଞ୍ଚିବାପରେ ସେଠାରେ ବିଶ୍ରାମ କରି ଆମେ ପୁଣି ବାହାରି ପଡ଼ିଥିଲୁ ନିଜର ଗନ୍ତବ୍ୟସ୍ଥଳକୁ।
“ଦୁଇ ରାତି ହିଁ ଶୋଇଥିଲୁ”
ଯୁବକମାନେ ମହାରାଷ୍ଟ୍ରରୁ ବାହାରିବା ନେଇ ସେମାନଙ୍କ ପରିବାରକୁ ଜଣାନଥିଲେ। ଚାଲିବା ବାଟରେ ବିଭିନ୍ନ କ୍ୟାମ୍ପ୍ରେ ସେମାନଙ୍କୁ ଖାଇବା ମିଳିଯାଇଥିଲା। ଏହାସହ ଯେଉଁ ସ୍ଥାନରେ ଦୋକାନ ଖୋଲାଥିଲା ସେଠାରୁ ବିସ୍କୁଟ କଣି ନିଜ ପାଖରେ ରଖିଥିଲେ। ମନବଳ ସୁଦୃଢ଼ କରିବା ମଜାମସ୍ତି ମଧ୍ୟ କରିଥିଲେ।
ଏନେଇ ରାହୁଲ କହିଛନ୍ତି ଯେ, ମହାରାଷ୍ଟ୍ରରୁ ଚାଲିବା ଆରମ୍ଭ କରିବାର ପ୍ରଥମ ଦିନରେ ବହୁତ ଥକି ଯାଇଥିଲୁ। ଏହାପରେ ଆମେ ଥକା ମେଣ୍ଟାଇବା ପାଇଁ ମଜାମସ୍ତି କରିବା ଆରମ୍ଭ କରିଥିଲୁ। ବହୁତ କମ ବିଶ୍ରାମ ନେଇଥିଲୁ। କେବଳ ଦୁଇ ରାତିର ହିଁ ଶୋଇ ପାରିଥିଲୁ। ଆମେ ଏନେଇ ଆମ ପରିବାରକୁ ଜଣାଇ ନଥିଲୁ। ଲକ୍ଡାଉନ ପରଠାରୁ ସେମାନେ ଆମ ପାଇଁ ବହୁ ଚିନ୍ତିତ ରହିଥିଲେ। କେତେକ ସ୍ଥାନରୁ ଆମେ ଲୁଚିକି ଆସିବାକୁ ବାଧ୍ୟ ହୋଇଥିଲୁ। କାରଣ ଆମକୁ ଯେମିତି ହେଲେ ବି ଘରେ ପହଞ୍ଚିବାର ଥିଲା।
ରାହୁଲ ଓ ତାଙ୍କ ସାଙ୍ଗମାନେ ଉମରଖେଡରୁ ବାହାରି ସୋଲାପୁରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସେଲମ ଜିଲ୍ଲାରୁ ତାମିଲନାଡ଼ରେ ପ୍ରବେଶ କରିଥିଲେ। ତେବେ ଚାଲିବା ବାଟରେ କେତେକ ସ୍ଥାନରେ ତାଙ୍କୁ ଲିଫ୍ଟ ମିଳିଥିଲା। କିନ୍ତୁ ଅଧିକାଂଶ ସମୟ ସେମାନଙ୍କୁ ଚାଲିବାକୁ ପଡ଼ିଥିଲା। ସମୟ ସମୟରେ ବାଟରେ ଛିଡ଼ା ହୋଇଥିବା ଟ୍ରକରେ ନିଜ ନିଜ ମୋବାଇଲ ଚାର୍ଜ କରି ପରିବାର ଲୋକଙ୍କ ସହ ସମ୍ପର୍କ କରିଥିଲେ। ଜରୁରୀ କଥା ହେବାପରେ ମୋବାଇନ ବନ୍ଦ କରି ଦେଉଥିଲେ।
“ବିଶ୍ଵାସ ହେଉନି ଘରେ ପହଞ୍ଚି ଗଲୁ”
“ଆମେ ମହାରାଷ୍ଟ୍ର ଛାଡ଼ିବା ବେଳେ ଆମ ସହ ୫୦ଜମ ତାମିଲନାଡ଼ୁ ଆସିବାକୁ ବାହାରିଥିଲେ। ତେବେ ପୋଲିସ ଭୟରେ ସେମାନେ ଆମ ସହ ଆସିନଥିଲେ। ଆମେ ଆସିବା ବେଳେ ବହୁ ସ୍ଥାନରେ ବେଆଇନ ଭାବେ ପ୍ରବେଶ କରିଥିଲୁ। ମନରେ ଡର ଥିଲା। ହେଲେ କେମିତି ଆମେ ୧୨ଶହ କିଲୋମିଟର ଚାଲି ଚାଲି ଆସିଲୁ ଆମେ ବି ବିଶ୍ଵାସ କରିପାରୁନାହୁଁ।” ଘରକୁ ଫେରି ଏହା କହିଛନ୍ତି ରାହୁଲ ଦ୍ରାବିଡ।
ଯୁବକମାନେ ଥିରୁଓ୍ଵରରେ ପହଞ୍ଚିବା ପରେ ଜଣେ ସ୍ଥାନୀୟ ସାମ୍ବାଦିକ ତାଙ୍କୁ ଥିରୁଓ୍ଵର ସରକାରୀ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଯୁବକମାନଙ୍କ କରୋନା ଯାଞ୍ଚ କରାଯାଇଥିଲା। କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ନିଜ ନିଜ ଗାଁକୁ ଛଡ଼ା ଯାଇଥିଲା।