ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଘରେ ୭ ମାସର ଝିଅକୁ ଛାଡ଼ି କରୋନା ପାଇଁ ଦିନରାତି ଲଢୁଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରଓ୍ୱଣେ। ଜାଣନ୍ତୁ ଜଣେ ମହିଳା ଆଇଏଏସ୍‌ ଅଫିସରଙ୍କ ଲକ୍‌ଡାଉନ୍‌ କାହାଣୀ…

ସାଧାରଣ ଜୀବନ ଶୈଳୀକୁ ଦୋହଲାଇ ଦେଇଛି ମାରାତ୍ମକ କରୋନା ଭାଇରସ। ନିଜ ବ୍ୟକ୍ତିଗତ କାମକୁ ପଛରେ ପକାଇ ଏବେ କରୋନା ଯୁଦ୍ଧରେ ଲଢ଼ୁଛନ୍ତି ଅନେକ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ସରକାରୀ ଅଧିକାରୀ। ସେହି ଯୋଦ୍ଧାମାନଙ୍କ ମଧ୍ୟରୁ ଜଣେ ହେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରଓ୍ୱଣେ, ଯିଏ ନିଜ ୭ ମାସର ଝିଅକୁ ଘରେ ଛାଡ଼ି କୋଭିଡ୍‌ ଯୁଦ୍ଧରେ ପ୍ରତିଦିନ ଲଢ଼ୁଛନ୍ତି।

ଯେଉଁ ସମୟରେ କୁନି ପିଲାଟିଏ ସବୁଠୁ ଅଧିକ ମା’ କୋଳ ଖୋଜିଥାଏ ସେହି ସମୟରେ ପିଲାକୁ ସମୟ ଦେଇପାରୁନାହାନ୍ତି ଅବୋଲି । ମା’ର କର୍ତ୍ତବ୍ୟ ପାଖରେ ଲୋକଙ୍କ ସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ସେ।

‘‘ଘରେ ୭ ମାସର ଝିଅ। ଏବେ ଝିଅକୁ ସବୁଠୁ ଅଧିକ ଯତ୍ନର ଆବଶ୍ୟକ। ତାକୁ ଅଧିକ ସମୟ ଦେବା କଥା। କିନ୍ତୁ ଏବେ ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତରେ ତାକୁ ସମୟ ଦେଉ ହେଉନାହିଁ। ସକାଳୁ ସକାଳୁ କାମରେ ବାହାରିବାକୁ ପଡ଼ୁଛି। ଖାଲି ଖରାବେଳେ ଯେତେବେଳେ ଘରକୁ ଖାଇବାକୁ ଆସୁଛି ସେତିକି ସମୟ ଦେଖା। ତା’ ପରେ ସିଧା ରାତିରେ ଘରକୁ ଫେରିଥାଏ। ଦିନେ ଦିନେ ରାତି ୧୨ଟା ଯାଏଁ କାମ କରିବାକୁ ପଡ଼େ। ଘରକୁ ଫେରିବା ବେଳକୁ ଝିଅ ଶୋଇ ପଡ଼ିଥାଏ।’’, କହିଛନ୍ତି ଅବୋଲି

corona

ସେ ଆହୁରି ମଧ୍ୟ କହିଛନ୍ତି,‘‘ଲୋକଙ୍କ ସେବା ପାଇଁ ଏହି ବୃତ୍ତିକୁ ଆପଣେଇଛି। ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାକୁ ବ୍ୟକ୍ତିଗତ ଆବେଗକୁ ନିୟନ୍ତ୍ରଣ କରି କାମ କରିବାକୁ ହେବ।’’

ଅନ୍ୟପକ୍ଷରେ ଝିଅର ଦେଖାଶୁଣା କରିବା ପାଇଁ ଅବୋଲିଙ୍କ ବାପା ପୁଣେରୁ ଆସିଥିଲେ। ଯେଉଁଦିନ ସେ ପୁଣେ ଫେରିଯିବା କଥା ସେହି ଦିନ ଲକଡାଉନ ଘୋଷଣା ହୋଇଥିଲା। ଫଳରେ ତାଙ୍କ ବାପା ଆଉ ପୁଣେ ଯାଇପାରିନାହନ୍ତି। ତାଙ୍କ ମା’ ପୁଣେରେ ଏବେ ଏକୁଟିଆ ଅଛନ୍ତି।

stop corona

ଦିନସାରା ବାହାରେ ରହି କାମ କରୁଥିବାରୁ ଘରକୁ ଫେରିଲେ ପ୍ରଥମେ ନିଜକୁ ସାନିଟାଇଜ କରନ୍ତି ଅବୋଲି। ଏଥିସହିତ ରାଉରକେଲାବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି। କରୋନାକୁ ରୋକିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ଅସ୍ତ୍ର। ତେଣୁ ଦୟାକରି ଲୋକେ ଦୋକାନ, ବଜାରରେ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଅବୋଲି ଅପିଲ୍‌ କରିଛନ୍ତି।

Comment