ଓଡ଼ିଶାଲାଇଭ୍‌ କାରୋନା ବ୍ୟୁରୋ

  • ଗଞ୍ଜାମ ଜିଲ୍ଲାପାଳଙ୍କ କରୋନା ମୁକାବିଲା
  • ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ
  • ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍‌
  • ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଟିମ୍‌

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାରା ଜିଲ୍ଲାରେ ପ୍ରତିଦିନ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ ଲାଗୁ କରିବା ପରେ ଏବେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏନେଇ ଆଜି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ସୂଚନା ଦେଇଛନ୍ତି।

ଜିଲ୍ଲାରେ ପ୍ରାୟ ୪୦ ଲକ୍ଷ ଲୋକ ଅଛନ୍ତି। ଏମାନଙ୍କ ଶରୀରରେ ସଂକ୍ରମଣ ଅଛି କି ନାହିଁ ତାହା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ୫ ଜଣଙ୍କୁ ନେଇ ଗୋଟିଏ ଗୋଟିଏ ଟିମ୍‌ ଗଠନ କରାଯିବ। ପ୍ରତି ଟିମ୍‌ର ନେତୃତ୍ୱ ନେବା ପାଇଁ ଜଣେ ସୁପରଭାଇଜର ରହିବେ।

coronaଏହି ଟିମ୍‌ରେ ଜଣେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀଙ୍କୁ ସାମିଲ କରାଯିବ। ଏମାନେ ପ୍ରତି ଘରକୁ ଯାଇ ପରିବାର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଜିଲ୍ଲାର ପ୍ରାୟ ୪୦ ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଗତ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ୧୨ଟାରୁ ସକାଳ ୭ଟା ଯାଏଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ମାତ୍ର ୫ ଘଣ୍ଟା ସମୟ ଦିଆଯାଇଥିଲା। ଦକାଳ ୭ଟାରୁ ଦିନ ୧୨ଯା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବିକା ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ନିୟମ କରିଥିଲେ।

ସେହିପରି ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ ଆସିବେ ସେମାନେ ବାଇକ୍‌ ଧରି ଆସିପାରିବେ ନାହିଁ ବୋଲି ପ୍ରଶାସନ କଟକଣା ଜାରି କରିଥିଲା। ଯିଏ ବି ବାହାରକୁ ବାହାରିବେ ସେମାନେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପ୍ରଶାସନ ପକ୍ଷରୁ ନିୟମ କରାଯାଇଥିଲା।

Comment