ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ଓ ଲକଡାଉନ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ଚାଷୀ। ସହିବାକୁ ପଡ଼ୁଛି ଅଜସ୍ର କ୍ଷତି। କରୋନା ମାଡ଼ରେ ରହୁନି ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ।

(ଯାଜପୁରରୁ ଶୁଭଶ୍ରୀ ନାୟକ): କରୋନା ଭାଇରସ। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ଏହି ଭାଇରସ। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଚାଷୀ କୂଳ। କାରଣ କରୋନା ପାଇଁ ଲକ୍‌ଡାଉନ, ଲକଡାଉନ ଯୋଗୁଁ ବେପାର ପୂରା ମାନ୍ଦା। ମାର୍କେଟରେ ଚାଷୀ ପରିବା ଧରି ବସୁଛନ୍ତି ହେଲେ କିଣିବା ପାଇଁ ବ୍ୟବସାୟୀ ନାହାନ୍ତି। ଯେଉଁ ଜଣେ ଜଣେ ବ୍ୟବସାୟୀ ଆସୁଛନ୍ତି ସେ ବହୁତ କମ୍‌ ରେଟରେ ପରିବା କିଣୁଛନ୍ତି। ଯାହାଫଳରେ ଚାଷୀ ହତାଶ ହୋଇ ପରିବାକୁ ମାର୍କେଟରୁ ଫେରାଇ ଆଣି ଗାଈ ଗୋରୁଙ୍କୁ ଖାଇବାକୁ ଦେବାକୁ ନହେଲେ ପିଙ୍ଗି ଦେବାକୁ ଠିକ ମନେ କରୁଛନ୍ତି।

corona

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଂହାପୁର ଓ ଏହାର ଆଖପାଖ ଗାଁରେ। କାରଣ ଏହି ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣ ଭାବେ ଚାଷ ଉପରେ ନିର୍ଭରଶୀଳ। ଚାଷ ହିଁ ସେମାନଙ୍କ ଜୀବିକା। କିନ୍ତୁ କରୋନା ଏବେ ସେମାନଙ୍କ ପେଟକୁ ଲାତ ମାରିଛି। ଚାଷୀ ଅମଳ କରୁଥିବା ଫସଲ ବିକ୍ରି ହୋଇପାରୁନାହିଁ। ଯଦିବି ବିକ୍ରି ହେଉଛି ବହୁତ କମ୍‌ ରେଟରେ। ଏଥିରେ ଚାଷୀ ପରିଶ୍ରମର ମୂଲ୍ୟ ମଧ୍ୟ ଉଠୁନାହିଁ।
ପରିବା ମାକେର୍ଟ ଖୋଲା ରହିବ, ଲୋକେ ସାମଜିକ ଦୂରତା ରକ୍ଷା କରି ପରିବା କିଣିବେ, ମାର୍କେଟରେ ପ୍ରଶାସନ ପକ୍ଷରୁ ବୁଲାଯାଇଥିବା ଗୋଲ ମଝିରେ ରହି କିଣି ବିକା ହେବ, ଏମିତି ଅନେକ କଥା ସରକାର ତ କହିଛନ୍ତି। ହେଲେ ମାର୍କେଟରେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଯାଜପୁର ଜିଲ୍ଲାର ସବୁଠୁ ବଡ଼ ପରିବା ମାର୍କେଟ ହେଉଛି ବାରବାଟୀ। ପ୍ରତିଦିନ ଏଠାରେ ହଜାର ହଜାର ଚାଷୀ, ଖାଉଟି, ବ୍ୟବସାୟୀ ଏକାଠି ହୁଅନ୍ତି। ବେପାର ଜମେ। ଏହିଠାରୁ କଟକ, ଭୁବନେଶ୍ୱର ପନିପରିବା ପଠାଯାଏ। ଏବେ କିନ୍ତୁ ମାର୍କେଟରେ ଭିଡ଼ ନାହିଁ। ବ୍ୟବସାୟୀ କି ଖାଉଟି ବି ଏତେ ଆସୁ ନାହାନ୍ତି। କାଁ ଭାଁ କେତେଟା ଲୋକଙ୍କୁ ଛାଡ଼ି ଦେଲେ ମାର୍କେଟ ଶୂନ। କାରଣ ଚାଷୀଙ୍କଠୁ ଭଲ ଦାମରେ ପରିବା କିଣିବା ପାଇଁ କେହି ନାହାନ୍ତି।

‘‘ଚାଷ କାମ ସହଜ ନୁହେଁ। ଦିନ ରାତି ଝାଲ ବୁହାଇ ଜମିରେ ପରିଶ୍ରମ କରିବାକୁ ପଡ଼େ। ଭଲ ଅମଳ ପାଇଁ କେତେ କ’ଣ କରିବାକୁ ପଡ଼େ। ନିଜ ପିଲା ଭଳିଆ ଯତ୍ନ ନେବାକୁ ପଡ଼େ। ଯେତେବେଳେ ଫସଲ ଅମଳ ହୁଏ ଲାଗେ ଆମ ପରିଶ୍ରମ ଫଳ ଆମକୁ ମିଳିଲା। କିନ୍ତୁ ଏ କରୋନା ସବୁ ବରବାଦ କରିଦେଲା। ଏତେ କଷ୍ଟ କରି ଯେଉଁ ଫସଲ ଅମଳ କରିଲୁ ତାକୁ କିଣିବ କିଏ। କିଣିବା ପାଇଁ ତ ବ୍ୟବସାୟୀ ଆସୁନାହାନ୍ତି’’, କହିଛନ୍ତି ଜଣେ ଚାଷୀ ଦୈତାରୀ ରାଉତ।

ସେହିପରି ଆଉ ଜଣେ ଚାଷୀ ନିରଞ୍ଜନ ନାୟକ କହିଛନ୍ତି,‘‘ ପରିବା ଅମଳ ହେଲେ କ’ଣ ହେବ। ପୋଲିସ ଭୟରେ ତ କେହି ଆସୁ ନାହାନ୍ତି। ଆମେ ଯାଇ ମାର୍କେଟରେ ବସି ବସି ଆସୁଛୁ, କିଏ କେମିତି ଜଣେ ଜଣେ ଆସୁଛନ୍ତି। ଯାହା ଦାମ୍‌ କହୁଛନ୍ତି ବିକ୍ରି କରିଦେଇ ଘରକୁ ଆସିବା କଥା।’’

”ରାତି ଅଧରୁ ଉଠି ମାର୍କେଟ ଯିବାକୁ ପଡ଼ୁଛି। ଭୋର ୩ଟା ୪ଟାରୁ ନଆସିଲେ ବେପାରୀଙ୍କ ଦେଖା ମିଳିବନି। ପରିବା କିଣିବ କିଏ? କଷ୍ଟ କରି ଫସଲ କରିଛୁ ଯେତେବେଳେ ଯାହା ହେଉ ପଛେ ବିକ୍ରି ତ କରିବାକୁ ପଡ଼ିବ’’, କହିଛନ୍ତି ମାର୍କେଟ ପରିବା ଧରି ବସିଥିବା ଜଣେ ଚାଷୀ ସନାତନ ପ୍ରଧାନ।

ଗାଁ ହାଟରେ ବି ସମାନ ଦୃଶ୍ୟ

ରସୁଲପୁରର କଲଣ ସାପ୍ତାହିକ ହାଟ ଆଖାପାଖ ଲୋକଙ୍କ ବିକାକିଣାର ମାଧ୍ୟମ। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ କାରବାର କରି ଲୋକେ ଫେରିଯାଆନ୍ତି। ହାଟର ବାର ଅନୁସାରେ ଲୋକେ କାରବାର ପାଇଁ ହାଟ ସ୍ଥଳରେ ଏକାଠି ହୁଅନ୍ତି। କିନ୍ତୁ ଲକଡାଉନ ଯୋଗୁଁ ଗାଁ ହାଟରେ ବି ଦୃଶ୍ୟ ସମାନ।  ସବୁଠି ଖାଁ ଖାଁ। ସାଧାରଣତଃ ହାଟ ଅପରାହ୍‌ଣ ବସୁଥିଲା ବେଳେ ଲକଡାଉନ ଯୋଗୁଁ ଏବେ ସକାଳ ୫ଟାରୁ ଦିନ ୧୦ଟା ଯାଏଁ ହାଟ ବସୁଛି।

ଚାଷୀ ପରିବା ନେଇ ହାଟକୁ ତ ଯାଉଛନ୍ତି ମାତ୍ର କିଣିବା ପାଇଁ ଲୋକ ନାହାନ୍ତି। କାଁ ଭାଁ ଗୋଟିଏ ଗୋଟିଏ ଲୋକ ହାଟରେ ପରିବା କିଣୁଥିବା ନଜର ଆସିଛନ୍ତି। ପରିବା ହାଟରେ ସାମାଜିକ ଦୂରତା ରକ୍ଷା କରି ଲୋକେ ପରିବା କିଣି ପାରିବେ ବୋଲି ସରକାର ବାରମ୍ବାର କହୁଥିଲା ବେଳେ ହାଟ ମାର୍କେଟରେ ଲୋକେ କିନ୍ତୂ ଏହା ବୁଝି ପାରୁନାହାନ୍ତି। ପୋଲିସ ହାଟ ବଜାର ସ୍ଥିତି ପରଖିବାକୁ ଆସୁଥିଲା ବେଳେ ଲୋକେ ପୋଲିସକୁ ଦେଖି ହାଟରେ ପରିବା ଛାଡ଼ି ଛତ୍ରଭଙ୍ଗ ଦେଉଛନ୍ତି।

ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସବୁ କଡ଼ାକଡ଼ି

ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଏପ୍ରିଲ ୧୨ ଯାଏଁ ଘୋଷଣା ହୋଇଛି। ପୂର୍ବରୁ ଏପ୍ରିଲ ୪ ରାତି ୮ଟାରୁ ଏପ୍ରିଲ ୬ ତାରିଖ ରାତି ୮ଟା ଯାଏଁ ଯାଜପୁରର କିଛି ପ୍ରମୁଖ ଅଞ୍ଚଳରେ ସଟଡାଉନ ହୋଇଥିଲା। ସେଥିରେ ମଧ୍ୟ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ହଠାତ ସଟଡାଉନ ଘୋଷଣା ହେବାରୁ ହାଟ ବଜାର ସବୁ ବନ୍ଦ ଥିବାରୁ ପରିବା ସବୁ ନଷ୍ଟ ହୋଇଥିଲା।

Comment