ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ପାରିନାହିଁ। କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ତେବେ ଏହି ଭେଣ୍ଟିଲେଟର କିଭଳି କାର୍ଯ୍ୟ କରେ ଆପଣ ଜାଣିଛନ୍ତି କି?

ସାରା ବିଶ୍ଵରେ କରୋନା ଭାଇରସ କାୟା ବିସ୍ତାର କରିଛି। ଏପର୍ଯ୍ୟନ୍ତ କରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ପାରିନାହିଁ। କରୋନା ଆକ୍ରାନ୍ତଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ। ଏଥପାଇଁ ସେମାନଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଏ। କରୋନା ସଂକ୍ରମଣ ହେବା ପରେ ଅନେକ ଦେଶ ଏବେ ଅଧିକରୁ ଅଧିକ ଭେଣ୍ଟିଲେଟର ପ୍ରସ୍ତୁତ କରୁଛନ୍ତି। ତେବେ କ’ଣ ଏହି ଭେଣ୍ଟିଲେଟର? କରୋନା ଆକ୍ରାନ୍ତଙ୍କୁ ଏହା କେମିତି ସହାୟକ ହୋଇଥାଏ? ଆସନ୍ତୁ ଜାଣିବା।

ଭେଣ୍ଟିଲେଟର କ’ଣ?

“ନିଶ୍ଵାସ ପ୍ରଶ୍ଵାସ ନେବାକୁ ଅସମର୍ଥ ଥିବା ରୋଗୀମାନଙ୍କ ପାଇଁ ଭେଣ୍ଟିଲେଟର ତିଆରି କରାଯାଇଛି। ଏହି ଯନ୍ତ୍ର ଶରୀରର ଫୁସ୍‌ଫୁସ ସହ କାମ କରିଥାଏ। ନିମୋନିଆ ଭଳି ରୋଗରେ ପୀଡ଼ିତ ରୋଗୀମାନଙ୍କ ଚକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।” ଭେଣ୍ଟିଲେଟରକୁ ନେଇ ଏହା କହିଛନ୍ତି ଆମେରିକାର ଫୁସ୍‌ଫୁସ୍‌ ବିଶେଷଜ୍ଞ ବୋର୍ଡରେ କାର୍ଯ୍ୟ କରୁଥିବା ଡାକ୍ତର ଡେଭିଡ୍ ହିଲ୍।

ଫୁସ୍‌ଫୁସ୍‌ ଆମ ଶରୀରର ରକ୍ତ ଶିରା ସହିତ ଜଡ଼ିତ। ଶରୀରରେ ଅମ୍ଲଜାନ ପ୍ରବେଶ କରାଇବାରେ ଓ ଅଙ୍ଗାରକାମ୍ଲ ବାହାର କରିବାରେ ସହାୟକ ହୋଇଥାଏ ଫୁସ୍‌ଫୁସ୍‌। ତେବେ ଏଥିରେ ବାଧା ଉପୁଜିଲେ ଭେଣ୍ଟିଲେଟର ବ୍ୟବହାର କରିବାକୁ ପଡ଼ିଥାଏ ।

ଭେଣ୍ଟିଲେଟରରେ ମୁଖ୍ୟତଃ ଏକ କମ୍ପ୍ୟୁଟରାଇଜଡ୍ ବାକ୍ସକୁ ନେଇ ଗଠିତ। ଏଥିରେ ଏକ ପମ୍ପ ମେସିନ୍ ରହିଥାଏ। ପମ୍ପ ମେସିନ ସହ ଏକ ଗ୍ୟାସ୍ ଟ୍ୟୁବ୍ ଲାଗି ରହିଥାଏ। ଏହି ଗ୍ୟାସ୍ ଟ୍ୟୁବ୍ ସାହାଯ୍ୟରେ ରୋଗୀ ଦେହକୁ ବାୟୁ ପଠାଇଯାଇଥାଏ। ଏହାସହ ଏଥିରେ ଏକ ଆରେ ସ୍କ୍ରିନ୍, ଏକ ଡାଏଲ ଓ ଏକ ପାଓ୍ଵାର କେବୁଲ ରହିଥାଏ। ଶରୀରରେ ଫୁସ୍‌ଫୁସ୍‌ କାମ କରିବା ବନ୍ଦ କରିଦେଲେ ଭେଣ୍ଟିଲେଟର ବ୍ୟବହାର କରିବାକୁ ପଡ଼ିଥାଏ।

ଭେଣ୍ଟିଲେଟର ସାହାଯ୍ୟରେ ଜଣେ ରୋଗୀ କେତେ ନିଶ୍ୱାସ ପ୍ରଶ୍ଵାସ ନେଉଛି? ରୋଗୀ ଜଣକ କେତେ ସମୟ ନିଶ୍ଵାସ ପ୍ରଶ୍ଵାସ ନେଉଛି? କେତେ ଥର ନିଶ୍ଵାସ ପ୍ରଶ୍ଵାସ ନେଉଛି? ଭେଣ୍ଟିଲେରଟର ସାହାଯ୍ୟରେ ଶରୀର ଠିକ୍ ମାତ୍ରାରେ ଅମ୍ଲଜାନ ପହଞ୍ଚି ପାରୁଛିକ ନାହିଁ? ଶରୀରକୁ ଯାଉଥିବା ବାୟୁର ତାପମାତ୍ରା ଓ ଆଦ୍ରତା ଠିକ୍ ଅଛି ନା ନାହିଁ? ସେନେଇ ଭେଣ୍ଟିଲେଟର ସୂଚନା ଦେଇଥାଏ।

କରୋନା ଆକ୍ରାନ୍ତଙ୍କ ପାଇଁ କେମିତି ସହାୟକ ହେଉଛି ଭେଣ୍ଟିଲେଟର?

କରୋନା ଭାଇରସ ଲକ୍ଷଣ ନିମୋନିଆ ଲକ୍ଷଣ ପ୍ରାୟ ଏକ ପ୍ରକାର। କୋଭିଡ୍-୧୯ ବା କରୋନା ଭାଇରସ ଦ୍ଵାରା ସଂକ୍ରମିତ ହେଲେ ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ ଦେଖା ଦେଇଥାଏ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହେଲେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ। କାରଣ କରୋନା ଭାଇରସ ଆମ ରକ୍ତବାହୀ ନଳୀଗୁଡ଼ିକୁ ବିସ୍ତାର କରି ଦେଇଥାଏ। ତେଣୁ ଏଥିରେ ଅଧିକ କୋଷିକା ଜନ୍ଜ ନେଇଥାଏ। ତେବେ ଏହି ସମୟରେ ଏହି କୋଷିକାଗୁଡ଼ିକୁ ଶରୀର ଅମ୍ଲଜାନ ଯୋଗାଇ ପାରିନଥାଏ।

ଏହି ସମୟରେ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ। ଭେଣ୍ଟିଲେଟର ସାହାଯ୍ୟରେ କରୋନା ଆକ୍ରାନ୍ତଙ୍କୁ କୁତ୍ରିମ ଉପାୟରେ ଅମ୍ଲଜାନ ଯୋଗାଇ ଦିଆଯାଇଥାଏ। ପ୍ରଥମେ ଭେଣ୍ଟିଲେଟରରେ ଥିବା ଫେସ୍ ମାସ୍କକୁ ରୋଗୀଙ୍କ ମୁହଁ କିମ୍ବା ନାକରେ ଲଗାଯାଇଥାଏ। ଏହାପରେ ଭେଣ୍ଟିଲେଟର ସହିତ ସଂଲଗ୍ନ ଗ୍ୟାସ ଟ୍ୟୁବ୍ ମାଧ୍ୟମରେ ବାୟୁ ଯୋଗାଇ ଦିଆଯାଇଥାଏ।

ଭେଣ୍ଟିଲେଟରର ମୁଖ୍ୟ କାର୍ଯ୍ୟ ହେଉଛି ଫୁସଫୁସରେ ଅମ୍ଳଜାନ ଯୁକ୍ତ ବାୟୁକୁ ପମ୍ପ ଦ୍ଵାରା ଶରୀରରେ ଅନ୍ୟ ଅଂଶକୁ ପଠାଇବା। ଫଳରେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ ଆବଶ୍ୟକ ଅମ୍ଲଜାନ ପହଞ୍ଚି ପାରିଥାଏ।

ତେବେ ସମସ୍ତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଆବଶ୍ୟକତା ହୋଇନଥାଏ। ଜଣେ କରୋନା ଆକ୍ରାନ୍ତ ଗୁରୁତର ହେଲେ ହିଁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିପାରେ। କରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟର ଜରୁରୀ ନୁହେଁ। ଘରେ ଆଇସୋଲେସନରେ ରହି ମଧ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହୋଇ ପାରିବ।

corona

ଭେଣ୍ଟିଲେଟର ସାହାଯ୍ୟରେ ଫୁସଫୁସରୁ କାର୍ବନ ଡାଇଅକ୍ସାଇଡ୍ ଅପସାରଣ ମଧ୍ୟ ହୋଇଥାଏ। ଏହାକୁ “ଭେଣ୍ଟିଲେସନ୍” ପ୍ରକ୍ରିୟା କୁହାଯାଏ।

ଭେଣ୍ଟିଲେଟର ଦ୍ଵାରା କରୋନା ରୋଗୀଙ୍କୁ ଭଲ କରାଯାଇ ପାରିବ ନାହିଁ। ଏହା କେବଳ ଜଣେ କରୋନା ଆକ୍ରାନ୍ତଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ସାହାଯ୍ୟ କରିଥାଏ।

Comment