ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ।

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ।

ସାମାଜିକ ଦୂରତା ଓ ପରିଚ୍ଛନ୍ନତା

  • ଆପଣଙ୍କ ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ କାହା ସହିତ ହାତ ମିଳାନ୍ତୁ ନାହିଁ।
  • ଘରେ ବା ବାହାରେ କାହାର ସର୍ଦ୍ଦି, ଜ୍ୱର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୨-୩ ମିଟର ଦୂରତା ରକ୍ଷା କରନ୍ତୁ।
  • ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ଭଲକରି ହାତ ଧୁଅନ୍ତୁ।
  • ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ।
  • ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍‌, କମ୍ପ୍ୟୁଟର କିବୋର୍ଡ ଆଦିକୁ ଅନ୍ୟ ସହ ବ୍ୟବହାର କରନ୍ତୁ ନାହିଁ।
  • ଅତ୍ୟାବଶ୍ୟକ ଜିନିଷ ପାଇଁ ପ୍ରତିଦିନ ବାହାରକୁ ନଯାଇ ଦୁଇ ବା ତିନି ଦିନରେ ଥରେ ଅଳ୍ପ ସମୟ ପାଇଁ ଯାଆନ୍ତୁ। ବାହାରକୁ ଗଲାବେଳେ ସବୁଠି ସାମାଜିକ ଦୂରତା ବଜାୟ ରଖନ୍ତୁ।
  • ଘରେ ଏବଂ ଅଫିସରେ ଆପଣ ବ୍ୟବହାର କରୁଥିବା ଜିନିଷ ପରିଷ୍କାର ପରିଚ୍ଛନ କରି ରଖନ୍ତୁ।

ସାମାଜିକ ଦୂରତା ଓ ପରିଚ୍ଛନ୍ନତା ହେଉଛି କରୋନା ମୁକାବିଲାର ସବୁଠାରୁ ବଡ଼ ପଦକ୍ଷେପ।

stop corona 12ବାରମ୍ବାର ହାତ ଧୋଇଲେ କାରୋନା ହେବ ନାହିଁ କି?

କରୋନା ଭାଇରସର ମୁକାବିଲା ବେଳେ ପ୍ରଥମ ପଦକ୍ଷେପ ହେଉଛି ନିୟମିତ ବ୍ୟବଧାନରେ ହାତ ଧୋଇବା। କାରଣ ଆମେ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ଜନିଷରେ ହାତ ଲଗାଇଥାଉ। ବିଭିନ୍ନ ଜିନିଷ ବା ସରଫେସ୍‌ରେ ଯଦି କରୋନା ଭାଇରସ ଭଳି କୌଣସି ଭୂତାଣୁ ଲାଗି ରହିଥାଏ ତେବେ ତାହା ହାତ ଦେଇ ଆମ ଶରୀରରେ ପ୍ରବେଶ କରିଥାଏ।

ତେଣୁ ହାତକୁ ସାବୁନ ବା ସାନିଟାଇଜରରେ ଧୋଇଲେ ହାତରେ ଲାଗିଥିବା କୌଣସି ଭୂତାଣୁର ମୃତ୍ୟୁ ଘଟିଥାଏ।

କେମିତି ହାତ ଧୋଇବେ?

  • ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ।
  • ହାତ ଧୋଇଲା ବେଳେ ସାବନ, ହ୍ୟାଣ୍ଡ ଓ୍ୱାସ ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।
  • ପ୍ରଥମେ ହାତକୁ ପାଣିରେ ସମ୍ପୂର୍ଣ୍ଣ ଭିଜାଇ ଦିଅନ୍ତୁ। ଏହାପରେ ସାବୁନକୁ ହାତରେ ଘଷନ୍ତୁ। ଯଦି ଆପଣ ହ୍ୟାଣ୍ଡ ଓ୍ୱାସ ବା ସାନିଟାଇଜର ବ୍ୟବହାର କରୁଛନ୍ତି ତେବେ ଆବଶ୍ୟକ ପରିମାଣର ତରଳ ନିଅନ୍ତୁ ଯାହା ଆପଣଙ୍କ ହାତ ପାଇଁ ଯଥେଷ୍ଟ ହେବ।
  • ଅନ୍ତତଃ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।
  • ସାଧାରଣତଃ ରନିଙ୍ଗ୍‌ ଓ୍ୱାଟର ବା ପାଇପ ପାଣିରେ କିମ୍ବା ହାତରେ ପାଣି ଢାଳି ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।
  • ହାତ ଧୋଇବା ପରେ ହାତକୁ ଭଲ ଭାବେ ପରିଷ୍କାର କପଡ଼ାରେ ପୋଛି ଶୁଖାଇ ଦିଅନ୍ତୁ।

ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ହେବ ନାହିଁ କି?

ଡାକ୍ତରଙ୍କ କହିବା କଥା ହେଲା ଯେ କୌଣସି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ତେବେ କରୋନା ସଂକ୍ରମିତ ବା କରୋନା ଆଶଙ୍କା କରାଯାଉଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର।

ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳିଥାଏ। ସାଧାରଣ ସର୍ଜିକାଲ ମାସ୍କ ହେଉ ବା ଏନ୍‌ ୯୫ – ଆବଶ୍ୟକ ହେଲେ ହିଁ ମାସ୍କ ପିନ୍ଧନ୍ତୁ। ତେବେ ଯେଉଁମାନେ ଜରୁରୀ କାରଣରୁ ଯାତ୍ରା କରୁଛନ୍ତି ସେମାନେ ନିଜର ତଥା ଅନ୍ୟର ସୁରକ୍ଷା ପାଇଁ ଯାତ୍ରା ସମୟରେ ମାସ୍କ ପିନ୍ଧିପାରନ୍ତି।

ସ୍ୱାସ୍ଥ୍ୟକର୍ମୀମାନେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ତେବେ କି ପ୍ରକାର ମାସ୍କ ପିନ୍ଧିବେ ଏବଂ କିପରି ମାସ୍କ ବାନ୍ଧିବେ ସେ ବାବଦରେ ଆପଣ ଆବଶ୍ୟକ ପ୍ରୋଟୋକଲ୍‌ ବା ଧାରା ଜାଣିବା ଦରକାର।

ମାସ୍କ କେମିତି ବାନ୍ଧିବେ?

କେବଳ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣରୁ ଯେ ନିଜକୁ ରକ୍ଷା କରି ହେବ ଏକଥା ଭାବିବା ଭୁଲ। କାରଣ ଠିକ ଭାବେ ମାସ୍କର ବ୍ୟବହାର କରି ନଜାଣିଲେ ଏଥରୁ କୌଣସି ଫାଇଦା ମିଳିନଥାଏ।

ଆସନ୍ତୁ ଜାଣିବା ମାସ୍କ ବାନ୍ଧିବେ କିପରି?

  • ମାସ୍କ ବାନ୍ଧିବା ପୂର୍ବରୁ ପ୍ରଥମେ ହାତକୁ ସାବୁନ୍‌ ଭଲ ଭାବରେ ଧୁଅନ୍ତୁ କିମ୍ବା ହାଣ୍ଡ୍‌ ସାନିଟାଇଜର୍‌ରେ ପୋଛନ୍ତୁ।
  • ଏହାପରେ ମାସ୍କକୁ ମୁହଁରେ ବାନ୍ଧନ୍ତୁ। ବାନ୍ଧିବା ପରେ ନାକ ପାଖରେ ଥିବା ମେଟାଲ ଷ୍ଟ୍ରିପକୁ ଟାଇଟ୍‌ କରନ୍ତୁ।
  • ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ମୁହଁ ଭିତରେ ଫାଙ୍କା ରହିବ ନାହିଁ।
  • ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
  • ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ତୁରନ୍ତ ଡଷ୍ଟବିନ୍‌ରେ ପକାନ୍ତୁ ଓ ହାତକୁ ସାବୁନରେ ଧୁଅନ୍ତୁ।

LEAVE A REPLY

Please enter your comment!
Please enter your name here