ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି।
କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ମନରେ ଭୟ ହେବାଟା ସ୍ଵାଭାବିକ। ତେବେ ଯେଉଁମାନେ ବୁଦ୍ଧିମାନ, ଧୈର୍ଯ୍ୟବାନ ଓ ସ୍ଵଚ୍ଛଳ ସେମାନେ ସ୍ଵାସ୍ଥ୍ୟ ବିଭାଗ ବା ସରକାରଙ୍କର ନିର୍ଦ୍ଦେଶ ମାନି କାମ କଲେ ନିଜର ଭୟକୁ ଆୟତ୍ତରେ ରଖିପାରିବେ।
ଆଗରୁ ଯେତେବେଳେ କଲେରା, ଟାଇଫଏଡ୍, ବସନ୍ତ ବା ଡେଙ୍ଗୁ ଆଦି ସଂକ୍ରାମକ ରୋଗର ଚିକିତ୍ସା ନଥିଲା, ସେତେବେଳେ ଏହା ବ୍ୟାପକ ଭାବରେ ସଂକ୍ରମିତ ହେଉଥିଲା। ସେତେବେଳେ ମଧ୍ୟ ଯେଉଁମାନେ ପରିଷ୍କାର ପରିଚ୍ଛନ୍ନ ରହୁଥିଲେ ଓ ସାବଧାନ ହୋଇ ଚଳୁଥିଲେ, ସେମାନେ ରୋଗମୁକ୍ତ ରହୁଥିଲେ। ମାତ୍ର ଯାହାର ରହିବାକୁ ଘର ନାହିଁ କି ରୋଜଗାର ନଥିବାରୁ ଭୋକ ଉପାସରେ ମରିବାର ଭୟ ହେଉଛି, ତା’ର ଭୟ ଦୂର ହେବ କିପରି? ଏହି ଅସହାୟ ବର୍ଗର ମଣିଷଙ୍କ ପାଇଁ ଯେଉଁ ପ୍ରକାର ସାହାଯ୍ୟ ଦରକାର ସେଭଳି ସାହାଯ୍ୟ ସରକାର କେବଳ ଅଳ୍ପ ସମୟ ପାଇଁ ହିଁ ଦେଇପାରିବେ।
ଆମ ରାଜ୍ୟ ଓଡ଼ିଶାରେ, ସହର ଓ ଗାଁରେ କେତେକ ଜାଗାରେ ଲୋକେ ଅପରିଷ୍କାର ପରିବେଶ ମଧ୍ୟରେ ରହୁଛନ୍ତି। ଅନେକ ଜାଗାରେ ଗୋଟିଏ ଗୋଟିଏ ବଖରାରେ ୪-୫ ଜଣ ଲୋକ ରହୁଛନ୍ତି। ସେମାନେ କେତେ ସଫାସୁତୁରା ହେଇ ଅନ୍ୟଠାରୁ ନିଜକୁ ଦୂରେଇ ରହିପାରିବେ ତାହା ଗୋଟିଏ ବଡ଼ ପ୍ରଶ୍ନ।
ଏବେ ଆସନ୍ତୁ ପିଲାଙ୍କ ବିଷୟରେ କଥା ହେବା। କରୋନା ପାଇଁ ତାଙ୍କ ମନରେ ମଧ୍ୟ ଡର ପଶିଛି। ସେମାନେ ଡରିଲାରୁ ରାତିରେ ଶୋଉ ନାହାନ୍ତି କି ଶୋଇଲେ ଏହି ସ୍ଵପ୍ନ ଦେଖି ଆହୁରି ଡରୁଛନ୍ତି। କିଏ ଖାଉ ନାହିଁ ତ ଯିଏ ଖାଇବାକୁ ଭଲପାଏ ସବୁବେଳେ ଖାଲି ଖାଉଛି। ତା’ ସହିତ ପିଲାଙ୍କ ଆଗରେ ବଡ଼ମାନେ ଖାଲି କରୋନା କରୋନା ହେବା ଫଳରେ ସେମାନଙ୍କ ମନରେ ଡରଟା ଆହୁରି ବଢ଼ୁଛି ସିନା କମୁନାହିଁ। ତେଣୁ ସେମାନଙ୍କ ଭିତରେ ଚାପ କମାଇବା ଲାଗି ସେମାନଙ୍କୁ ସହଜ ଭାଷାରେ ଯେତିକି ବୁଝାଇବା ଦରକାର ସେତିକି କହି, ଅନ୍ୟ ବିଷୟରେ ସେମାନେ କେମିତି ମନ ଦେବେ, ତା’ର ବ୍ୟବସ୍ଥା କରିବା ଦରକାର।
ବର୍ତ୍ତମାନ ସମୟରେ ପିଲାମାନେ ବୟସ ଅନୁସାରେ ଘର କାମରେ ସାହାଯ୍ୟ କରିପାରିବେ କିମ୍ବା ସେଲ୍ ଫୋନ୍ ବ୍ୟବହାର କରି ଇଣ୍ଟରନେଟ୍ ଜରିଆରେ ସାଙ୍ଗମାନଙ୍କ ସହ ଗପସପ କରିପାରିବେ। ଘରେ ଯିଏ ସିଲେଇ ଜାଣେ ସେ ମୁହଁରେ ବାନ୍ଧିବା ପାଇଁ ମାସ୍କ ତିଆରି କରି ବାଣ୍ଟିପାରେ, କିଏ ଗପ ବହି ପଢ଼ିପାରେ। ସେହିପରି ଲୋକେ ଘର ଭିତରେ ଏକାଠି ବସି ଭଜନ ଶୁଣିପାରନ୍ତି ବା ବୋଲି ପାରନ୍ତି, କିମ୍ବା ତାସ୍, ଚେସ୍ କି ଲୁଡୋ ଖେଳି ପାରନ୍ତି।
ମୋଟ କଥା ହେଲା କରୋନା ଭାଇରସ୍ ବିଷୟରେ ଦିନରେ ୧୦ ମିନିଟରୁ ବେଶୀ ଆଲୋଚନା ନ କରି ମନକୁ ଅନ୍ୟ ଆଡ଼େ ନେଇ ବିଭିନ୍ନ କାମ କଲେ ଏବଂ ହସ, ଖୁସି ଓ କଉତୁକ କଥା କହିଲେ ମନର ଭୟ ଓ ଆତଙ୍କ ଆପେ ଆପେ କମିଯିବ। କିନ୍ତୁ ତା’ ନକରି ଆମେ ଯଦି ମୋବାଇଲ୍ ଓ ଟିଭି ଦେଖା ସହିତ ଘରୋଇ ଆଲୋଚନା – ସବୁଠି କରୋନାର ଭୟାବହତା ବିଷୟରେ ଚର୍ଚ୍ଚା କରିବା ତେବେ କରୋନା ଚିନ୍ତା ଆମ ପାଖ ଛାଡ଼ିବ ନାହିଁ।
ଏବେ ଜାଣିବା ଯେ ଆମେ ମାନସିକ ଚାପକୁ କିଭଳି ନିୟନ୍ତ୍ରଣ କରିବା। ଏଭଳି ପରିସ୍ଥିତିରେ ଯେଉଁମାନେ ମାନସିକ ଚାପ ଅନୁଭବ କରନ୍ତି, ସେମାନେ ୧ରୁ – ୧୦ ଯାଏଁ ଗୋଟାଏ ମାପକାଠି କରି ନିଜ ମନର ଚାପର ମାତ୍ରା ହିସାବ କରିପାରିବେ। ଯଥା – ୧ ନମ୍ବର ଯଦି ହେଲା ଅତି ସାମାନ୍ୟ ବା ଲଘୁ, ତେବେ ୧୦ ନମ୍ବର ହେବ ଅତି ଗୁରୁତର। ଯେଉଁମାନେ ଲଘୁ ଓ ମଧ୍ୟମ ପ୍ରକାରର ଚାପ ଅନୁଭବ କରନ୍ତି ସେମାନେ ସାଧାରଣତଃ ମାନସିକ ସ୍ଥିତି ସମ୍ଭାଳି ପାରନ୍ତି। ମାତ୍ର ଯିଏ ଗୁରୁତର ଚାପ ଅନୁଭବ କରେ ତା’ର ବ୍ଲଡପ୍ରେସର ହଠାତ୍ ବଢ଼ିପାରେ, ଡାଏବେଟିସ୍ ବଢ଼ିପାରେ, ଏପିଲେପ୍ଟିକ୍ ଫିଡସ୍ ବଢ଼ିପାରେ। ସେହିପରି ଶୁଚିବାଇ ହୋଇଥିଲେ ଜଣେ ବହୁତ ବେଳ ପର୍ଯ୍ୟନ୍ତ ଗାଧୋଇବେ, ହାତ ଧୋଇବେ, ବାହାରୁ ଲୁଗା ଆସିଲେ ତା’କୁ ଧୋଇ ଶୁଖାଇବେ ଓ ସବୁବେଳେ ଦୁଶ୍ଚିନ୍ତାରେ ଘାରି ହେଉଥିବେ।
ଏଭଳି ଲୋକମାନେ ଟେଲିଫୋନ୍ ଜରିଆରେ କାଉନସେଲର୍ ବା ମନୋବୈଜ୍ଞାନିକଙ୍କ ସହ ନିଜର ସମସ୍ୟାର ପ୍ରତିକାର ପାଇଁ ପରାମର୍ଶ ଲୋଡିପାରିବେ। ବର୍ତ୍ତମାନ ଯେଉଁମାନେ ମାନସିକ ଚିକିତ୍ସା କରୁଛନ୍ତି ବା ମାନସିକ ସମସ୍ୟା ବିଷୟରେ ପରାମର୍ଶ ଦିଅନ୍ତି ସେମାନେ ଓଡ଼ିଆରେ ଯଦି ‘ଅନଲାଇନ୍’ ପରାମର୍ଶ ଦେବାର ବ୍ୟବସ୍ଥା କରନ୍ତେ ତେବେ ଅନେକ ଲୋକ ଏଥିରୁ ନିଶ୍ଚିତ ଉପକୃତ ହେବେ।
(ପ୍ରସ୍ତୁତି: ନୀଳାମ୍ବର ରଥ)