ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାର୍ଟ ଫେଲ୍ୟୁଅର ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରମାନଙ୍କ ଅନୁସାରେ ୫୦-୫୯ ବର୍ଷ ମଧ୍ୟରେ ପ୍ରାୟ ୧ ପ୍ରତିଶତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥାନ୍ତି। ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହାର ଆଶଙ୍କା ବୃଦ୍ଧିପାଇଥାଏ।

ହାର୍ଟ ଫେଲ୍ୟୁଅର କ’ଣ?

ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ (ପମ୍ପିଙ୍ଗ୍) କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନର ମାତ୍ରା କମିଯାଏ। ଫଳରେ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯଥେଷ୍ଟ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ। ଅନେକ କିନ୍ତୁ ହାର୍ଟ ଫେଲ୍ୟୁଅରର ଅର୍ଥ ହାର୍ଟ ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିଦେଇଥାଏ ବୋଲି ମନେ କରନ୍ତି, ଯାହାକି ଠିକ୍ ନୁହେଁ। ତେବେ ପ୍ରାୟ ସମସ୍ତ ପ୍ରକାରର ହୃଦେରୋଗ ପରବର୍ତ୍ତୀ ପର୍ଯ୍ୟାୟରେ ହାର୍ଟ ଫେଲ୍ୟୁଅର ଆଡ଼କୁ ଗତି କରିଥାଏ, ତେଣୁ ପ୍ରାରମ୍ଭିକ ଅବସ୍ଥାରେ ଠିକ୍ ଭାବେ ରୋଗ ନିରୂପଣ କରି ଚିକିତ୍ସା କରାଯିବା ଆବଶ୍ୟକ।

ହାର୍ଟ ଫେଲ୍ୟୁଅର ଆପଣଙ୍କ ହାର୍ଟର ଡାହାଣ ବା ବାମ କିମ୍ବା ଉଭୟ ପଟକୁ ଗୋଟେ ସମୟରେ ପ୍ରଭାବ ପକାଇପାରେ। ହାର୍ଟ ଫେଲ୍ୟୁଅର ଏକ ଅବସ୍ଥା ଯାହା ଚିକିତ୍ସା ଦରକାର କରେ। ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା କଲେ ଏହା ଆପଣଙ୍କ ଜୀବନକୁ ରକ୍ଷା କରିପାରିବ। ଏଣୁ ହାର୍ଟ ଫେଲ୍ୟୁଅରର ଲକ୍ଷଣ ଜଣାପଡ଼ିଲେ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ।

 ଲକ୍ଷଣ:

ଅତ୍ୟଧିକ ଥକ୍କାପଣ

ହଠାତ୍ ଓଜନ ବୃଦ୍ଧି

ଭୋକ ନ ଲାଗିବା

କ୍ରମାଗତ କାଶ ଲାଗି ରହିବା

ହୃଦସ୍ପନ୍ଦନ ବଢିଯିବା କିମ୍ବା ଅନିୟମିତ ହେବା

ହୃଦଘାତ

ପେଟ ଫୁଲିଯିବା

ଗୋଡ, ପାଦ, ବଳାଗଣ୍ଠି ଫୁଲିବା

ରାତିରେ ବାରମ୍ବାର ପରିସ୍ରା ଲାଗିବା

ବାନ୍ତି ଲାଗିବା

ଛାତି ଯନ୍ତ୍ରଣା ହେବା

ହାର୍ଟ ଫେଲ୍ୟୁଅରର କାରଣ

ହାର୍ଟ ଫେଲ୍ୟୁଅରର ବିଭିନ୍ନ କାରଣ ରହିଛି। ହେଲେ ମୁଖ୍ୟ କାରଣ ହେଲା କୋରୋନାରି ଆଟେରିଡିଜିଜ୍(ସିଏଡି), ଯେଉଁଥିରେ ହୃଦୟକୁ ରକ୍ତ ଏବଂ ଅମ୍ଳଜାନ ସଂଚାଳନ କରୁଥିବା ରକ୍ତବାହୀ ନଳୀ (ଆଟେରୀ) ମାନେ ସଙ୍କୁଚିତ ହୋଇଯାଇଥାନ୍ତି।  ତେବେ ଅନ୍ୟ କାରଣଗୁଡ଼ିକ ହେଲା:

କାର୍ଡିଓମିଓପାଥି (ହାର୍ଟ ମାଂସବେଶୀ ଦୁର୍ବଳ ହୋଇଯିବା)

ହୃଦଘାତ

ହାର୍ଟ ଭଲ୍‌ଭ ରୋଗ

ଉଚ୍ଚ ରକ୍ତଚାପ

ଏମ୍ଫିସେମା (ଫୁସ୍‌ପୁସ୍‌ ଜନିତ ରୋଗ)

ଡାଏବେଟିସ ବା ମଧୁମେହ

ଥାଇରଏଡ୍‌

ଏଚ୍‌ଆଇଭି

ରକ୍ତହୀନତା

କେତେକ କର୍କଟ ଚିକିତ୍ସା, ଯେପରିକି କେମୋଥେରାପି

ଅତ୍ୟଧିକ ମଦ୍ୟପାନ, ଧୂମପାନ, ଅତ୍ୟଧିକ ମାନସିକ ଚାପ

ମେଦ ବହୁଳତା

ପରିଶ୍ରମ ନ କରି ଚର୍ବି ଜାତୀୟ ଖାଦ୍ୟ ଅଧିକ ଖାଇବା

ହାର୍ଟ ଫେଲ୍ୟୁଅର ପ୍ରକାର

ବାମ ପଟ ହାର୍ଟ ଫେଲ୍ୟୁଅର: ବାମ ହୃଦୟ ଭେଣ୍ଟ୍ରିକଲ୍ ଆପଣଙ୍କ ହୃଦୟର ନିମ୍ନ ବାମ ପାର୍ଶ୍ୱରେ ଥାଏ। ଏହି କ୍ଷେତ୍ର ଆପଣଙ୍କ ଶରୀରକୁ ଅମ୍ଳଜାନ ଯୁକ୍ତ ରକ୍ତକୁ ପମ୍ପ କରିଥାଏ। ଯେତେବେଳେ ବାମ ହୃଦୟ ଭେଣ୍ଟ୍ରିକଲ୍ ଅମ୍ଳଜାନ ଯୁକ୍ତ ରକ୍ତକୁ ଭଲ ଭାବରେ ପମ୍ପ କରିପାରେ ନାହିଁ, ଫଳରେ ଫୁସ୍‌ଫୁସ୍‌ରେ ପାଣି ଜମିଯାଏ। ଏହି ଅବସ୍ଥାକୁ ବାମ ପଟ ହାର୍ଟ ଫେଲ୍ୟୁଅର ବୋଲି କୁହାଯାଏ।

ଡାହାଣ ପଟ ହାର୍ଟ ଫେଲ୍ୟୁଅର: ପାଣି ଆପଣଙ୍କ ପେଟ, ଗୋଡ଼ ପାଦରେ ଜମା ହୋଇ ଫୁଲିଗଲେ।

ସିଷ୍ଟୋଲିକ ହାର୍ଟ ଫେଲ୍ୟୁଅର: ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ସିଷ୍ଟୋଲିକ୍ ହୃଦଘାତ ଅଧିକ ଦେଖାଯାଏ।

ଡାଇଷ୍ଟୋଲିକ ହାର୍ଟ ଫେଲ୍ୟୁଅର: ହୃଦୟର ମାଂସପେଶୀ ସାଧାରଣ ଅପେକ୍ଷା କଠିନ ହେଲେ ଡାଇଷ୍ଟୋଲିକ୍ ହୃଦଘାତ ହୁଏ। କଠିନ ମାଂସପେଶୀ ସାଧାରଣତଃ ହୃଦରୋଗ ଯୋଗୁଁ ହୋଇଥାଏ। ଅର୍ଥାତ ହୃଦୟ ଠିକ୍‌ ପରିମାଣର ରକ୍ତ ପାଇପାରି ନଥାଏ, ଯାହାକୁ ଡାଇଷ୍ଟୋଲିକ ଡିସ୍‌ଫଙ୍କସନ୍‌ କୁହାଯାଏ। ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଡାଇଷ୍ଟୋଲିକ୍ ହୃଦଘାତ ଅଧିକ ଦେଖାଯାଏ। ଉଭୟ ଡାଇଷ୍ଟୋଲିକ୍ ଏବଂ ସିଷ୍ଟୋଲିକ୍ ହୃଦଘାତ ହୃଦୟର ବାମ କିମ୍ବା ଡାହାଣ ପାର୍ଶ୍ୱରେ ହୋଇପାରେ।

ଚିକିତ୍ସା

ହାର୍ଟ ଫେଲ୍ୟୁଅରର ଲକ୍ଷଣ ଏବଂ ତୀବ୍ରତା ଅନୁସାରେ ଚିକିତ୍ସା ନିର୍ଦ୍ଧାରଣ କରାଯାଇଥାଏ। ଆବଶ୍ୟକ ହେଲେ ଅସ୍ତ୍ରୋପଚାର ବି କରାଯାଏ। ତେବେ ପରିସ୍ଥିତି ଗୁରୁତର ହେବା ପୂର୍ବରୁ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ। ମୂଳ କଥା ହେଲା ଶରୀରର ଓଜନ ଠିକ୍ ରହିବା ଆବଶ୍ୟକ। ଏଥିପାଇଁ ପ୍ରତ୍ୟହ କିଛି କିଛି ଶାରୀରିକ ପରିଶ୍ରମ ଜରୁରୀ। ଅତ୍ୟଧିକ ପରିଶ୍ରମ ନ କରି ହାଲ୍କା ଭାବେ ସକାଳୁ ୧୫-୨୦ ମିନିଟ୍ ଧରି ମର୍ଣ୍ଣଂ ୱାକ୍ କରନ୍ତୁ। ଖୋଲାପଡ଼ିଆରେ ନିୟମିତ ଭାବେ ଯୋଗାଭ୍ୟାସ କରନ୍ତୁ। ଯଥାସମ୍ଭବ ଘର କାମକୁ ନିଜେ କରିବାକୁ ଉଦ୍ୟମ କରନ୍ତୁ। ଯେପରିକି ଲୁଗା ପଟା ସଫା କରିବା, ଘର ଝାଡ଼ୁ କରିବା, ପୋଛା ମାରିବା ପ୍ରଭୃତି। ଏହା ସେତେ କଠିନ କାମ ହୋଇନଥିଲେ ମଧ୍ୟ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ବ୍ୟାୟାମ ହୋଇଥାଏ। ସେହିପରି ରୋଷେଇ କରିବା ବି ଏକ ଭଲ ବ୍ୟାୟାମ। ଅଟା ଚକଟିବା, ପରିବା କାଟିବା ଦ୍ୱାରା ଆଙ୍ଗୁଳିଠାରୁ ଆରମ୍ଭ କରି ହାତ ଓ ସମଗ୍ର ଶରୀରର ବ୍ୟାୟାମ ହୋଇଥାଏ। ଦୈନନ୍ଦିନର ଜୀବନଚର୍ଯ୍ୟାରେ ଏହି ସବୁକୁ ସାମିଲ କଲେ ଆପଣ ଏକ ସୁସ୍ଥ ତଥା ନିରାମୟ ଜୀବନ ବଞ୍ଚିପାରିବେ।

ହାର୍ଟ ଫେଲ୍ୟୁୟରକୁ କିପରି ରୋକିବେ?

ଏକ ସୁସ୍ଥ ଜୀବନଶୈଳୀ ହାର୍ଟ ଫେଲ୍ୟୁଅରକୁ ରୋକିପାରିବ। ଓଜନ ହ୍ରାସ କରିବା ଏବଂ ନିୟମିତ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କର ହାର୍ଟ ଫେଲ୍ୟୁୟର ହେବାର ଆଶଙ୍କା ଯଥେଷ୍ଟ କମିଥାଏ।

ଖାଦ୍ୟରେ ଲୁଣର ପରିମାଣ କମାନ୍ତୁ।

ଧୂମପାନଠାରୁ ଦୂରେଇ ରହନ୍ତୁ।

ମଦ୍ୟପାନ କରନ୍ତୁ ନାହିଁ।

ଶରୀରିକ ପରିଶ୍ରମ, ବ୍ୟାୟାମ, ଯୋଗ ନିଜ ଦୈନିକ ଜୀବନରେ ସାମିଲ କରନ୍ତୁ।

ଓଜନକୁ ସନ୍ତୁଳନ ରଖନ୍ତୁ।

ଉଚ୍ଚ ରକ୍ତଚାପ, ମଧୁମେହ ଭଳି କେତେକ ରୋଗକୁ ନିୟନ୍ତ୍ରଣ କରନ୍ତୁ।

ଦିନକୁ ୮ ଘଣ୍ଟା ଶୁଅନ୍ତୁ।

ଚର୍ବିଯୁକ୍ତ ଖାଦ୍ୟଠାରୁ ଦୂରେଇ ରହନ୍ତୁ।

Comment