ଓଡ଼ିଶାଲାଇଭ୍ ବ୍ୟୁରୋ
ତାଙ୍କ ସରକାରୀ ନାଁ ଦିଲ୍ଲୀପ ମିଶ୍ର। କିନ୍ତୁ ଦୁନିଆ ତାଙ୍କୁ ଜାଣେ ‘ଶତ୍ରୁଜିତ୍’ ନାଁରେ। କବି, କଥାକାର ଏବଂ ସାମ୍ବାଦିକ। ବର୍ତ୍ତମାନ ମିଡିଆ କଂପାନି ‘ବିଜ୍ଞାପନ’ରେ ସଂପାଦକ ଅଛନ୍ତି। ତାଙ୍କ କଲମରୁ ତାଙ୍କର ତାଜା ଲକ୍ଡାଉନ୍ ଡାଏରି ଓଡ଼ିଶାଲାଇଭ୍ର ପାଠକମାନଙ୍କ ପାଇଁ।
ଲକ୍ ଡାଉନ୍ ସମୟ କାହା ପାଇଁ କଷ୍ଟକର କି ବିରକ୍ତିର ସମୟ ହୋଇପାରେ, ମୁଁ କିନ୍ତୁ ପ୍ରଥମ ଦିନରୁ ହିଁ ସଚେତନ ହୋଇଯାଇଥିଲି। ଦିନଟିଏ କଥା ଛାଡ଼ନ୍ତୁ, ମୁହୂର୍ତ୍ତଟିଏ ଯେମିତି ବିରକ୍ତ ନଲାଗିବ, ସେଥିପାଇଁ ମାନସିକ ପ୍ରସ୍ତୁତି କରିଦେଲି।
ଚଢ଼େଇଙ୍କ ପାଇଁ ରୁଟି ଓ ଚାଉଳ
ଏମିତିରେ ତ ସବୁବେଳେ ସକାଳ ଛଅଟାରେ ଉଠିଥାଏ। କାରଣ ଗତ ସାତ ବର୍ଷ ହେଲା ସକାଳ ଛଅଟାରେ ଆଖିରେ ଔଷଧ ପକାଏ। ସାତଟା ପରେ ବାଣୀବିହାର ସେଣ୍ଟ୍ରାଲ କ୍ୟାଣ୍ଟିନ କିମ୍ବା କୌଣସି ବନ୍ଧୁଙ୍କ ଘରକୁ ଯାଇଥାଏ ଦୁଇ ଘଣ୍ଟା ପାଇଁ। ଏବେ ସେହି ରୁଟିନ୍ ବଦଳିଛି। ସକାଳେ ଉଠିବା ପରେ ଛାତ ଉପରକୁ ଯାଇ ଚଢ଼େଇଙ୍କ ପାଇଁ ରୁଟି ଓ ଚାଉଳ ଦିଏ।
ଆମ ଦାଣ୍ଡ ଦୁଆର ଆମ୍ବ ଗଛରେ ଦୁଇଟି କୁଆ ବସା କରିଛନ୍ତି। ରୁଟି ଚାଉଳ ନେଇ ସିଡ଼ି ଚଢିଲା ବେଳକୁ ସେମାନେ କା କା ରାବ କରି ବନ୍ଧୁ ବାନ୍ଧବଙ୍କୁ ଡାକ ପକାନ୍ତି। ଆଠ ଦଶଟା କୁଆ, ଆଠ ଦଶଟା ପାରା ଓ ଗଛରେ ରହୁଥିବା ତିନୋଟି ଗୁଣ୍ଡୁଚି ମୂଷା ବେଢ଼ି ଯାଇଥାନ୍ତି। ବେଳେ ବେଳେ ସେମାନେ ଆଗପଛ ହୋଇ ଆସନ୍ତି। ଓଃ! ମନୋରମ ସେ ଦୃଶ୍ୟ। ସକାଳୁ ସକାଳୁ ମନ ଭରିଯାଏ ତୃପ୍ତିରେ। କିଛି ସମୟ ସେମାନଙ୍କୁ ଦେଖି ତଳକୁ ଫେରେ।
ନିତ୍ୟକର୍ମ ସାରି ପ୍ରାଣାୟାମ, ସାମାନ୍ୟ ବ୍ୟାୟାମ କରେ। ବାଲକୋନିରେ ଥିବା ଫୁଲ ଗଛରୁ ପୂଜା ପାଇଁ ଫୁଲ ତୋଳେ। ଗରମ ପାଣିରେ ଲେମ୍ବୁ ମିଶାଇ ପିଏ। ପନ୍ଦର ମିନିଟ୍ ପରେ ଔଷଧ ଖାଏ। ଆରମ୍ଭ ହୁଏ ଦିନଚର୍ଯା।
ଭାଗବତ ପଢ଼ା ଓ ଠାକୁର ପୂଜା ପାଇଁ ଘଣ୍ଟାଏ
ଦିନଯାକର ସମୟକୁ ବାଣ୍ଟିଦେଇଛି। ଟିଭିରେ ସାକ୍ଷାତକାର, ରାମାୟଣ, ମହାଭାରତ, ଚାଣକ୍ୟ ଧାରାବାହିକ (ମୋଟ ଛଅ ଘଣ୍ଟା) ଦେଖେ। ଦେଢ଼ ଦୁଇ ଘଣ୍ଟା ଇ-ପେପର ପଢେ। ପରିବା କଟା, ଅଟା ଦଳା, ପତ୍ନୀ ଓ ପୁଅ ସହିତ ଲୁଡୋ ଖେଳ, ଟିଭିରେ ଖବର ଦେଖା, ଦ୍ଵିପହର ଖାଇବା ପରେ ପୁଣି ଚଢ଼େଇଙ୍କ ପାଇଁ ଖାଇବା ନେଇ ଛାତରେ କିଛି ସମୟ ଦେବା ଆଦିରେ ତିନି ଘଣ୍ଟା ବିତେ। ଭାଗବତ ପଢ଼ା ଓ ଠାକୁର ପୂଜା ପାଇଁ ଘଣ୍ଟାଏ ସମୟ ଦିଏ। ସନ୍ଧ୍ୟାରେ ଗଛରେ ପାଣି ଦେଇ ବାଲକୋନିରେ ଘଣ୍ଟେ ବସେ। ଆତ୍ମୀୟ, ବନ୍ଧୁ ବର୍ଗଙ୍କୁ ଫୋନ୍ କରେ। ଅଳ୍ପ ସମୟ ପାଇଁ ପଛେ ହେଉ, ପଢ଼ାପଢ଼ି କରେ।
ଏମିତିରେ ଦିନକର ଷୋଳ, ସତର ଘଣ୍ଟା ସୁରୁଖୁରୁରେ ବିତିଯାଏ। ଫୋନ୍ କରି ବନ୍ଧୁମାନଙ୍କ ସହିତ କଥା ହେବା ବେଳେ କେହି କେହି କହନ୍ତି, ଘରେ ବସି ବସି ବୋର୍ ଲାଗୁଛି। ମୋ ପାଇଁ କିନ୍ତୁ ସମୟ ଅଣ୍ଟୁନି। ଟିଭି ଦେଖା ସମୟରେ ମୋବାଇଲରେ ଫେସବୁକ, ହ୍ଵାଟସଆପ୍ ଦେଖା ବି ହୋଇଯାଉଛି। ରାତିରେ ୧୨ଟା ସାଢେ଼ ବାରଟାରେ ଶୋଉଛି। ସକାଳେ ଛଅଟାରେ ଉଠୁଛି। ଆଉ ସମୟ କୋଉଠି ରହିବ ?
ବହୁ ଦିନରୁ ଭାବୁଥିଲି ଭାଗବତ ପଢ଼ିବାକୁ। ସମୟ ପାଉନଥିଲି। ଏବେ ପଢୁଛି। ପ୍ରଥମେ ପ୍ରଥମେ ଦିନକୁ ତିନି ଚାରି ଅଧ୍ୟାୟ ପଢ଼ୁଥିଲି। ଏବେ ଗୋଟିଏ ଦୁଇଟି ଅଧ୍ୟାୟ ପଢୁଛି, ଯେମିତିକି ବହୁଦିନ ପର୍ଯ୍ୟନ୍ତ ପଢିପାରିବି। ସେମିତି ପ୍ରାଣାୟାମ କରିବାକୁ ଇଚ୍ଛା ଥିଲେ ମଧ୍ୟ ସକାଳୁ ଘରୁ ପଳାଉଥିବାରୁ ସମୟ ହେଉନଥିଲା। ଏବେ ସେଥିପାଇଁ ବି ସମୟ ମିଳିଲା।
“ମାଉସୀ ଲୋ, ମଉସାଙ୍କ ଉପରେ ନଜର ରଖିଥିବୁ”
ମଜା ଅନୁଭୂତିଟିଏ ଲେଖିବି। ନାଗପୁରରେ ରହୁଥିବା ସଢୁଙ୍କ ପୁଅ ମୋ ପତ୍ନୀ ସହିତ ଦିନେ କଥା ହେବାବେଳେ ମୋ କଥା ପଚାରିଲା। ପ୍ରାଣାୟାମ, ଭାଗବତ ପାଠ, ଆଧ୍ୟାତ୍ମିକ ଧାରାବାହିକ ଦେଖାରେ ମୋର ପାଂଚ ଛଅ ଘଂଟା ବିତିଯାଉଛି ଶୁଣି ପୁତୁରା କହିଲା, “ମାଉସୀ ଲୋ, ମଉସାଙ୍କ ଉପରେ ନଜର ରଖିଥିବୁ, ନହେଲେ ଲକ୍ ଡାଉନ ସରିବା ପରେ ବାବାଜୀ ହୋଇ କୁଆଡେ଼ ପଳେଇଥିବେ”। ଆମେ ଦୁହେଁ ଖୁବ୍ ହସିଛୁ ସେ କଥାରେ।
ସତକଥା କହିଲେ, ବର୍ଷ ସାରା ସଭା, ସମିତି, ସାହିତ୍ୟ ପାଇଁ ସମୟ ଦେଉଥିଲି। ତେଣୁ ଏ ଲକ୍ ଡାଉନ ସମୟରେ କିଛି ବି ସ୍ଵତନ୍ତ୍ର ଯୋଜନା କରିବି ନାହିଁ, ଏପରିକି ଲେଖିବି ନାହିଁ ବୋଲି ପ୍ରଥମରୁ ଭାବିଥିଲି। ତେଣୁ ଲେଖାଲେଖି କରୁନି। କେବଳ ଅଗ୍ରଜ ସାହିତ୍ୟିକ ଓ ସାମ୍ବାଦିକ ସୁଭାଷ ଶତପଥୀଙ୍କ ତାଗିଦ୍ ପରେ ଗୋଟିଏ କବିତା ଲେଖିଥିଲି, ଯାହାକୁ ସେ ସମ୍ପାଦନା କରୁଥିବା ପ୍ରମେୟ ସାହିତ୍ୟ ପୃଷ୍ଠାରେ ପ୍ରକାଶ କରିଛନ୍ତି।
ଘର ଭିତରେ ବି ଜୀବନ ଅଛି
ଲକ୍ ଡାଉନ ସମୟ କେତେ କେତେ ଶିକ୍ଷା ଦେଇଛି? ବାହାର ଦୁନିଆରେ ବୁଡି, ହୋ ହା, ଘୋ ଘାରେ ବ୍ୟସ୍ତ ରହି, ଆମର ଯେ ଏକାନ୍ତ ନିଜସ୍ଵ ଏକ ଜୀବନ ମଧ୍ୟ ଅଛି, ସେକଥା ମଣିଷ ଭୁଲି ଯାଇଥିଲା। ଏ ଗୃହବାସ ଆମକୁ ସେଇୟା ଶିଖେଇଦେଲା। ସପ୍ତାହର ଗୋଟିଏ ଦିନ ଛୁଟିରେ ଘରେ ରହିବାକୁ ଚାହୁଁନଥିବା ମଣିଷଟି ଏବେ ବୁଝି ଗଲାଣି ଯେ, ଘର ଭିତରେ ବି ଜୀବନ ଅଛି। ତାକୁ ଉପଭୋଗ କରିବାର ମାନସିକତା ଦରକାର।
ଲକ୍ ଡାଉନ ମଧ୍ୟ ପ୍ରମାଣିତ କରିଦେଲା ଯେ, ଆମର ପ୍ରଗତି ହୋଇଛି ବୋଲି ଯେଉଁ ଡିଣ୍ଡିମ ପିଟା ହେଉଥିଲା, ତାହା ବୃଥା ଆସ୍ଫାଳନ ଥିଲା। ଲକ୍ଷ ଲକ୍ଷ ଗରିବ ଓଡ଼ିଆ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରିବାକୁ ବ୍ୟାକୁଳ, ହଜାର ହଜାର ଓଡ଼ିଆ ସହରରେ ଖାଇବାକୁ ନ ପାଇ ଗାଁକୁ ଫେରିବାକୁ ବ୍ୟାକୁଳ। ଆହାରେ ଜୀବନ!
କଥା ସାରିବା ଆଗରୁ ଛୋଟିଆ କଥାଟେ ଆପଣମାନଙ୍କ ସହିତ ବାଣ୍ଟିବି। ମୋ ମାମୁ କିଛି ଦିନ ତଳେ ଫୋନ୍ କରି ଭଲମନ୍ଦ ପଚାରୁଥିଲେ। ସେତିକି ବେଳେ କହିଦେଲେ, “ତୁ ଘରେ ରହୁଥିବାରୁ ମିନି (ମୋ ପତ୍ନୀ ) ଓ ପୁଅ ଖୁବ୍ ଖୁସି ହେଉଥିବେ”। ମୁଁ କଥାଟି ହଠାତ୍ ବୁଝିନପାରି ପଚାରିଦେଲି – କାହିଁକି? ମାମୁ ଉତ୍ତର ଦେଲେ, “ବର୍ଷ ସାରା ତ ସକାଳୁ ବାହାରି ରାତି ନଅ ଦଶରେ ଫେରୁଥିଲୁ। ଘର ପାଇଁ ସମୟ ଦେଉନଥିଲୁ। ଏବେ ଚବିଶ ଘଣ୍ଟା ଘରେ ରହୁଛୁ ତ, ସେଇଥିପାଇଁ।”
ଆରେ, ଏତିକି କଥା ମୋ ମଗଜକୁ ଆସିନଥିଲା ତ!
(ପ୍ରସ୍ତୁତି: ନୀଳାମ୍ବର ରଥ)