ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଶ୍ୱ ପୃଥିବୀ ଦିବସ ଅବସରରେ ସୁରକ୍ଷିତ ପୃଥିବୀ ଗଢ଼ିବା ଓ କରୋନା ପରବର୍ତ୍ତୀ ପୃଥିବୀ ସମ୍ପର୍କରେ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ସାମାଜିକ ଅନୁଷ୍ଠାନ ପ୍ରେରଣାର ପ୍ରତିଷ୍ଠାତା ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ।

“ପୃଥିବୀ ଆମର ମା। ଗୋଟିଏ ସୁସ୍ଥ ପୃଥିବୀ ହିଁ ସୁସ୍ଥ ଜୀବନଯାପନ କରିବାରେ ସହଯୋଗ କରିଥାଏ। ଆମେ ବଞ୍ଚିବା ପାଇଁ ଏଇ ପୃଥିବୀରୁ ଅନେକ ଦ୍ରବ୍ୟ ପାଉଛେ। ହେଲେ ଆମେ ଏଇ ପୃଥିବୀକୁ କେତେ ସୁରକ୍ଷିତ ରଖିଛେ ସେନେଇ ଏବେ ଆମେ ଆତ୍ମଚିନ୍ତନ କରିବା ନିହାତି ଦରକାର”, ବିଶ୍ୱ ପୃଥିବୀ ଦିବସ ଅବସରରେ ଏପରି କହିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ର ପ୍ରତିଷ୍ଠାତା ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ।

ସେ କହିଛନ୍ତି ଯେ, ଦିନକୁ ଦିନ ପୃଥିବୀର ଜନସଂଖ୍ୟା ବଢ଼ିଚାଲିଛି। ସେଇ ଅନୁସାରେ ଗାଡ଼ିମୋଟର, କଳକାରଖାନା ଓ ବିଜ୍ଞାନର ନୂଆ ନୂଆ ଉଦ୍ଭାବନ ମଧ୍ୟ ବୃଦ୍ଧି ପାଇଛି। ଯେଉଁ ଜିନିଷଗୁଡ଼ିକ ମଣିଷକୁ ଅନେକ ସୁବିଧା ସୁଯୋଗ ଦେବାରେ ସକ୍ଷମ ହୋଇପାରିଛି। ହେଲେ ସମୟ ବଢ଼ିବା ସହିତ ବୃକ୍ଷରୋପଣ କ’ଣ ସେହି ପରିମାଣରେ ବୃଦ୍ଧି ପାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଦିଲ୍ଲୀପ କହିଛନ୍ତି,“ପରିବେଶର ସନ୍ତୁଳନ ରକ୍ଷା କରିବା ପାଇ ଜଙ୍ଗଲ କ୍ଷୟ, ଖଣି ଖାଦାନ ଖନନ, ପାହାଡ଼ ବ୍ଲାଷ୍ଟିଂ ଆଦିକୁ ରୋକିବା ଦରକାର। ହେଲେ ବର୍ତ୍ତମାନର ମଣିଷ ସମାଜ ଏକଥା ଚିନ୍ତା ନକରି ପ୍ରକୃତି ଉପରେ କେବଳ ଅତ୍ୟାଚାର ହିଁ କରିଚାଲିଛି। ଫଳରେ ଗ୍ଲୋବାଲ୍ ୱାର୍ମିଂ, ପରିବେଶ ସନ୍ତୁଳନ ସହିତ ବିଗତ ଦିନରେ ମହାବାତ୍ୟା, ହୁଡହୁଡ୍, ଫାଇଲିନ୍ ଭଳି ଅନେକ ସାମୁଦ୍ରିକ ଝଡ଼ ଆମ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।”

ଏଥିସହିତ ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ପରବର୍ତ୍ତୀ ପୃଥିବୀ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି। ସମଗ୍ର ବିଶ୍ୱ ଯେତେବେଳେ କରୋନା କବଳରୁ ମୁକୁଳିବ ସେତେବଳକୁ ଯଦି ପୃଥିବୀର ଅବସ୍ଥା ସୁରକ୍ଷିତ ନଥିବ ତେବେ ମାନବ ସମାଜ ଆପେ ଆପେ ଧ୍ୱସଂ ମୁହଁକୁ ଠେଲି ହୋଇଯିବ। ତେଣୁ ସୁରକ୍ଷିତ ପୃଥିବୀ ସମ୍ପର୍କରେ ଚିନ୍ତା କରିବା ନିହାତି ଦରକାର ବୋଲି ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି।

ଏହି ଅବସରରେ ସେ ଆମେରିକାର ଏକ ଚିଡ଼ିଆଖାନାର ଉଦାହରଣ ଦେଇଥିଲେ। କିଛି ଦିନ ତଳେ ଆମେରିକାର ଏକ ଚିଡ଼ିଆଖାନାରେ ଗୋଟିଏ ବାଘ କରୋନା ସଂକ୍ରମିତ ହୋଇଥିଲା। ଯଦି ଏହି ଭାଇରସ୍ ପଶୁ ପକ୍ଷୀମାନଙ୍କୁ ବ୍ୟାପେ ତେବେ ପୃଥିବୀର ସନ୍ତୁଳନ ନଷ୍ଟ ହୋଇଯିବ। ଏନେଇ ମନୁଷ୍ୟ ସମାଜ ଚିନ୍ତା କରିବା ସହିତ କିଭଳ ଜଙ୍ଗଲ କ୍ଷୟ ରୋକିବା ଓ ବୃକ୍ଷରୋପଣ ବୃଦ୍ଧି କରିବା ଏବଂ ସୁରକ୍ଷିତ ପୃଥିବୀଟିଏ ଗଢ଼ିବା ସେନେଇ ଆତ୍ମଚିନ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଶେଷରେ ଦିଲ୍ଲୀପ କହିଛନ୍ତି,“ଆମ ସବୁଜ ପୃଥିବୀକୁ ଆମେ କଦାପି ନଷ୍ଟ ହେବାକୁ ଦେବା ନାହିଁ। ଆମ ପୂର୍ବଜମାନେ ଆମ ପାଇଁ ଯେଉଁଭଳି ସବୁଜ ପୃଥିବୀ ଛାଡ଼ିଦେଇ ଯାଇଥିଲେ ଆମେ ମଧ୍ୟ ଆମ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସେହିଭଳି ସୁରକ୍ଷିତ ପୃଥିବୀ ଛାଡ଼ି ଦେଇଯିବା। ଆସନ୍ତୁ ଆମେ ସମସ୍ତେ ଏହି ସଂକଳ୍ପ ନେବା ଏବଂ କରୋନା ପରବର୍ତ୍ତୀ ପୃଥିବୀକୁ ସୁନ୍ଦର କରିବା।”

Comment