ଓଡ଼ିଶାଲାଇଭ୍ବ୍ୟୁରୋ

ଲକ୍‌ଡାଉନ୍‌ ଖୋଲିଲା ପରେ କରୋନାରୁ ସୁରକ୍ଷିତ ରହିବା ପାଇଁ ସାଧାରଣ ଜୀବନ କିଭଳି ରହିବା ଜରୁରୀ। ଜାଣନ୍ତୁ ଏନେଇ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି।

ଡାକ୍ତର ନିରୋଜ କୁମାର ମିଶ୍ର

‘‘ଲକ୍‌ଡାଉନ୍‌ ଖୋଲିବ, କିନ୍ତୁ ସ୍ୱାସ୍ଥ୍ୟ ସଚେତନତା ବା କଟକଣା ବନ୍ଦ ହେବ ନାହିଁ। ଲକ୍‌ଡାଉନ୍‌ ଖୋଲିବା ପରେ ଯଦି ଆମେ ପୁଣି ପୂର୍ବଭଳି ସଚେତନ ନ ରହିବା, ତେବେ ପୁଣି କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି’’, କହିଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।

କରୋନା ଭାଇରସ ଦ୍ୱାରା ଯେପରି ବେଶି ଲୋକ ଆକ୍ରାନ୍ତ ନ ହୁଅନ୍ତି, ସେଥିପାଇଁ ଲାଗୁ କରାଯାଇଛି ଲକ୍‌ଡାଉନ୍। ଆଗକୁ କରୋନାର ପ୍ରଭାବକୁ ଦେଖି ଲକ୍‌ଡାଉନ୍‌ କଟକଣା ବଢ଼ିପାରେ ବା କୋହଳ ବି ହୋଇପାରେ। ହେଲେ ଲକ୍‌ଡାଉନ୍‌ ଖୋଲିବା ପରେ ସାଧାରଣ ଲୋକଙ୍କୁ ମହାମାରୀ କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ପୂର୍ବଭଳି ସଚେତନ ରହିବାକୁ ହେବ।

କରୋନା ଭାଇରସ ଲାଗି ଏବେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତେ ଗୃହବନ୍ଦୀ। ଲକ୍‌ଡାଉନ୍‌ ଖୋଲିବା ପରେ ସମସ୍ତେ ନିଜ ନିଜ କାମରେ ବାହାରି ପଡ଼ିବେ। କିନ୍ତୁ, ଏବେ ଜୀବନ ଜୀବିକା ପୂର୍ବଭଳି ରହିବ ନାହିଁ। ଲୋକଙ୍କୁ କିଛିଟା ସତର୍କତା ଆପଣେଇବାକୁ ପଡ଼ିବ।

ବ୍ୟକ୍ତିଗତ ଜୀବନଧାରାରେ ଗୋଟେ ବର୍ଷ ପାଇଁ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ଲକ୍‌ ଡାଉନ୍‌ ଖୋଲିଗଲା ମାନେ ନୁହେଁ ଯେ କରୋନା ପଳେଇଗଲା ବୋଲି ଭାବିବା। ଲକ୍‌ ଡାଉନ୍‌ ଖୋଲିବ ସତ କିନ୍ତୁ ଜୀବନଯାତ୍ରା ସ୍ୱାଭାବିକ ହେବ କିନ୍ତୁ କରୋନାଠାରୁ ଦୂରରେ ରହିବା ପାଇଁ ଯାହା ଯାହା କରୁଥିଲେ, ତାହା ଆମକୁ କରିବାକୁ ପଡ଼ିବ।

ପୂର୍ବରୁ ଯେଉଁଭଳି ସାମାଜିତ ଦୂରତା ରକ୍ଷା କରାଯାଉଥିଲା ଲକ୍‌ଡାଉନ୍‌ ସରିବା ପରେ ସେହିଭଳି ଭାବେ ସାମାଜିତ ଦୂରତା ରକ୍ଷା କରିବାକୁ ପଡ଼ିବ। ଆପଣଙ୍କ ଘରେ , ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ ହାତ ମିଳାନ୍ତୁ ନାହିଁ। କାହାର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୧ ମିଟର ଦୂରତା ରକ୍ଷା କରନ୍ତୁ। ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ହାତ ଧୁଅନ୍ତୁ। ମଝିରେ ମଝିରେ ଆଲକହଲଯୁକ୍ତ ସାନିଟାଇଜରରେ ହାତ ପୋଛନ୍ତୁ।

ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ। ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍‌, କମ୍ପ୍ୟୁଟର କିବୋର୍ଡ ଆଦିକୁ ଅନ୍ୟ ସହ ବ୍ୟବହାର କରନ୍ତୁ ନାହିଁ।

corona

ବଜାରକୁ ଗଲା ବେଳେ ସମସ୍ତଙ୍କଠାରୁ ୧ ମିଟର ଦୂରତା ରକ୍ଷା କରିବାକୁ ହେବ। ଗ୍ରୋସରୀ, ପରିବା ବା କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ବେଳେ ଗୋଟେ ସ୍ଥାନରେ ଗହଳି ନ ହୋଇ ଜଣେ ପରେ ଜଣେ ଯାଇ ଜିନିଷ କିଣିବାକୁ ହେବ।

ଯଦି ସିନେମା ହଲରେ ଗୋଟେ ଚେୟାର ଛାଡ଼ି ଆଉ ଗୋଟେ ଚେୟାରରେ ବସି ଫିଲ୍ମ ଦେଖିବାକୁ ପଡ଼ିବ। ୬ରୁ ୮ ମାସ ଯାଏଁ ବଡ଼ ବଡ଼ ପାର୍ଟି ଯେପରିକି ବାହାଘର, ସଭାସମିତି, ଜନ୍ମଦିନ ଭଳି ଉତ୍ସବରୁ ଦୂରେଇ ରହନ୍ତୁ। ଗୋଟେ ସ୍ଥାନରେ ୫ରୁ ଅଧିକ ଲୋକ ଜହଳି କରନ୍ତୁ ନାହିଁ।

ଯଦି ଜଣକୁ ଥଣ୍ଡା, କାଶ ଛିଙ୍କ ହେଉଛି, ତେବେ ଉକ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ। ଏହାଦ୍ୱାରା କୌଣସି ସୁସ୍ଥ ବ୍ୟକ୍ତିଙ୍କୁ ଭୂତାଣୁ ନ ସଂକ୍ରମଣ ହେଉ। ମାସେ ୨ ମାସ ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା ଭଲ।

ପିଲାମାନଙ୍କୁ ସଚେତନ ରହିବାକୁ ଶିଖାନ୍ତୁ

ଯେତେବେଳେ ପିଲାମାନେ ସ୍କୁଲ ଯିବା ଆରମ୍ଭ କରିବେ, ସେତେବେଳେ ପିଲାମାନେ ସାମାଜିକ ଦୂରତା ବଜାୟ ରଖିବା ଉଚିତ୍‌। ପିଲାମାନଙ୍କୁ ଏନେଇ ସେମାନଙ୍କ ବାପା ମା’ ଓ ଶିକ୍ଷକମାନେ ବୁଝେଇବା ଜରୁରୀ। ପିଲାମାନଙ୍କ ମଧ୍ୟରେ ୩ ଫୁଟ୍‌ର ଦୂରତା ବଜାୟ ରଖିବା ଜରୁରୀ। ସ୍କୁଲ ବେଞ୍ଚଗୁଡ଼ିକ ମଧ୍ୟରେ ଗ୍ୟାପ୍‌ ରହିବା ଜରୁରୀ। ଗୋଟ ଜାଗାରେ ଗହଳି ନ କରିବାକୁ ପିଲାମାନଙ୍କୁ ବାରଣ କରିବା ଆବଶ୍ୟକ। ପିଲାମାନଙ୍କୁ ପୂର୍ବଭଳି ୨୦ ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ ଓ ପିଲାମାନଙ୍କୁ ମାସ୍କର ବ୍ୟବହାର ବିଷୟରେ ବୁଝାନ୍ତୁ। କାଶ, ଛିଙ୍କ ଓ ଥଣ୍ଡା ହେଉଥିବା ପିଲାମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଅନ୍ତୁ।

ଅଫିସ୍‌ରେ ସତର୍କତା

ଲକ୍‌ଡାଉନ୍‌ ସରିବା ପରେ ଅଫିସ୍‌ରେ ପୂର୍ବଭଳି ସଚେତନ ରହିବା ନିହାତି ଜରୁରୀ। ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ଵନର ବିଶେଷ ଆବଶ୍ୟକତା ରହିଛି। ଆପଣଙ୍କ କାର୍ଯ୍ୟାଳୟରେ ପରିଷ୍କାର ଓ ସ୍ଵଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବହାର କରୁଥିବା ଟେବୁଲ, କମ୍ପ୍ୟୁଟର, ଫୋନ ଓ ଅନ୍ୟାନ୍ୟ ଉପକରଣକୁ ସାନିଟାଇଜର ଦ୍ଵାରା ନିୟମିତ ପୋଛନ୍ତୁ। ଅଫିସରେ କାଶ, ଛିଙ୍କ, ଦ୍ଵାରା ହେଉଥିବା ସଂକ୍ରମଣ ବର୍ତ୍ତିବା ପାଇଁ ଟିସୁ ପେପର ବ୍ୟବହାର କରନ୍ତୁ। ବ୍ୟବହୃତ ଟିସୁ ପେପରକୁ ତୁରନ୍ତ ଢାଙ୍କୁଣି ଥିବା ଡଷ୍ଟବିନ୍‌ରେ ପକାନ୍ତୁ। କରମର୍ଦ୍ଦନ ବା ଆଲିଙ୍ଗନ କରନ୍ତୁ ନାହିଁ। ଅଫିସ୍‌ରେ ସଭାସମିତି କରନ୍ତୁ ନାହିଁ। ଆଗାମୀ ବର୍ଷେ ପାଇଁ ବାୟୋମେଟ୍ରିକ ଉପସ୍ଥାନ ମେସିନ ବ୍ୟବହାର କରନ୍ତୁ ନାହିଁ।

ଗୋଟେ ଲିପ୍ଟରେ ଯେତେ କମ୍‌ ଲୋକ ଯାଆନ୍ତୁ। ଅଫିସ୍‌ କ୍ୟାଣ୍ଟିନ୍‌ରେ ପୂର୍ବଭଳି ଯେମିତି କିଣିକରି ଖାଉଥିଲେ, ସେମିତି ଖାଆନ୍ତୁ ନାହିଁ। ଖାଇବା ବେଳେ ଦୂରତା ରକ୍ଷା ଜରୁରୀ।

ନିଜକୁ ରଖନ୍ତୁ ଫିଟ୍‌

ଡାକ୍ତର ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ଲକ୍‌ଡାଉନ୍‌ ଯୋଗୁଁ ପାର୍କ ଜିମ୍‌ ସବୁ ବନ୍ଦ। ଏଥିପାଇଁ ଲୋକେମାନେ ନା ଜିମ୍‌ ନା ମର୍ଣ୍ଣିଂଓ୍ୱାକ୍‌ କରିପାରୁଛନ୍ତି। ଏଥିପାଇଁ ଲୋକମାନେ ଘରେ ଯୋଗ, ପ୍ରାଣାୟମ୍‌, ଏରୋବିକ୍ସଳ ଯୁମ୍ବା ଭଳି ବ୍ୟାୟାମ କରିବା ଜରୁରୀ। ପ୍ରତିଦିନ ୩୦ ମିନିଟ୍‌ ଏକ୍ସରସାଇଜ୍‌ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

କୋଭିଡ୍‌-୧୯ ଭୂତାଣୁ ନ ହେବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ବଡ଼ ଭୂମିକା ରହିଛି। ଯଦି ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଭଲ ଓ ଶାରୀରିକ ଭାବେ ଫିଟ୍‌, ତେବେ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା କମ୍‌। ଖାଦ୍ୟରେ ସବୁଜ ପନିପରିବା, ଫଳ, ଅଖରୋଟ, ରାଜମା, ମାଛ, ଚିକେନ ଆଦିକୁ ସାମିଲ କରିବା ନିହାତି ଭଲ।

Comment