ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ଚାକିରୀରେ କର୍ମଚାରୀମାନଙ୍କ ଅବସର ଗ୍ରହଣ ବୟସକୁ ନେଇ ଗତ କିଛି ଦିନ ଧରି ଜୋର ଚର୍ଚ୍ଚା ଚାଲିଛି। କ’ଣ ରିଟାୟରମେଣ୍ଟ ବୟସ କମିବ? ସରକାର ଅବସର ସୀମାକୁ  ୫୦ ବର୍ଷକୁ ଖସେଇ ଆଣିବା ପାଇଁ କ’ଣ ଯୋଜନା କରୁଛନ୍ତି? ଏଭଳି ଅନେକ ଚର୍ଚ୍ଚା ଚାଲିବା ପରେ ଏବେ କେନ୍ଦ୍ର ସରକାର ଏହାର ପକ୍ଷଭୁକ୍ତ ହୋଇଛନ୍ତି ଓ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଗୋଟିଏ କଥା ଭାଇରଲ ହୋଇ ଚାଲିଆସିଛି ଯେ କେନ୍ଦ୍ର ସରକାର ଅବସର ବୟସକୁ ୫୦ ବର୍ଷ କରିବେ। କେନ୍ଦ୍ର ପର୍ସୋନେଲ ବିଭାଗ ପକ୍ଷରୁ ଏବେ ଏକ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଏଭଳି କୌଣସି ପ୍ରସ୍ତାବ ନାହିଁ। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଗତ କିଛି ଦିନ ଧରି ଏନେଇ ଗୁଜବ ଚାଲିଛି ଯାହାକି ଆଦୌ ସତ ନୁହେଁ।

କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ବି ଗୁଡ଼ାଏ ଗୁଜବ ଚାଲିଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ୩୦ ପ୍ରତିଶତ କଟାଯିବ ଓ ଯେଉଁମାନଙ୍କ ବୟସ ୮୦ ବର୍ଷ ଡେଇଁଛି ସେମାନଙ୍କୁ ଆଦୌ ପେନସନ ଦିଆଯିବ ନାହିଁ ବୋଲି ଯେଉଁ ଖବର ବୁଲୁଛି ତାହା ମଧ୍ୟ ଏକ ଗୁଜବ ଓ ଏଥିରେ କୌଣସି ଭିତ୍ତି ନାହିଁ ବୋଲି ମନ୍ତ୍ରୀ ସିଂହ କହିଛନ୍ତି।

ଏଥି ସହିତ ଲକଡାଉନ ଦୃଷ୍ଟିରୁ କର୍ମଚାରୀମାନଙ୍କ ଆନୁଏଲ ପରଫରମାନ୍ସ ରିପୋର୍ଟ ଦାଖଲର ଶେଷ ତାରିଖକୁ ମଧ୍ୟ ସ୍ଥଗିତ ରଖାଯାଇଛି ବୋଲି ସେ କହିଛନ୍ତି।

Comment