ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦ ଦିନ ପରେ ଡ୍ୟୁଟିରୁ ଫେରିଥିବା ଜଣେ ଡାକ୍ତରଙ୍କୁ କିଭଳି ସ୍ୱାଗତ କରୁଛନ୍ତି ତାଙ୍କ କଲୋନୀ ଲୋକେ। ଦେଖନ୍ତୁ ଭିଡିଓରେ…

କରୋନା ସହ ଲଢ଼ୁଛି ସାରାଦେଶ। ଏଥିରେ ଲୋକଙ୍କ ସାହା ଭରସା ପାଲଟିଛନ୍ତି ଡାକ୍ତର। ନିଜ ପରିବାରକୁ ଭୁଲି ସେ ଲୋକଙ୍କ ସେବା ପାଇଁ କରୁଛନ୍ତି ଆପ୍ରାଣ ଉଦ୍ୟମ। ଏଥିପାଇଁ ଡାକ୍ତରମାନଙ୍କୁ ମିଳୁଛି ଅଜସ୍ର ସମ୍ମାନ। ଆମେ ସେମିତି ଜଣେ ମହିଳା ଡାକ୍ତରଙ୍କ ବିଷୟରେ କହୁଛୁ ଯିଏ ଲଗାତର ୨୦ ଦିନ ଡାକ୍ତରଖାନାରେ ଡ୍ୟୁଟି କରିବା ପରେ ନିଜ ଘରୁ ଫେରିଛନ୍ତି। ଡାକ୍ତର ଜଣକ ଘରକୁ ଫେରିବା ପରେ ତାଙ୍କ ପରିବାର ଓ କଲୋନୀ ପକ୍ଷରୁ ତାଙ୍କୁ ଆବେଗମୟ ସ୍ୱାଗତ କରାଯାଇଛି।

କଲୋନୀର କିଛି ଲୋକେ ଓ ତାଙ୍କ ପରିବାର ସଦସ୍ୟ ତାଳି ମାରି, ଫୁଲ ପକାଇ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଡାକ୍ତର ଜଣକ ବି ଏ ଦୃଶ୍ୟ ଦେଖି ଭାବ ବିହ୍ୱଳ ହୋଇ ଭୋ ଭୋ ହୋଇ କାନ୍ଦି ପକାଇ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିଡିଓକୁ ଟୁଇଟ କରି ଲେଖିଛନ୍ତି, ‘‘ଏଭଳି ମୁହୂର୍ତ୍ତ ହୃଦୟକୁ ଖୁସିରେ ଭରି ଦେଇଥାଏ। ଏହା ହେଉଛି ଭାରତର ସ୍ପିରିଟ। ଆମେ ସାହସର ସହିତ କୋଭିଡ -୧୯ ସହିତ ଲଢ଼ିବା ”।

ଏହି ମହିଳା ଡାକ୍ତର ଜଣକ ଏକ ଡାକ୍ତରଖାନାରେ ଆଇସିୟୁ ବିଭାଗରେ କାର୍ଯ୍ୟ କରୁଥିଲେ। ଯେଉଁଠାରେ କୋଭିଡ -୧୯ ରୋଗୀ ଚିକିତ୍ସିତ ହେଉଛନ୍ତି।

Comment