ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍‌ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଯାଜପୁରର ୮୫ ବର୍ଷୀୟା ବୃଦ୍ଧା

ମାରାତ୍ମକ କରୋନା ଭାଇରସ ସହ ଦୀର୍ଘ ୧୨ ଦିନ ଲଢ଼ିବା ପରେ ସୁସ୍ଥ ହୋଇଛନ୍ତି ଜଣେ ୮୫ ବର୍ଷୀୟା ବୃଦ୍ଧା। ଯାଜପୁରର ଏହି ବୃଦ୍ଧାଙ୍କୁ ମଙ୍ଗଳବାର ଡାକ୍ତର ଡିସଚାର୍ଜ କରିଛନ୍ତି। ସେ ସମ୍‌ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ବୟସରେ ସେ କରୋନାକୁ ମାତ୍‌ ଦେଇଥିବାରୁ ଅନ୍ୟ କରୋନା ଆକ୍ରାନ୍ତମାନଙ୍କ ମନରୁ ନିଶ୍ଚୟ ଭାଇରସ ପ୍ରତି ଭୟ କମିଥିବ ବୋଲି ଆଶା କରାଯାଉଛି।

୮୫ ବର୍ଷୀୟା ବୃଦ୍ଧାଙ୍କର ଓଜନ ମାତ୍ର ୨୨ କିଲୋଗ୍ରାମ। ସେ ପ୍ରାଣଘାତୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସମ୍‌ କୋଭିଡ ହସ୍ପିଟାଲର ଆଡମିଟ୍‌ କରାଯାଇଥିଲା। ବୃଦ୍ଧାଙ୍କୁ ସୁସ୍ଥ କରିବା ପାଇଁ ସମ୍‌ ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ବୃଦ୍ଧା ସୁସ୍ଥ ହେବା ପରେ ଏହା ସେମାନଙ୍କୁ ବି ଉତ୍ସାହ ଯୋଗାଇଛି।

ଏହି ମହିଳାଙ୍କ ସମେତ ଯାଜପୁରର ୧୪ ଜଣ ମଙ୍ଗଳବାର ସମ୍ କୋଭିଡ‌ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୩ ବର୍ଷର ପିଲା ଓ ଜଣେ ୬୦ ବର୍ଷର ଡାଇବେଟିସ୍‌ ରୋଗୀ ଥିଲେ। ଆଶ୍ଚର୍ଯ୍ୟର କଥା ଏହି ୬୦ ବର୍ଷୀୟ ବ୍ୟକ୍ତିଙ୍କର ଡାଇବେଟସ୍‌ ଥିଲା ବୋଲି ସେ ପୂର୍ବରୁ ଜାଣିନଥିଲେ। କରୋନା ଚିକିତ୍ସା ଚାଲିଥିବା ସମୟରେ ଏହା ଜଣାପଡ଼ିଥିଲା। ଚିକିତ୍ସା ଭିତରେ ତାଙ୍କର ବ୍ଲଡ୍‌ ସୁଗାର ସ୍ତର ୪୦୦ରୁ ୧୦୦ ହ୍ରାସ ପାଇଛି।

ରାଜ୍ୟ ସରକାର ଓ ମହାନାଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ସହଯୋଗରେ ସ୍ଥାପିତ ସମ୍‌ କୋଭିଡ୍ ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଭିନ୍ନ ଏକ କ୍ୟାମ୍ପସରେ କାମ କରୁଛି। ହସ୍ପିଟାଲରେ ଆଇସିୟୁରେ ୨୫ ବେଡ୍‌ ସହିତ ସମୁଦାୟ ୫୨୫ ବେଡ୍‌ ରହିଛି। ୪ ମହଲା ବିଶଷ୍ଟ ଏହି ହସ୍ପିଟାଲରେ ପଜିଟିଭ୍‌ ଓ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଫ୍ଲୋରରେ  ଚିକିତ୍ସା କରାଯାଉଛି। ସେହିପରି  ଗୁରୁତର ରୋଗୀଙ୍କୁ ଭିନ୍ନ ସ୍ଥାନରେ ଚିକିତ୍ସା କରାଯାଉଛି।

ହସ୍ପିଟାଲରେ ୮୨ ଜଣ ଡାକ୍ତର ମୁତୟନ ହୋଇଛନ୍ତି। ଏଥିରେ ଭେଷଜ, ଶିଶୁ, ପଲ୍ୟୁମନାରୀ ମେଡିସିନ୍‌, ଜେନରାଲ୍‌ ସର୍ଜରୀ, ଅସ୍ଥିଶଲ୍ୟ, ମାନସିକ, ଇଏନ୍‌ଟି ଓ ଚକ୍ଷୁ ବିଭାଗ ବିଶେଷଜ୍ଞ ରହିଛନ୍ତି। ଏମାନଙ୍କ ବାଦ୍‌ ସେବା କାର୍ଯ୍ୟରେ ୨୬୪ ଜଣ ନର୍ସ ନିୟୋଜିତ ହୋଇଛନ୍ତି। କୋଭିଡ ହସ୍ପିଟାଲରେ ମୁତୟନ ଡାକ୍ତର ମାନେ ୧୪ ଦିନ ଡ୍ୟୁଟି କରିବା ଏବେ କ୍ୱାରେଣ୍ଟାଇନ୍‌ରେ ରହିବେ। ପୁଣି ଆଉ ଏକ ୮୨ ଜଣିଆ ଡାକ୍ତରୀ ଟିମ୍‌ ଡ୍ୟୁଟିକୁ ଆସିବେ। ସମ୍‌ ହସ୍ପିଟାଲରେ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ବରିଷ୍ଠ ଡାକ୍ତରମାନେ ଚିକିତ୍ସା ଏବଂ ଔଷଧ ନେଇ ପରାମର୍ଶ ଦେଉଛନ୍ତି।

ହସ୍ପିଟାଲ ପରିସରରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହସ୍ପିଟାଲ ଆଖପାଖ ଅଞ୍ଚଳକୁ ସବୁଦିନ ସାନିଟାଇଜ୍‌ କରାଯାଉଛି। ହସ୍ପିଟାଲ ଭିତରକୁ ପ୍ରତ୍ୟେକ ୬ ଘଣ୍ଟାରେ ଥରେ ସାନିଟାଇଜ୍‌ କରାଯାଉଛି।

Comment