ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଅମ୍ପନର ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡ଼ିଛି। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘର, ଗଛଲତା ଆଦି ଭାଙ୍ଗିଯାଇଛି।

ପଶ୍ଚିମବଙ୍ଗରେ ଧ୍ୱଂସଲୀଳା ମଚାଇଲା ବାତ୍ୟା ଅମ୍ପନ। ଯେଉଁ କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶହ ଶହ ଗଛବୃକ୍ଷ ମାଟି ଉପୁଡ଼େଇ ପଡ଼ିବା ସହ ଅନେକ ଘର ମଧ୍ୟ ମାଟିରେ ମିଶିଯାଇଛି। ପଶ୍ଚିମବଙ୍ଗବାସୀଙ୍କୁ ଏଭଳି କିଛି ଦୁଖଦଃ ଅନୁଭୂତି ଦେଇଛି ବାତ୍ୟା ଅମ୍ପନ।
ଗତକାଲି ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗର ସୁନ୍ଦରବନଠାରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ୍ କରିଥିଲା। ଏହି ସମୟରେ ସେଠାରେ ପ୍ରାୟ ୧୮୦ କିଲୋମିଟର ବେଗରେ ପବନ ବୋହୁଥିଲା ବୋଲି କୁହାଯାଇଛି। ଏହାପରେ ଅମ୍ପନ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ମଧ୍ୟ ପବନର ବେଗ ପାଖାପାଖି ୧୫୦ କିଲୋମିଟର ଉପରେ ରହିଥିଲା। ଯେଉଁ କାରଣରୁ ପୂରା ପଶ୍ଚିମବଙ୍ଗରେ ଅମ୍ପନ ତାଣ୍ଡବଲୀଳା ମଚାଇଥିଲା।

ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବଡ଼ ବଡ଼ ଗଛ ବୃକ୍ଷ ମାଟି ଉପୁଡ଼ାଇ ପଡ଼ିଥିବା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଅନେକ ରାସ୍ତା ଉପରେ ପଡ଼ିଥିବାରୁ ଲୋକଙ୍କ ଯିବା ଆସିବା ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। କେବଳ ଗଛ ନୁହେଁ ରାସ୍ତାକଡ଼ର ଅନେକ ବିଦ୍ୟୁତ ଖୁଣ୍ଟି ମଧ୍ୟ ତଳେ ଶୋଇପଡ଼ିଛି। ତେଣୁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳର ମଧ୍ୟ ଏବେ ଅନ୍ଧାର ଭିତରେ ସମୟ କାଟୁଛନ୍ତି।ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିଥିବା ବାତ୍ୟା ଅମ୍ପନ ସବୁଠୁ ଅଧିକ ଦୁଃଖ ଦେଇଛି ଗରିବ ଖଟିଖିଆମାନଙ୍କୁ। ବାତ୍ୟା କାରଣରୁ କୋଲକାତା ସହର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ କଚ୍ଚା ଘର ମାଟିରେ ମିଶିଯାଇଛି। ଫଳରେ ଲୋକମାନେ ଏବେ ନିଜର ଘରକୁ ହରାଇ ବାସହରା ହୋଇଯାଇଛନ୍ତି।

ବାତ୍ୟା ଅମ୍ପନ କାରଣରୁ ଗତକାଲିଠାରୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାର ପରିମାଣ ଏପରି ହୋଇଥିଲା ଯେ, ରାସ୍ତା କଡ଼ରେ ରହିଥିବା କାରଗୁଡ଼ିକ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୋଲାକାତ ଏୟାରପୋର୍ଟ ଜଳବନ୍ଦୀ ଅବସ୍ଥାରେ ରହିଛି।

Comment